ଏଇ ସେପ୍ଟେମ୍ବରରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ!
ଭୁବନେଶ୍ୱର: ଏଇ ମାସରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ । ନିଗମ ଅଧ୍ୟକ୍ଷ ନିଯୁକ୍ତି ବି ଦିଆଯିବ । ସିଧାସିଧା ନକହିଥିଲେବି ଏମିତି କିଛି ସଂକେତ ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର ।
ସେ କହିଛନ୍ତିଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୭ରେ ଓଡ଼ିଶା ଆସୁଛନ୍ତି । ଯେତେବେଳେ ପ୍ରଧାନମନ୍ତ୍ରୀ ଆସନ୍ତି ସେତେବେଳେ କିଛି ବଡ଼ ହୋଇଥାଏ । ଏ ମାସରେ ବହୁତ କିଛି ବଡ଼ ଘଟଣା ଘଟିବ ବୋଲି ତୋମାର କହିଛନ୍ତି । ସାମ୍ବାଦିକମାନେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ନିଗମ ନିଯୁକ୍ତି ପ୍ରସଙ୍ଗରେ ପ୍ରତିକ୍ରିୟା ଲୋଡ଼ିବା ବେଳେ ତୋମାର ଏମିତି ସଂକେତ ଦେଇଥିଲେ ।
ସୂଚନାଯୋଗ୍ୟଯେ, ସରକାରଙ୍କୁ ଇତିମଧ୍ୟରେ ୧୬ ମାସ ପୂରି ଯାଇଥିବାବେଳେ ସରକାରରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୬ ମନ୍ତ୍ରୀ ଅଛନ୍ତି । ସାଧାରଣତଃ ୨୨ ମନ୍ତ୍ରୀ ସରକାରରେ ରହିପାରିବେ । ଆଉ ୬ ମନ୍ତ୍ରୀ ନିଯୁକ୍ତି ହୋଇପାରିନାହିଁ । ସେହିପରି ନିଗମ ଅଧ୍ୟକ୍ଷ ପଦବୀ ବି ଖାଲି ପଡ଼ିଛି । ମନମୋହନ ସାମଲ ପୁନଃ ସଭାପତି ନିଯୁକ୍ତ ହେବା ପରେ ଏନେଇ ଦିଲ୍ଲୀରେ ବିଚାରବିମର୍ଷ ହୋଇଛି । ଚଳିତ ମାସରେ ଉଭୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମନମୋହନ ସାମଲ ଘନଘନ ଦିଲ୍ଲୀ ଗସ୍ତରେ ଯାଇଥିଲେ । ସେହିପରି ସାଂଗଠନିକ ସମ୍ପାଦକ ମାନସ ମହାନ୍ତି ବି ଦିଲ୍ଳୀ ଯାଇ ଆଲୋଚନା କରିଥିଲେ । ବରିଷ୍ଠ ବିଜେପି ନେତାଙ୍କ ସହ ସେମାନଙ୍କର ରୁଦ୍ଧଦ୍ୱାର ଆଲୋଚନାକୁ ନେଇ ବିଜେପି ଅଳିନ୍ଦ ସରଗରମ ହୋଇଯାଇଛି । ସେହିପରି ଦୀର୍ଘଦିନ ଧରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରୁନଥିବାରୁ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ମୁହଁ ବି ଶୁଖିଯାଉଛି ।
ମିଳିଥିବା ସୂଚନା ଅନୁଯାୟୀ, ଆପାତତଃ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣର ରୂପରେଖ ପ୍ରସ୍ତୁତି ସରିଛି । ନିଗମ ଅଧ୍ୟକ୍ଷଙ୍କ ତାଲିକା ବି ପ୍ରସ୍ତୁତ ହୋଇସାରିଛି । ଗ୍ରହଣ ସପ୍ତାହ ପାଇଁ ଏହା କୁଆଡ଼େ ଅଟକିଥିବା କୁହାଯାଉଛି । ଗ୍ରହଣ ସପ୍ତାହ ପରେ ଏନେଇ ଘୋଷଣା କରାଯିବ ବୋଲି ଜାଣିବାକୁ ମିଳିଛି । ତେବେ ୧୮ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ସେପ୍ଟେମ୍ବର ୨୫ରେ ଅଧିବେଶନ ସରିବ । ସମ୍ଭବତଃ ମୋଦିଙ୍କ ଗସ୍ତ ପୂର୍ବରୁ ସବୁକିଛି ଘୋଷଣା ହେବବୋଲି ଅନୁମାନ କରାଯାଉଛି । ନୂଆ ଜାତୀୟ ବିଜେପି ସଭାପତି ଚୟନ ବି ଘୁଞ୍ଚôଘୁଞ୍ଚô ଚାଲିଛି । ନୂଆ ସଭାପତି ଘୋଷଣା ବି ଦୁଇ ସପ୍ତାହ ଭିତରେ ହେବବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଆରଏସଏସ ଓ ବିଜେପି ମଧ୍ୟରେ ଏବେ ସବୁକିଛି ଠିକ୍ଠାକ୍ ଚାଲିଛି ।