‘ଇମିଗ୍ରେସନ୍ ବିଲ୍’ ଲୋକସଭାରେ ପାରିତ ଭାରତ ଧର୍ମଶାଳା ନୁହେଁ: ଶାହ
ନୂଆଦିଲ୍ଲୀ: ଲୋକସଭାରେ ପାରିତ ହୋଇଛି ‘ଇମିଗ୍ରେସନ୍ ଆଣ୍ଡ୍ ଫରେନର୍ସ ବିଲ୍ ୨୦୨୫’ । ଦେଶର ସ୍ୱାସ୍ଥ୍ୟ, ଶିକ୍ଷା, ଅର୍ଥନୀତି ଭଳି କ୍ଷେତ୍ରକୁ ଏହି ବିଲ୍ ମଜଭୁତ କରିବାରେ ଉତ୍ତମ ଭୂମିକା ଗ୍ରହଣ କରିବ । ଏହାସହ ଭାରତକୁ ପର୍ଯ୍ୟଟକ ହିସାବରେ ଯେଉଁମାନେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବାଣିଜ୍ୟ ପାଇଁ ଆସୁଛନ୍ତି ସେମାନଙ୍କୁ ସ୍ୱାଗତ । କିନ୍ତୁ ମନ୍ଦ ଉଦେ୍ଦଶ୍ୟ ରଖି ଯେଉଁମାନେ ଭାରତକୁ ଆସୁଛନ୍ତି, ତଥା ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ଅଙ୍ଗୁଳି ନିଦେ୍ର୍ଦଶ କରି ଚେତାବନୀ ଦେଉଛନ୍ତି ଦେଶରେ ସେମାନଙ୍କ ପ୍ରବେଶ ଉପରେ ନିଷେଧାଦେଶ ଲାଗିବ । କାରଣ ଭାରତ ଗୋଟିଏ ଧର୍ମଶାଳା ନୁହେଁ ଯେ, ଯିଏ ନାଇଁ ସିଏ ଆସି ଏଠି ରହିବ ଏବଂ ଧମକ ଦେଇ ଚାଲିଯିବ । ଆଜି ଲୋକସଭାରେ ‘ଇମିଗ୍ରେସନ୍ ଆଣ୍ଡ୍ ଫରେନର୍ସ ବିଲ୍ ୨୦୨୫’ ପାରିତ ହେବା ସମୟରେ ତୃଣମୂଳ କଂଗ୍ରେସକୁ ଟାର୍ଗେଟ୍ କରି ଏହା କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ବାଂଲାଦେଶ ଏବଂ ରୋହିଂଙ୍ଗ୍ୟାରୁ ଆସିଥିବା ଅନୁପ୍ରବେଶକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି କେନ୍ଦ୍ରକୁ ବାରମ୍ବାର ଦୋଷାରୋପ କରୁଥିବା ଟିଏମ୍ସି ସରକାରକୁ ଟାର୍ଗେଟ୍ କରି ଆଜି ଏହା କହିଛନ୍ତି ଅମିତ ଶାହ ।
କ’ଣ କହୁଛି ଇମିଗ୍ରେସନ୍ ବିଲ୍-
କୌଣସି ବିଦେଶୀ ନାଗରିକ ତଥା ପର୍ଯ୍ୟଟକ ନକଲି ପାସପୋର୍ଟ କିମ୍ବା ଭିସା ବଳରେ ଭାରତରେ ପ୍ରବେଶ କଲେ ସେମାନଙ୍କୁ ୭ବର୍ଷ ଜେଲ୍ ଦଣ୍ଡ ସହିତ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ନିଦେ୍ର୍ଦଶ ରହିଛି । ଏହାସହ ଅବୈଧ ପାସ୍ପୋର୍ଟ କିମ୍ବା ଭିସାରେ ଯଦି କେହି ପର୍ଯ୍ୟଟକ ଠାବ ହୁଅନ୍ତି ତେବେ ସେମାନଙ୍କୁ ୫ ବର୍ଷ ଜେଲ୍ଦଣ୍ଡ ସମେତ ୫ଲକ୍ଷ ପର୍ଯ୍ୟନ୍ତ ଜରିମାନା ପକାଇବାର ପ୍ରାବଧାନ ରହିଛି । ସେହିପରି ଦେଶର ଯେକୌଣସି ହୋଟେଲ୍, ୟୁନିଭର୍ସିଟି କିମ୍ବା ଅନ୍ୟ କୌଣସି ଶିକ୍ଷାନୁଷ୍ଠାନରେ ରହୁଥିବା ବିଦେଶୀ ପର୍ଯ୍ୟଟକ କେତେଦିନ ଭାରତରେ ରହିବେ ତା’ର ସବିଶେଷ ସୂଚନା ସରକାରଙ୍କ ନିକଟରେ ଉପସ୍ଥାପନା କରାଯିବ । ପାସପୋର୍ଟ (ଭାରତରେ ପ୍ରବେଶ ପାଇଁ) ଆକ୍ଟ ୧୯୨୦, ରେଜିଷ୍ଟ୍ରେସନ୍ ଅଫ୍ ଫରେନର୍ସ ଆକ୍ଟ ୧୯୩୯, ଦି ଫରେନର୍ ଆକ୍ଟ ୧୯୪୬ ଏବଂ ଇମିଗ୍ରେସନ୍ (କ୍ୟାରିୟର୍ସ ଲାୟାବିଲିଟିଜ୍) ଆକ୍ଟ ୨୦୦୦ ଆଦି ନିୟମକୁ ଭିତ୍ତି କରି ଏହି ବିଲ୍ ପ୍ରସ୍ତୁତ କରାଯାଇଛି ।