ଏକକୁ ଆରେକ ଭିନ୍ନ
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ କରିବା ସଂସାରରେ ସବୁ ମଣିଷ ନିଜସ୍ୱ ଗୁଣ, ପ୍ରକୃତି ଓ ପ୍ରବୃତ୍ତିକୁ ନେଇ କେମିତି ଏକକୁ ଆରେକ ଭିନ୍ନ, ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ପ୍ରତ୍ୟେକ ମଣିଷର କିଛି କିଛି ନିଜସ୍ୱ ଗୁଣ ଏବଂ ପ୍ରକୃତି ରହିଛି । କାହାରି କିଛି ଗୁଣ ସମସ୍ତଙ୍କ ସହିତ ସମାନ ଥିବା ବେଳେ ଆଉ କିଛି ଗୁଣ କାହାରି ସହିତ ମିଶେ ନାହିଁ । ସେଇଟା ହେଉଛି ସମ୍ପୂର୍ଣ୍ଣ ବ୍ୟକ୍ତିଗତ । ଏହି ବ୍ୟକ୍ତିଗତ ଗୁଣ ହିଁ ବ୍ୟକ୍ତିକୁ ଅନ୍ୟ ଠାରୁ ଭିନ୍ନ କରିଥାଏ । ପ୍ରତ୍ୟେକ ବ୍ୟକ୍ତି ନିଜର ଭିନ୍ନତା ନେଇ ନିଜର ପରିଚୟ ସୃଷ୍ଟି କରିଥାନ୍ତି । କେହି କାହାରି ସ୍ୱାତନ୍ତ୍ର୍ୟକୁ ଅନୁକରଣ କରିପାରିବେ ନାହିଁ କିମ୍ବା ଅନୁକରଣ କରି କେହି କାହା ସହିତ ସମାନ ହୋଇପାରିବେ ନାହିଁ । ମଞ୍ଚ କଳାକାରମାନେ ନିଜସ୍ୱ ସଂଳାପ ଓ ସ୍ୱରକୁ ନେଇ ନିଜର ପରିଚୟ ସୃଷ୍ଟି କରିଥାନ୍ତି । ଠିକ୍ ସେହିପରି ସମ୍ବାଦ ପାଠକ, ସିନେମା କଳାକାର ଆଦି ସମସ୍ତେ ନିଜ ନିଜ ସ୍ୱର ଓ ଶୈଳୀରେ ସ୍ୱତନ୍ତ୍ର । ଏହି ସ୍ୱତନ୍ତ୍ର ଗୁଣକୁ କେହି ଭଲପାଇବ କି ନପାଇବ ସେସବୁକୁ କେହି ଖାତିର୍ କରନ୍ତି ନାହିଁ । ଲୋକେ ଭଲ ପାଆନ୍ତୁ କି ନ ପାଆନ୍ତୁ ବ୍ୟକ୍ତିର ସ୍ୱାତନ୍ତ୍ର୍ୟ ତା'ର ପରିଚିତି ସୃଷ୍ଟି କରିଥାଏ । ସାରା ଜୀବନ ଏହି ପରିଚିତି ନେଇ ବ୍ୟକ୍ତି ସମାଜରେ ଚଳେ । ଭଲ ହେଉ କିମ୍ବା ମନ୍ଦ ହେଉ ନିଜର ସ୍ୱତନ୍ତ୍ର ପରିଚିତି ସବୁବେଳେ ସ୍ୱତନ୍ତ୍ର । ଏପରିକି ଏକ ଖରାପ ଗୁଣ ବୋଲି ବ୍ୟକ୍ତି ନିଜେ ଜାଣୁଥିଲେ ମଧ୍ୟ ସେହି ଖରାପ ଗୁଣ ବ୍ୟକ୍ତିର ନିଜସ୍ୱ ଏବଂ ତାର ପରିଚୟ । ମୃତୁ୍ୟ ପର୍ଯ୍ୟନ୍ତ ଏହା ହିଁ ବ୍ୟକ୍ତିର ପରିଚୟ ଭାବରେ ଚିହ୍ନିତ ହୋଇ ରହେ ।
ଉଦାହରଣ ଭାବେ ନିଅନ୍ତୁ ଜଣେ ବ୍ୟକ୍ତି ଖୁବ୍ ଶୀଘ୍ର ଶୀଘ୍ର କଥା କହୁଛନ୍ତି । ଏହି ଶୀଘ୍ର ଶୀଘ୍ର କଥା କହିବା ସେହି ବ୍ୟକ୍ତିଙ୍କର ସ୍ୱାତନ୍ତ୍ର୍ୟ । ସେ ଚାହିଁଲେ ବି ନିଜର ଏହି ଗୁଣଟିକୁ ବଦଳାଇ ଦେଇପାରିବେ ନାହିଁ । ଅନ୍ୟ କାହାକୁ ଅନୁକରଣ କରି ନିଜର ନିଜତ୍ୱ ବା ନିଜସ୍ୱ ପ୍ରବୃତ୍ତିକୁ ପରିବର୍ତ୍ତନ କରିପାରିବେ ନାହିଁ । ଆଉ କିଛି ପ୍ରବୃତ୍ତି ଏବଂ ବ୍ୟବହାର ରହିଛି ଯାହାକି ପରିବର୍ତ୍ତନଶୀଳ । ଜଣେ ଧୀରେ ଧୀରେ ଟାଇପ୍ କରୁଛି । ସେ ଅଭ୍ୟାସ କରି ନିଜର ଟାଇପ୍ର ବେଗକୁ ତୀବ୍ର ଗତିରେ ପରିବର୍ତ୍ତନ କରିପାରିବ । ତେଣୁ କିଛି ପ୍ରବୃତ୍ତିକୁ ଅଭ୍ୟାସ ଦ୍ୱାରା ବଦଳା ଯାଇପାରିବ, ମାତ୍ର ନିଜର ସ୍ୱାତନ୍ତ୍ର୍ୟ ଏବଂ ସ୍ୱତନ୍ତ୍ର ପ୍ରବୃତ୍ତି ବ୍ୟକ୍ତିର ପରିଚୟ ଏବଂ ତାହା କେବେ ବଦଳେ ନାହିଁ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।