ଇଲେକଟ୍ରୋନିକ୍ସ ଉତ୍ପାଦ ୫ଶହ ବିଲିୟନ ଡଲାରରେ ପହଞ୍ଚବ: ଅଶ୍ୱିନୀ
ନୂଆଦିଲ୍ଲୀ : ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନା (ଇସିଏମଏସ) ଅଧୀନରେ ଆହୁରି ୧୭ଟି ପ୍ରସ୍ତାବକୁ ଅନୁମୋଦନ କରିଛି । ଏଥିରେ ପୂର୍ବରୁ ଘୋଷିତ ୫,୫୩୨ କୋଟି ଟଙ୍କା ପାଇଁ ସାତଟି ଆବେଦନର ଅନୁମୋଦନ ସାମିଲ ରହିଛି । ଏହି ଅନୁମୋଦିତ ପ୍ରକଳ୍ପଗୁଡ଼ିକ ସାରା ଦେଶରେ ମୋଟ ୭,୧୭୨ କୋଟି ଟଙ୍କା ନିବେଶ, ୬୫,୧୧୧ କୋଟି ଟଙ୍କାର ଉତ୍ପାଦନ ଏବଂ ୧୧,୮୦୮ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଅନୁମୋଦିତ ୟୁନିଟଗୁଡ଼ିକ ୯ଟି ରାଜ୍ୟ - ଗୋଆ, ଗୁଜରାଟ, ଜମ୍ମୁ ଓ କାଶ୍ମୀର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତର ପ୍ରଦେଶ ଏବଂ ଆନ୍ଧ୍ର ପ୍ରଦେଶରେ କାର୍ଯ୍ୟକାରୀ ହେବ ।
ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ପ୍ରକାରର ଉପାଦାନ ଏବଂ ସବ୍ ଆସେମ୍ବ୍ଲି ସାମିଲ ରହିଛ । ଏହି ଉପକରଣଗୁଡ଼ିକ ସ୍ମାର୍ଟଫୋନ୍, ଆଇଟି ହାର୍ଡୱେର, ୱେରେବଲ୍ସ, ଟେଲିକମ୍, ଇଭି, ଶିଳ୍ପ ଇଲେକ୍ଟ୍ରୋନିକ୍ସ, ପ୍ରତିରକ୍ଷା, ଚିକିତ୍ସା ଇଲେକ୍ଟ୍ରୋନିକ୍ସ ଏବଂ ଅକ୍ଷୟ ଶକ୍ତି ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିରେ ଉପଯୋଗ ହୋଇଥାଏ । ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଲୋକପାତ କରି କହିଥିଲେ, ଇସିଏମଏସ ଡିଭାଇସ୍ ଠାରୁ ଉପକରଣ ଏବଂ ସବ୍-ଆସେମ୍ବଲି ପର୍ଯ୍ୟନ୍ତ ମୂଲ୍ୟ ଶୃଙ୍ଖଳ ସମନ୍ୱୟର ପରବର୍ତ୍ତୀ ପର୍ଯ୍ୟାୟକୁ ଉଜାଗର କରୁଛି । ଏହାଦ୍ୱାରା ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ର ୨୦୩୦-୩୧ ସୁଦ୍ଧା ୫୦୦ ବିଲିୟନ ଡଲାରର ଉତ୍ପାଦନ ମୂଲ୍ୟରେ ପହଞ୍ଚିବ । ସେ ସାଇଏଣ୍ଟ ସେମିକଣ୍ଡକ୍ଟର୍ସ ପ୍ରାଇଭେଟ ଲିମିଟେଡ ଏବଂ ଆଜିମଥ୍ ଏଆଇ ଦ୍ୱାରା ମିଳିତ ଭାବରେ ବିକଶିତ ପ୍ରଥମ ପିଢିର ଶକ୍ତି ଦକ୍ଷ ଏଜ୍ ସିଲିକନ୍ ଚିପ୍ (ଏସଓସି) ଅର୍କ-ଜିକେଟି୧ ମଧ୍ୟ ଶୁଭାରମ୍ଭ କରିଥିଲେ ।