ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ : ୧ରୁ ଅନ୍ଲାଇନରେ ଟିକେଟ ବିକ୍ରି
- ଡିସେମ୍ବର ୩ ଓ ୪ରେ ଅନୁବନ୍ଧିତ ସଂସ୍ଥା ଓ କ୍ଲବକୁ ଟିକେଟ ବିକ୍ରି
- ଡିସେମ୍ବର ୫ରେ କାଉଣ୍ଟରରେ ଟିକେଟ ବିକ୍ରି
- ମୋଟ ୬ଟି କାଉଣ୍ଟରରେ ବିକ୍ରି ହେବ ଟିକେଟ
- କଟକ-ଇନ-କଟକରେ ହେବ ଫ୍ୟାନ ଗ୍ୟାଲେରୀ
- ବାଲିଯାତ୍ରା ତଳ ପଡ଼ିଆରେ ହେବ ଗାଡ଼ି ପାର୍କିଂ
- ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ
କଟକ : ପୁଣି ଥରେ କଂପିବ ବାରବାଟୀ । ଡିସେମ୍ବର ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ ଟି-୨୦ ମ୍ୟାଚ । ୨ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ସିରିଜର ଏହା ହେଉଛି ପ୍ରଥମ ମ୍ୟାଚ । ଏଥିପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ଯୋରଦାର ପ୍ରସ୍ତୁତି ଚାଲିଛି । ଟିକେଟ ବିକ୍ରି ନେଇ ଓସିଏ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି । ଡିସେମ୍ବର ୫ ତାରିଖରେ ସର୍ବସାଧାରଣଙ୍କ ପାଇଁ କାଉଣ୍ଟରରେ ଟିକେଟ ବିକ୍ରି କରାଯିବ ବୋଲି ଓସିଏ ସଂପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି । ଡିସେମ୍ବର ୧ ରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଜୋମାଟୋ ଦ୍ୱାରା ଅନଲାଇନରେ ଟିକେଟ ବିକ୍ରି ହେବ ।
ସେହିପରି ଡିସେମ୍ବର ୩ ଓ ୪ ତାରିଖରେ ଅନୁବନ୍ଧିତ ସଂସ୍ଥା ଓ କ୍ଲବମାନଙ୍କୁ ଅଫଲାଇନ ଜରିଆରେ ଷ୍ଟାଡ଼ିୟମ ପରିସରରେ ଟିକେଟ ବିକ୍ରି କରାଯିବ । ସେହିଭଳି ଡିସେମ୍ବର ୫ ତାରିଖରେ ସର୍ବସାଧାରଣଙ୍କ ପାଇଁ କାଉଁଟରରେ ଟିକେଟ ବିକ୍ରି କରାଯିବ ବୋଲି ଓସିଏ ସଂପାଦକ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ମୋଟ ୬ଟି ଟିକେଟ କାଉଣ୍ଟରରେ ଟିକେଟ ବିକ୍ରି ହେବ । ତେବେ କେତେ ସଂଖ୍ୟାରେ ଟିକେଟ ବିକ୍ରି ହେବ ତାହା ଏପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇନାହିଁ ବୋଲି, ଓସିଏ ସଂପାଦକ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ବାରବାଟୀ ଟି-୨୦ ମ୍ୟାଚ ପାଇଁ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଓସିଏ ସଂପାଦକଙ୍କ ସହ ଅନ୍ୟ କ୍ରୀଡ଼ା ସଂଗଠକ ଓ ବିଭିନ୍ନ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ । ଶୃଙ୍ଖଳିତ ଭାବେ ମ୍ୟାଚ ଆୟୋଜନ ପାଇଁ ବୈଠକରେ ଆଲୋଚନା ହୋଇଥିଲା । ତଳ ବାଲିଯାତ୍ରା ପଡ଼ିଆରେ ଗାଡ଼ି ପାର୍କିଂ କରାଯିବ । ମ୍ୟାଚ ସମୟରେ ଏକ ଗ୍ରୀନ କରିଡର ରଖାଯିବ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସସିବିରେ ୨୦ଟି ବେଡ଼ ପ୍ରସ୍ତୁତ ରଖାଯିବ । ଟିକେଟ ବିକ୍ରି ବେଳେ ଗହଳି ନହେବା ପାଇଁ ଲମ୍ବା ଧାଡ଼ି କରାଯିବ । କଟକ-ଇନ-କଟକରେ ଫ୍ୟାନ ଗ୍ୟାଲେରୀ ତିଆରି ହେବ । ଏ ନେଇ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ୨୦୨୫ମସିହାରେ ବାରବାଟୀରେ ଦ୍ୱିତୀୟଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳାଯିବ । ଏହା ପୂର୍ବରୁ ଚଳିତ ବର୍ଷ ଫେବୃଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ଏବେ ପୁଣି ଥରେ କ୍ରିକେଟ ପ୍ରେମୀ ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚର ମଜ୍ଜା ଉଠାଇବେ । ଏହି ଗ୍ରାଉଣ୍ଡରେ ଶେଷ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ୨୦୨୨ ଜୁନ ୧୨ ତାରିଖରେ ସେହି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳା ଯାଇଥିଲା । ଆଉ ସବୁଠୁ ମଜା କଥା, ବାରବାଟୀ ଷ୍ଟାଡ଼ିୟମରେ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ୨୦୧୫ ଅକ୍ଟୋବର ୫ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିଲା ।