ସେଭ୍ ଗଙ୍ଗୁଆ
ଭୁବନେଶ୍ୱର ରାଜଧାନୀ ହୋଇନଥିବା ସମୟରେ ଏଠାରେ ପାଞ୍ଚଟି ଚରିସ୍ରୋତା ନାଳ ବା ନଦୀର ଧାରା ପ୍ରବାହିତ ହେଉଥିଲା । ସେଥିମଧ୍ୟରୁ ଗୋଟିଏ ହେଉଛି ଗନ୍ଧବତୀ । ପରବର୍ତ୍ତୀ ସମୟରେ ଅପ୍ରଭଂଶ ହୋଇ ଏହା ଗଙ୍ଗୁଆରେ ପରିବର୍ତ୍ତିତ ହୋଇଛି । ଏହି ଗନ୍ଧବତୀ ନଦୀ ଏକଦା ଖାରବେଳଙ୍କ ରାଜଧାନୀ ଶିଶୁପାଳଗଡ଼ର ଜୀବନରେଖା ଥିଲା । ଏହାର ଜଳଧାରରେ ରାଜଧାନୀ ଶିଶୁପାଳଗଡର ଅଧିବାସୀମାନେ ନିର୍ଭର କରି ଚଳୁଥିଲେ । ଧୀରେ ଧୀରେ ଏକାମ୍ର କ୍ଷେତ୍ରରେ ଅନେକ ଶିବ ମନ୍ଦିର ନିର୍ମାଣ ହେଲା । ଜୈନ ଖାରବେଳଙ୍କର କୃତି କେବଳ ଖଣ୍ଡଗିରିରେ ଗୁମ୍ଫା ଗୁଡ଼ିକରେ ସୀମିତ ହୋଇ ରହିଗଲା । ପରେ ୧୯୪୮ ମସିହାରେ ଅପ୍ରେଲ ୧୩ ତାରିଖ ଦିନ ଓଡ଼ିଶାର ନୂଆ ରାଜଧାନୀ ଭାବରେ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ଶିଳାନ୍ୟାସ କରିଲେ । ସେତେବେଳେ ଏହା ଥିଲା ଏକ ଯୋଜନାବଦ୍ଧ ସହର । ୪୦ ହଜାର ଲୋକଙ୍କର ବସବାସକୁ ଦୃଷ୍ଟିରେ ରଖି ରାଜଧାନୀ ନିର୍ମାଣ କରାଗଲା । ରାଜଧାନୀ ନିର୍ମାଣ ସମୟରେ ଏଠାକାର ଜନସଂଖ୍ୟା ୧୦ ହଜାରରୁ ବି କମ୍ ଥିଲା । ପରବର୍ତ୍ତୀ ସମୟରେ ଦେଶର ଏକ ଐତିହ୍ୟପୂର୍ଣ୍ଣ ସହର ଭାବରେ ଭୁବନେଶ୍ୱର ଗଢ଼ି ଉଠିଲା ଏବଂ ୧୯୯୯ର ମହାବାତ୍ୟା ପରେ ଭୁବନେଶ୍ୱରର ପ୍ରକୃତ ସମୃଦ୍ଧି ଆରମ୍ଭ ହେଲା । ଜନସଂଖ୍ୟା ବୃଦ୍ଧି, ସରକାରୀ ଜାଗାରେ ବସ୍ତି ଗଢ଼ି ଉଠିବା, କୋଠାବାଡ଼ି ସଂଖ୍ୟା ବଢ଼ିବା, ଏଥିସହିତ ଡ୍ରେନେଜ୍ ଏବଂ ସ୍ୱେରେଜ୍ ବ୍ୟବସ୍ଥାରେ ସମସ୍ୟା ସୃଷ୍ଟି ହେବା ଆଦି କାରଣରୁ ପବିତ୍ର ଗନ୍ଧବତୀ କ୍ରମେ ଗଙ୍ଗୁଆ ନାଳରେ ପରିଣତ ହୋଇଗଲା । ଏବେ ଗଙ୍ଗୁଆ ନାଳ ହେଉଛି ରାଜ୍ୟର ସର୍ବାଧିକ ଦୂଷିତ ଏକ ଡ୍ରେନ୍ । ଏହାକୁ ପରିଷ୍କାର କରିବା ପାଇଁ ଯେତେ ଚେଷ୍ଟା କରାଗଲେ ମଧ୍ୟ ସମ୍ଭବ ହେଉନାହିଁ । କାରଣ ବଡ଼ ବଡ଼ ଜନବସତିର ସ୍ୱେରେଜ୍ ପାଣି ବର୍ତ୍ତମାନ ଏହି ଗଙ୍ଗୁଆ ନାଳରେ ପଡ଼ିଛି । କେବଳ ସେତିକି ନୁହେଁ ଗଙ୍ଗୁଆ ନାଳର ପାଣି ଦୟା ନଦୀରେ ମିଶିବା ପରେ ଦୟା ନଦୀରେ ମଧ୍ୟ କୌଣସି ମାଛ ବଞ୍ଚୁନାହାନ୍ତି ।
ତେବେ ବର୍ତ୍ତମାନ ଗଙ୍ଗୁଆ ନାଳକୁ ବିଶୁଦ୍ଧ କରିବା ପାଇଁ କିଛି ସ୍ୱେଚ୍ଛାସେବୀ ଅଣ୍ଟା ଭିଡ଼ିଛନ୍ତି । ହେଲେ ଜନସଂଖ୍ୟା ବୃଦ୍ଧିକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଯେତିକି ଅଞ୍ଚଳର ସ୍ୱେରେଜ୍ ପାଣି ଏହି ନାଳରେ ପ୍ରବାହିତ ହେଉଛି ତାକୁ ଅନ୍ୟ କିଭଳି ଭାବରେ ପରିଚାଳନା କରାଯିବ ସେ ସମ୍ପର୍କରେ ଯୋଜନା ତିଆରି ନକରିବା ପର୍ଯ୍ୟନ୍ତ ଗଙ୍ଗୁଆର ଜଳକୁ ବିଶୁଦ୍ଧ କରିବା ସମ୍ଭବ ନୁହେଁ ।
କିମ୍ବଦନ୍ତୀରେ ଏହାଥିଲା ଏକ ପୁଣ୍ୟତୋୟା ଗଙ୍ଗା । ମାତ୍ର ୨୫-୩୦ ବର୍ଷ ଭିତରେ ଏହି ନଦୀ ଏକ ନାଳରେ ପରିଣତ ହୋଇଯିବା ଏବଂ ଏହାର ଜଳ ଗୋଡ଼ ବୁଡେଇବା ଯୋଗ୍ୟ ନହେବା ଅତ୍ୟନ୍ତ ପରିତାପର ବିଷୟ । ଏକଥା ସତ୍ୟ ଯେ ବର୍ତ୍ତମାନ ପ୍ରତ୍ୟେକ ସହରାଞ୍ଚଳରେ ଦୂଷିତ ଜଳର ନିଷ୍କାସନ ପାଇଁ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ଯୋଜନା ଆରମ୍ଭ କରାଯାଇଛି । ଅଥଚ ଏହି ଯୋଜନା ୩୦ ବର୍ଷ ପୂର୍ବରୁ ଆରମ୍ଭ କରିଥିଲେ ହୁଏତ ଆଜି ଏ ସମସ୍ୟା ସୃଷ୍ଟି ହୋଇନଥାନ୍ତା । ବର୍ତ୍ତମାନ ପରିସ୍ଥିତି ଯାହା ହେଲାଣି କେବଳ ଗଙ୍ଗୁଆ ନାଳ ନୁହେଁ, ସବୁ ସହରାଞ୍ଚଳରେ ଗୋଟିଏ ଗୋଟିଏ ଗଙ୍ଗୁଆ ନାଳ ସୃଷ୍ଟି ହେଲାଣି । ଏହାର ସୁରକ୍ଷା ପାଇଁ ଯେତେ ଯାହ କରିଲେ ବି ଏଠାରେ ପଡୁଥିବା ସ୍ୱରେଜ୍ ପାଣିକୁ ଅନ୍ୟ କୌଣସି ଏକ କେନାଲ୍ ଯୋଗେ ସମୁଦ୍ରରେ ନେଇ ପକାଇବାର ଆବଶ୍ୟକତା ଅଛି । କାରଣ ସ୍ୱେରେଜ୍ ପାଣି ହିଁ ବର୍ତ୍ତମାନ ରାଜ୍ୟର ସବୁ ନଦୀକୁ ଦୂଷିତ କରିସାରିଲାଣି । ଗଙ୍ଗୁଆ ନାଳକୁ ଏକ କେନାଲ୍ ଭାବରେ ଖୋଳାଯାଇ କଟକ ତାଳଦଣ୍ଡା କେନାଲ୍ ଭଳି ସିଧାସଳଖ ସମୁଦ୍ରରେ ପକାଇବାର ବ୍ୟବସ୍ଥା କରାଗଲେ ଅନେକ ସହରାଞ୍ଚଳର ପରିମଳଜନିତ ସମସ୍ୟା ଅନେକାଂଶରେ ଦୂର ହୋଇପାରିବ ।