ଈଶ୍ୱରଙ୍କ ସହିତ ସଂଯୁକ୍ତି ହିଁ ଯୋଗ
ଈଶ୍ୱରଙ୍କ ସହିତ ସଂଯୁକ୍ତ ହେବା ହିଁ ଯୋଗ । ଏହା ଏକ ଆଧ୍ୟାତ୍ମିକ ବିଜ୍ଞାନ ଯାହା ଜୀବାତ୍ମା ଏବଂ ପରମାତ୍ମା ମିଳନର ଶିକ୍ଷା ପ୍ରଦାନ କରିଥାଏ । ଯୋଗର ଲକ୍ଷ୍ୟ ହେଉଛି - ମନୁଷ୍ୟକୁ ପ୍ରକୃତିର ଦାସତ୍ୱରୁ ମୁକ୍ତ କରି ତାକୁ ନିଜ ସ୍ୱରୂପର ସାକ୍ଷାତକାର କରାଇବା । ସ୍ୱାମୀ ଶିବାନନ୍ଦ ଲେଖିଛନ୍ତି - "ବ୍ରହ୍ମଦର୍ଶନ କରିବା ଓ ଈଶ୍ୱରଙ୍କ ମଧ୍ୟରେ ନିବାସ କରିବା ହେଉଛି ଯୋଗସାଧନାର ସାରକଥା ।' ଏବେ ଭାରତୀୟ ଯୋଗଦର୍ଶନ ଗିରିକନ୍ଦର ତଥା ପାହାଡ଼ ପର୍ବତର ଗୁମ୍ଫାରୁ ବାହାରି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଏହାର ଶକ୍ତି ସାମର୍ଥ୍ୟ ଏବଂ ଅଲୌକିକତା ଦ୍ୱାରା ସାଧାରଣ ଲୋକଙ୍କ ପରି ବୈଜ୍ଞାନିକଗଣ ମଧ୍ୟ ଆକର୍ଷିତ ହେଉଛନ୍ତି । ଏ ପର୍ଯ୍ୟନ୍ତ ସେମାନେ କେବଳ ଯୋଗର ସ୍ଥୂଳ ଉପଯୋଗିତା ସହିତ ପରିଚିତ । ଯେଉଁଦିନ ଏହାର ସମସ୍ତ ସୂକ୍ଷ୍ମ ଉପଯୋଗିତା ସହିତ ପରିଚିତ ହେବେ, ସେ ଦିନ ଆଧ୍ୟାତ୍ମିକ ବିଜ୍ଞାନ ଏବଂ ଆଧୁନିକ ବିଜ୍ଞାନ ଏ ଦୁଇ ବିଜ୍ଞାନର ମିଳିତ ସହଯୋଗରେ ଏକ ନୂତନ ବିଶ୍ୱର ଅଭୁ୍ୟଦୟ ହେବ, ଏକଥା ସୁନିଶ୍ଚିତ । ଏବେ ଏଇ ଯୋଗବିଜ୍ଞାନର ‘ରେକି’, ପ୍ରାଣିକ ‘ହିଲିଙ୍ଗ’ ଭଳି କେତୋଟି ପ୍ରଭାବଶାଳୀ ପଦ୍ଧତି ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଛି ।
କର୍ମଯୋଗ, ଜ୍ଞାନଯୋଗ, ଭକ୍ତିଯୋଗ, ଜପଯୋଗ, ରାଜଯୋଗ - ଏହି ଭଳି ଭାବେ ଯୋଗ ଅନେକ ପ୍ରକାର ଅଛି । ମହର୍ଷି ପତଞ୍ଜଳୀଙ୍କ ଯୋଗସୂତ୍ରରେ ରାଜଯୋଗ ସମ୍ବନ୍ଧରେ ପୂର୍ଣ୍ଣରୂପେ ତର୍ଜମା କରାଯାଇ ଯୋଗ ପଦ୍ଧତିକୁ ସୁବ୍ୟବସ୍ଥିତ ରୂପେ ବର୍ଣ୍ଣନା କରାଯାଇଛି ଏବଂ ସାଧକଙ୍କର ଅଗ୍ରଗତି ସମ୍ବନ୍ଧରେ ତାର ଆବଶ୍ୟକତା ପ୍ରତିପାଦିତ ହୋଇଛି । ରାଜଯୋଗ ହେଉଛି ବିଜ୍ଞାନ ସମ୍ମତ ଏବଂ ଦୃଢ଼ମନସ୍ତାତ୍ତ୍ୱିକ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ଏକ ସଂକ୍ଷିପ୍ତ ତଥା ପ୍ରତ୍ୟକ୍ଷ ମୌଳିକ ପ୍ରଣାଳୀ । ଏହା ଯମ, ନିୟମ ଆଦି ବହିରଙ୍ଗ ଯୋଗ (ଆସନ, ପ୍ରାଣାୟାମ, ପ୍ରତ୍ୟାହାର) ଏବଂ ଅନ୍ତରଙ୍ଗ ଯୋଗ (ଧାରଣା, ଧ୍ୟାନ, ସମାଧି) ରୂପେ କ୍ରମବଦ୍ଧ ହୋଇଛି ।
ମହର୍ଷି ପତଞ୍ଜଳୀଙ୍କ ମତରେ ଚିତ୍ତବୃତ୍ତିର ସଂଶୋଧନ ହେଉଛି ଯୋଗର ଉଦେ୍ଦଶ୍ୟ । ସେହିକଥାକୁ ଉପନିଷଦ ଭାଷାରେ ଉଲ୍ଲେଖ ରହିଛି "ପଶୁପ୍ରବୃତ୍ତିକୁ ପରିବର୍ତ୍ତନ କରି ଦିବ୍ୟ ଆସ୍ଥାର ସ୍ୱରୂପ ଦେବା ପ୍ରକ୍ରିୟାର ନାମ ଯୋଗ ।' ମହର୍ଷି ଅରବିନ୍ଦ ଲେଖିଛନ୍ତି - "ମନର ନିମ୍ନଗାମୀ ପ୍ରବୃତ୍ତିକୁ ଊଦ୍ଧ୍ୱର୍ଗାମୀ ଦିଗ ନିଦେ୍ର୍ଦଶ ଦେବା ଯୋଗର ଉଦେ୍ଦଶ୍ୟ ।' ସ୍ୱାମୀ ଶିବାନନ୍ଦ ଲେଖିଛନ୍ତି - "ପରମାତ୍ମାଙ୍କ ସହିତ ଯୋଗ ବା ମିଳନ ହିଁ ଜୀବନର ପରମ ଲକ୍ଷ୍ୟ । ଯୋଗ ସକଳ ଦୁଃଖକଷ୍ଟ ଏବଂ ସମସ୍ତ ଅଶାନ୍ତି ଦୂର କରେ । ଯୋଗ ଜନ୍ମମୃତୁ୍ୟ ରୂପକ ସଂସାର ଚକ୍ରରୁ ମୁକ୍ତି ଦିଏ । ଯୋଗଜ୍ଞାନ ମାଧ୍ୟମରେ ବିଭିନ୍ନ ସିଦ୍ଧି ଓ ମୁକ୍ତି ପ୍ରଦାନକାରୀ ଅମରତ୍ୱର ଅମୃତପାନ କରନ୍ତୁ ଏବଂ ଜଣେ ଯୋଗୀ ହୋଇଯାଆନ୍ତୁ ।
ସ୍ୱାମୀ ଶିବାନନ୍ଦ ଲେଖିଛନ୍ତି - ଯେଉଁମାନେ ହୃଦୟଙ୍ଗମ କରିଛନ୍ତି ଯେ, ସଂସାରର ବିଷୟସୁଖ କ୍ଷଣଭଙ୍ଗୁର, ଭ୍ରାନ୍ତ, ଅନ୍ତଃସାର ଶୂନ୍ୟ ଓ ଅସାର, କେବଳ ସେହିମାନେ ହିଁ ଯୋଗସାଧନା ପାଇଁ ଯୋଗ୍ୟ । ଯୋଗମାର୍ଗର ସାଧକ ନମ୍ର, ସାଧୁ, ସରଳ, ଭଦ୍ର, ଶିଷ୍ଟ, ସହନଶୀଳ, କାରୁଶଣିକ ଓ ଦୟାଳୁ ହେବା ଉଚିତ । ଧୈର୍ଯ୍ୟ, ଉତ୍ସାହ ଓ ଦୃଢ଼ ସଂକଳ୍ପବାଦ ବ୍ୟକ୍ତି ହିଁ ଏହି ମାର୍ଗରେ ଗତି କରିପାରନ୍ତି । ଯିଏ ନିଜର ଆରାମ ଓ ସୁଖକୁ ଉପେକ୍ଷା କରି ସର୍ବଦା ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ, ସେ ହେଉଛନ୍ତି ଆଧ୍ୟାତ୍ମମାର୍ଗର ଜଣେ ପ୍ରକୃତ ଉନ୍ନତ ସାଧକ । ଯେଉଁ ସାଧକଙ୍କ ଠାରେ ପରଦୋଷ ଦର୍ଶନ କରିବାର ଆଗ୍ରହ ଥାଏ, ଯେ ଦୁର୍ନୀତିପରାୟଣ ଓ ଅସଂଯତ, ସେ ସାଧନାରେ ଉନ୍ନତି କରିପାରନ୍ତି ନାହିଁ । ଯାହାଙ୍କର ଗୁରୁବାକ୍ୟ ଏବଂ ଶାସ୍ତ୍ରରେ ଶ୍ରଦ୍ଧା ଥାଏ ସେହି ହିଁ ଏଥିପାଇଁ ଅଧିକାରୀ ସାଧକ ।
ବର୍ତ୍ତମାନ ସର୍ବତ୍ର ଯୋଗ ପଦ୍ଧତିର ଆଲୋଚନା ହେଉଛି ଏବଂ ସେଥିରୁ ମିଳୁଥିବା ସ୍ଥୂଳଲାଭର ବିଶେଷ ବ୍ୟାଖ୍ୟା କରାଯାଉଛି । ଯୋଗ ବିଷୟରେ କହିବାବାଲା ଲୋକ ଏବଂ ଶୁଣିବା ବାଲା ଲୋକ କମ ନାହାନ୍ତି । ଅନେକ ବ୍ୟକ୍ତି ଯୋଗର ଆଦ୍ୟ ବର୍ଣ୍ଣମାଳା ନଜାଣି ଧ୍ୟାନ, ସମାଧି, ଚକ୍ରସାଧନ, କୁଣ୍ଡଳିନୀ ଜାଗରଣ ଆଦି କ୍ରିୟାରେ ହଠାତ୍ ହାତ ଦେଇଦେଉଛନ୍ତି । ଧ୍ୟାନ ହେଉଛି ଯୋଗସାଧନାର ସପ୍ତମ ସୋପାନ । ସେ ସୋପାନରେ ପହଞ୍ଚôବା ପୂର୍ବରୁ ସାଧକ ମୂଳରେ ଥିବା ଛଅଟି ପ୍ରାଥମିକ ସୋପାନ ଅତିକ୍ରମ କରିବା ଆବଶ୍ୟକ । ମହର୍ଷି ପତଞ୍ଜଳୀ ଏଥିପାଇଁ ପ୍ରଥମେ ଯମ ନିୟମ ଭଳି ଦୁଇଟି ସୋପାନ ରଖିଛନ୍ତି । ଯମ ନିୟମ ପରେ ଆସନ, ମୁଦ୍ରା, ବନ୍ଧ, ପ୍ରାଣାୟାମ, ତାପରେ କାହିଁ କେତେ ଦୂରରେ ଯାଇ ଧ୍ୟାନ, ସମାଧି, କୁଣ୍ଡଳିନୀ ଜାଗରଣର କଥା । ଯୋଗ, ପ୍ରାଣାୟମ, ଆସନ ବା ବିଭିନ୍ନ ଆଧ୍ୟାତ୍ମିକ ଚେତନାର ଅନ୍ୟତମ ଶ୍ରେଷ୍ଠ ଅବସ୍ଥା ହେଉଛି ଧ୍ୟାନ । ଏ କଥା ସହଜରେ ବୁଝାଯାଏ ଯେ, ସମସ୍ତଙ୍କୁ ଧ୍ୟାନ କରିବାର ଆବଶ୍ୟକତା ନଥାଏ । ପ୍ରତ୍ୟେକଙ୍କର ନିଜସ୍ୱ ଧାରା ରହିଥାଏ - କେହି କେହି ଭକ୍ତି ଦ୍ୱାରା, କେହି କେହି ସଙ୍ଗୀତ ମାଧ୍ୟମରେ, ଅନ୍ୟ କେହି ଶାସ୍ତ୍ର ଅଧ୍ୟୟନ ଦ୍ୱାରା ଅନ୍ୟ କେହି ନିଷ୍କାମ କର୍ମ ଦ୍ୱାରା ପଥଗୁଡ଼ିକ ଅନେକ । ଯେଉଁମାନଙ୍କର ପାଇଁ ଭଗବତ ଅନ୍ୱେଷଣ ପାଇଁ ଧ୍ୟାନ ସହାୟକ ହୋଇଥାଏ ସେମାନେ ଏହି କଥାଟି ନିଶ୍ଚିନ୍ତ ରୂପେ ଜାଣି ରଖିବା ଉଚିତ ଯେ, ଧ୍ୟାନ ନିଜ ଲକ୍ଷ୍ୟ ନୁହେଁ, ତେଣୁ ଘଣ୍ଟା ଘଣ୍ଟା କାଳ ଧରି ବସିବା ଏହି ଉଦେ୍ଦଶ୍ୟ ପାଇଁ ଯଥାର୍ଥ ନୁହେଁ ଧ୍ୟାନର ଗୁଣବତ୍ତା ବାସ୍ତବିକ ଗୁରୁତ୍ୱପୂର୍ଣ୍ଣ କଥା ଅଟେ । ଯେଉଁମାନଙ୍କର ପଥ ଧ୍ୟାନ ମାଧ୍ୟମ ଦେଇଯିବାକୁ ହୋଇଥାଏ ଅଥବା ଅତିକମ୍ରେ ଏହା ତାଙ୍କ ସାଧନାର ଏକ ମୁଖ୍ୟ ଅଙ୍ଗ ହୋଇଥାଏ, ଏହାର ଗୁରୁତ୍ୱପୂର୍ଣ୍ଣ ଅଟେ ଯେ ସେମାନେ ନିୟମିତ ଭାବେ ଧ୍ୟାନରେ ବସିବା ଉଚିତ । ଆଜିକାଲି ଯୋଗ ନାମରେ ଏମିତି ଅନେକ ଭ୍ରାନ୍ତି ପ୍ରଚଳିତ । ସେ ଭ୍ରାନ୍ତିରୁ ମୁକ୍ତ ହେବା କେବଳ ଆବଶ୍ୟକ ନୁହେଁ, ବରଂ ଅନିବାର୍ଯ୍ୟ । ଯୋଗ ଏକ ମହତ୍ତ୍ୱପୂର୍ଣ୍ଣ ବିଦ୍ୟା ଏବଂ ସାଧନା । ଏହାର ବାସ୍ତବ ରୂପକୁ ଜାଣି ଯୋଗ୍ୟ ସଦଗୁରୁଙ୍କ ମାର୍ଗଦର୍ଶନ ସାହାଯ୍ୟରେ ଅଭ୍ୟାସ କଲେ ଯେକୌଣସି ବ୍ୟକ୍ତି ସାଧାରଣ ଅବସ୍ଥାରୁ ଅସାଧାରଣ ହୋଇପାରେ ।
ଇ-ମେଲ : ହବଗ୍ଦବଗ୍ଦଙ୍ଗସଦ୍ଭସକ୍ଟ୍ରବଗ୍ଧଗ୍ଧବଦ୍ଭବସଳ୭୮ଅଶଜ୍ଞବସକ୍ଷ.ମକ୍ଟଜ୍ଞ