ଉମରକୋଟ ଚିକିତ୍ସାଳୟରେ ତାତିଲେ ଆଶାକର୍ମୀ : ଡାକ୍ତର ବଦଳି ବନ୍ଦ କର, ନହେଲେ ଉଠିବୁନି
ଉମରକୋଟ : ମେଡିକାଲ୍ରେ ଡାକ୍ତର ଓ ବିଶେଷଜ୍ଞଙ୍କ ଘୋର ଅଭାବ । ଆଉ ଯେଉଁ କେତେଜଣ ଅଛନ୍ତି ତାଙ୍କୁ ବଦଳି କରାଯାଇଥିବାରୁ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଏଭଳି କିଛି ସମସ୍ୟା ଲାଗି ରହିଛି । ଏଭଳି ପରିସ୍ଥିତିରେ ଏଠାରୁ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତରଙ୍କ ବଦଳିକୁ ନେଇ ଘୋର ଜନ ଅସନ୍ତୋଷ ପରିଲକ୍ଷିତ ହୋଇଛି । ଡାକ୍ତରଙ୍କ ବଦଳି ପ୍ରତିବାଦରେ ଚିକିତ୍ସାଳୟ ସମ୍ମୁଖରେ ଶତାଧିକ ଆଶାକର୍ମୀ ଓ ସ୍ଥାନୀୟ ବାସିନ୍ଦା ଧାରଣାରେ ବସିଛନ୍ତି । ସମ୍ପୃକ୍ତ ଡାକ୍ତରଙ୍କୁ ପୁନଃ ଅବସ୍ଥାପିତ ନ କଲେ ଆଗାମୀ ଦିନରେ ରାଜରାସ୍ତା ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ଉପରେ ପ୍ରାୟ ୫ଟି ବ୍ଲକ୍ ଓ ମୁନ୍ସିପାଲିଟିର ପ୍ରାୟ ୪ ଲକ୍ଷରୁ ଉର୍ଦ୍ଧ ଲୋକେ ଚିକିତ୍ସା ପାଇଁ ନିର୍ଭରଶୀଳ । ମଙ୍ଗଳବାର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡକ୍ଟର ସୁମନ୍ତ ରାଉଳଙ୍କୁ ଜିଲାପାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି କରିଥିଲେ ଏବଂ ଡକ୍ଟର ସୁମନ୍ତ ରାଉଳ ବଦଳିର ଚିଠି ପାଇବା ପରେ ଜିଲ୍ଲା ଚିକିତ୍ସାଳୟ ଠାରେ ଯୋଗ ଦେଇଥିବା ସୂଚନା ମିଳିଛି । ଉପଖଣ୍ଡ ଚିକିତ୍ସାଳୟକୁ ପ୍ରତିଦିନ ୧୦୦ ଗର୍ଭବତୀ ମହିଳା ଚିକିତ୍ସା ପାଇଁ ଆସିଥାନ୍ତି ଏବଂ ପ୍ରାୟ ୧୫ରୁ ୨୦ ପ୍ରସୂତୀ ମହିଳା ଚିକିତ୍ସା ହୋଇଥାନ୍ତି । ସେହିଭଳି ହାରାହାରି ପ୍ରତିଦିନ ପ୍ରାୟ ୫୦ ମହିଳା ଅଲଟ୍ରସାଉଣ୍ଡ କରିଥାନ୍ତି ଏବଂ ପ୍ରତି ମାସରେ ପ୍ରାୟ ୬୦ ରୁ ୭୦ ଜଣ ମହିଳା ଅସ୍ତ୍ରୋପଚାର ଜରିଆରେ ପ୍ରସୂତି ହୋଇଥାନ୍ତି । ଏହିଭଳି ସ୍ଥିତିରେ ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କୁ ଉପଖଣ୍ଡ ଚିକିତ୍ସାଳୟରୁ ବଦଳି କରି ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା କେତେଦୂର ଯୁକ୍ତି ଯୁକ୍ତ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା । ଆଜି ପ୍ରାୟ ୧୨ ଘଣ୍ଟିକା ଠାରୁ ବ୍ଲକ୍ର ଶତାଧିକ ଆଶା କର୍ମୀ ଓ ସ୍ଥାନୀୟ ବାସିନ୍ଦା ଡକ୍ଟର ରାଉଳଙ୍କୁ ଫେରାଇ ଆଣିବାକୁ ଚିକିତ୍ସାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ତେବେ ବୁଧବାର ଦିନ ଡକ୍ଟର ରାଉଳଙ୍କ ଅନୁପସ୍ଥିତିରେ ଉପଖଣ୍ଡ ଚିକିତ୍ସାଳୟ ରୁ ପ୍ରାୟ ୬ ପ୍ରସୂତୀଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।