ଉପ ନିର୍ବାଚନରେ ବୁଲିଲା ଝାଡ଼ୁ ଲୁଧିଆନା, ଗୁଜୁରାଟରେ ଆପ୍ ବିଜୟୀ


 ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ବିଜେପି ସରକାର ଗଠନ ପରେ ମୁହଁ ତୋଡ଼ ଦେଖାଉଥିଲା ବିଜେପି । ଯେଉଁଠି ବିଜେପି ନାହିଁ ସେଠାରେ ପଦ୍ମ ଫୁଟିବ ବୋଲି ଆଶା ବାନ୍ଧିଥିଲେ ଦଳର ବରିଷ୍ଠ । ହେଲେ ଆଜି ପଞ୍ଜାବ, ଗୁଜରାଟ ଓ ପଶ୍ଚିମବଙ୍ଗରେ ପ୍ରକାଶିତ ଉପ ନିର୍ବାଚନ ଫଳାଫଳ ବିଜେପିର ଆଶା ଗଣିତକୁ ପୂରା ଭୁଲ୍ ପ୍ରମାଣିତ କରିଛି ।  ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ହାରିବା ପରେ ଦଳର ରାଜନୈତିକ ଭବିଷ୍ୟତ ନେଇ ପ୍ରଶ୍ନ ଉଠିଥିଲା । ହେଲେ ଆଜି ଗୁଜରାଟର ବିସାବଦାର ଓ ପଞ୍ଜାବର ଲୁଧିଆନା ୱେଷ୍ଟରେ ଦଳର ଜିତାପଟ ଦଳକୁ ନୂଆ ଭରସା ଦେଇଛି ।
ପଞ୍ଜାବର ଲୁଧିଆନା ୱେଷ୍ଟରେ ଆପ୍ ପ୍ରାର୍ଥୀଙ୍କ ବିଜୟ ଦଳ ପାଇଁ ଆଶାର କିରଣ  ହୋଇଛି । ଏଠାରେ ଦଳର ଶୀର୍ଷ ନେତା ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ଏବଂ ଆତିଶୀ ପ୍ରାର୍ଥୀ ସଞ୍ଜୀବ ଅରୋରାଙ୍କ ପାଇଁ ବ୍ୟାପକ ପ୍ରଚାର କରିଥିଲେ । ପୂର୍ବତନ ରାଜ୍ୟସଭା ସାଂସଦ ଏବଂ ଶିଳ୍ପପତି ସଞ୍ଜୀବ ଆରୋରା ଏଠାରୁ ୧୦,୦୦୦ରୁ ବି ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ଏହି ଆସନରେ ଆପ୍ ପଛକୁ କଂଗ୍ରେସର ଭାରତ ଭୂଷଣ ଆଶୁ ଦ୍ୱତୀୟ ସ୍ଥାନରେ ଥିବା ବେଳେ ତୃତୀୟରେ ଥିଲେ ବିଜେପିର ଜୀବନ ଗୁପ୍ତା । ଜାନୁଆରୀରେ ଆପ ବିଧାୟକ ଗୁରପ୍ରୀତ ଗୋଗୀଙ୍କ ଆତ୍ମହତ୍ୟା ପରେ ଏହି ଆସନ ଖାଲି ପଡ଼ିଥିଲା । ସୂଚନା ଥାଉକି ୧୯୭୭ରେ ଏହି ଆସନରେ ଭୋଟ ହେବା ପର ଠାରୁ କଂଗ୍ରେସ ଏଠାରୁ ୬ ଥର ଜିତିଛି । ସେହିପରି ପଞ୍ଜାବର ଆଞ୍ଚଳିକ ଦଳ ଶିରୋମଣି ଅକାଳୀ ଦଳ (ବାଦଲ) ୨ ଜିତିଛି ।
ଅପରପକ୍ଷେ ଗୁଜରାଟରେ ଆପ୍ ଆଜି ବିଜୟର ନୂଆ ଧ୍ୱଜ ଉଡ଼ାଇଛି । ଆପର ପୂର୍ବତନ ରାଜ୍ୟ ସଭାପତି ଗୋପାଳ ଇଟାଲିଆ ବିସାବାଦରର ଆସନରେ ପୂର୍ବତନ ବିଜେପି ଜିଲ୍ଲା ସଭାପତି କିରିଟ ପଟେଲଙ୍କୁ ପରାସ୍ତ କରିଛନ୍ତି । ଇଟାଲିଆ ୭୫,୯୪୨ ଭୋଟ ପାଇଥିବା କିରିଟିଙ୍କୁ ୧୭,୦୦୦ରୁ ଅଧିକ ଭୋଟ ବ୍ୟବଧାନରେ ହରାଇଛନ୍ତି । ୨୦୦୭ରୁ ବିଜେପି ଏହି ଆସନରେ ବିଜୟୀ ହୋଇପାରୁ ନାହିଁ । ତକôାଳୀନ ଆପ ବିଧାୟକ ଭୂପେନ୍ଦ୍ର ଭୟାନୀ ଇସ୍ତଫା ଦେଇ ବିଜେପିରେ ଯୋଗଦେବା ପରେ ୨୦୨୩ରୁ ଏହି ଆସନ ଖାଲି ପଡ଼ିଥିଲା । ସେପଟେ କିନ୍ତୁ ଗୁଜରାଟର କଡ଼ିରେ ବିଜେପିର ରାଜେନ୍ଦ୍ର ଚାଭଦା ୩୯,୦୦୦ରୁ ଅଧିକ ଭୋଟ୍ ପାଇ ବିଜେପିର ମାନ ରଖିଛନ୍ତି । ବିଜେପି ବିଧାୟକ କରସନ ସୋଲାଙ୍କିଙ୍କ ମୃତୁ୍ୟ ପରେ ଫେବୃଆରୀ ମାସରୁ ଏହି ଆସନଟି ଖାଲି ପଡ଼ିଥିଲା । 
ସେପଟେ ପଶ୍ଚିମବଙ୍ଗରେ କାଳୀଗଞ୍ଜ ନିର୍ବାଚନମଣ୍ଡଳୀରେ ଶାସକ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ଆଲିଫା ଅହମ୍ମଦ ୪୯,୦୦୦ ରୁ ଅଧିକ ଭୋଟ ବ୍ୟବଧାନରେ ବିପୁଳ ବିଜୟ ହାସଲ କରିଛନ୍ତି । ଫେବୃଆରୀରେ ଆଲିଫାଙ୍କ ପିତା ଏବଂ ତୃଣମୂଳ କଂଗ୍ରେସ ବିଧାୟକ ନାସିରୁଦ୍ଦିନ ଅହମ୍ମଦଙ୍କ ମୃତୁ୍ୟ ଯୋଗୁ ଏହି ଆସନ ଖାଲି ପଡିଥିଲା ।