ଇ-ଟେକ୍ ପକ୍ଷରୁ ମେଧାବୀଙ୍କୁ ସମ୍ବର୍ଦ୍ଧନା
ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠ ମଙ୍ଗଳପୁର ସ୍ଥିତ ଅଗ୍ରଣୀ ଘରୋଇ ଶିକ୍ଷାନୁଷ୍ଠାନ ଇ-ଟେକ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମେଧାବୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁରେଶ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ୭୧ଜଣ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ ହୋଇଥିଲେ । ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ବିଦ୍ୟାଳୟର ରେକର୍ଡ ସଂଖ୍ୟକ ୬୦ ଜଣ ଛାତ୍ରଛାତ୍ରୀ ୯୦%ରୁ ଊଦ୍ଧ୍ୱର୍ ନମ୍ବର ରଖି ଅନୁଷ୍ଠାନକୁ ଗୌରବାନ୍ୱିତ କରିଥିବାବେଳେ ସେମାନଙ୍କ ମଧ୍ୟରେ ରାଜ୍ୟର ଶ୍ରେଷ୍ଠ ୨୦ଜଣଙ୍କ ଭିତରୁ ଇ-ଟେକ୍ର ୧୪ ଜଣ ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି । ଏଥିସହିତ ଚଳିତ ବର୍ଷ ଇ-ଟେକ୍ର ୧୨୮ ଜଣ ଛାତ୍ରଛାତ୍ରୀ ଦଶମ ଠାରୁ +୨ ବିଜ୍ଞାନରେ ଅଧିକ ମାର୍କ ରଖି ଇ-ଟେକ୍ର ସମୟୋପଯୋଗୀ ଶିକ୍ଷା ପ୍ରଣାଳୀକୁ ପ୍ରମାଣିତ କରିଛନ୍ତି । ସେମାନଙ୍କ ମଧ୍ୟରୁ ୬୦ମାର୍କରୁ ଊର୍ଦ୍ଧ୍ୱ ମାର୍କ ରଖିଥିବା ପ୍ରଥମ ୧୦ଜଣଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ୬୦ଜଣ ୯୦%ରୁ ଊର୍ଦ୍ଧ୍ୱ ମାର୍କ ରଖିଥିବା ଏବଂ ମାଟ୍ରିକ୍ ଠାରୁ +୨ ବିଜ୍ଞାନରେ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଓ ସେମାନଙ୍କର ମାତା ପିତାଙ୍କୁ ଏବଂ ଅନୁଷ୍ଠାନର ଟପ୍ପର ଓ ରାଜ୍ୟରେ ୨ୟ ସ୍ଥାନ ହାସଲ କରିଥିବା ଛାତ୍ର ଆଶିଷ କୁମାର ସାହୁଙ୍କୁ ‘ବେଷ୍ଟ ଷ୍ଟୁହେଣ୍ଟ ଅଫ୍ ଇ-ଟେକ ସମ୍ମାନରେ ସମ୍ମାନିତ କରି ମାନପତ୍ର, ଉତ୍ତରୀୟ, ଟ୍ରଫି, ପୁଷ୍ପଗୁଚ୍ଛ ସହ ନଗଦ ଅର୍ଥ ରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଯୋରନ୍ଦା ମହିମା ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନର ଅଧ୍ୟାପକ ଜିତେନ୍ଦ୍ରୀୟ ଶତପଥୀ, ହିନେ୍ଦାଳ ରୋଡ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର ଅଧ୍ୟାପକ ମନୋଜ କୁମାର ରାଉତ, ଇଟେକ୍ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସାରଦା ପ୍ରସାଦ ମହାନ୍ତି, ଇଟେକ୍ର ଉପାଧ୍ୟକ୍ଷ ଅନିଲ କୁମାର ଗୋଚ୍ଛାୟତ, ଇଟେକ୍ର ସଂପାଦିକା ସାଗରବାଳା ହୋତା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ସମାରୋହରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ସମସ୍ତ କର୍ମଚାରୀଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଓଡିଆ ବିଭାଗର ଅଧ୍ୟାପକ ସୁରେଶ ମିଶ୍ର ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ଦେଇଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା ।