ଏକଲା ଏକଲା ଏକ୍ : ଦୁସରା ଦୁନିଆ ଦେଖ
ମାୟାଧର ନାୟକ : ଯଦି ନିଷ୍ପତ୍ତି ନେଲ ମଣିଷ ଜନ୍ମ ପାଇ ଏ ସଂସାରରେ କିଛି ଅସାଧ୍ୟ ସାଧନ କରିଯିବି - ଯେତେ କଷ୍ଟ ପଡୁ, ଯେତେ ଦୁଃଖ ଆସୁ, ଯେତେ ବିରୋଧ ହଉ, ଏପରିକି ଅକାଳରେ ମୃତ୍ୟୁ ମଧ୍ୟ ହେଇଯାଉ, ମରିବା ପର୍ଯ୍ୟନ୍ତ ଲକ୍ଷ୍ୟପଥରୁ ବିଚ୍ୟୁତ ହେବିନାହିଁ - ଯଦି କେହି ମତେ ସମର୍ଥନ, ସହଯୋଗ ନଦିଅନ୍ତି, ଏକଲା ଚଲାବାଟୋଇଟେ ପରି ଏକା ଏକା ଚାଲିବି ନିଶ୍ଚୟ, ତା’ହେଲେ ତୁମର ସେହି ନିଛାଟିଆ ନିଆରା ଚଲାବାଟରେ ତମରି ଭଳି ଭେଟିପାରିବ ଆଉ କେଇଜଣଙ୍କ୍ୁ ବି । ‘ଆମେ କେତେଜଣ ଜୀବନକୁ ପାଣି ଛଡେଇ ନଦେଲେ ଚଳିବ କି ? ମୁକ୍ତିସଂଗ୍ରାମର ମହାନ୍କବି ବାଂଛାନିଧି ମହାନ୍ତିଙ୍କର ଏହି ସ୍ଫୁଲିଙ୍ଗବର୍ଷୀ ପଦ ମନେପଡେ – ଯେଉଁ ପଦରେ କି ବରାବର ବିପ୍ଳବର ବନ୍ଧୁର ପଥରେ ମାତ୍ର ଅଳ୍ପ କେତେଜଣ ଅଙ୍ଗୀକାରବଦ୍ଧ ହୋଇ ଏକାଏକା ଚାଲୁଚାଲୁ ଅବଶେଷରେ ମିଶିଯାଇ ସମଧର୍ମୀ ଗୋଟିଏ ବିରଳ ବାହିନୀକୁ ଏ ଦୁନିଆର ପଥଯାତ୍ରା ମଧ୍ୟରେ ଚିହ୍ନଟ କରାଇଦେଇଥାଆନ୍ତି । ସେମାନଙ୍କୁ ପ୍ରଥମେ ଟାହିଟାପରା କରୁଥିବା ସମକାଳର ସମାଜକୁ, ଇତିହାସର ପରିହାସରେ ଅପଦସ୍ତ କରାଇଦେଇ ଶେଷକୁ ମୁଣ୍ଡରେ ମୁଣ୍ଡେଇ ଆଉ କାନ୍ଧରେ କାନ୍ଧେଇ ଗର୍ବଗୌରବର ଗାଥା ଗାଇଥାଏ ଭାବୀକାଳର ସମାଜ - ଅର୍ଥାତ୍ ଉତ୍ତରପିଢି । ଏହି ଦୃଷ୍ଟିରୁ ଏକଲା ଏକଲା ଯେତେବେଳେ ହୋଇଯିବେ ଏକ୍, ଇତିହାସ ସେତେବେେଳେ ସମସ୍ତଙ୍କୁ ଡାକି ଦିନେ କହିଦେବ : ଦୁସ୍ରା ଦୁନିଆ ଦେଖ୍ ! ବିଶ୍ୱକବି ରବୀନ୍ଦ୍ରନାଥ କହିଥିଲେ : ଯଦି କୋଇ ସାଥ୍ ନାଆସେ, ତବେ ଏକଲା ଚଲୋ... ଏକଲା ଚଲୋ... ଏକଲା ଚଲୋ... । ମହାନ୍ ବିପ୍ଳବୀ କବି କାଜି ନଜରୁଲ ଇସଲାମ୍ ଗାଇଛନ୍ତି - “ମହାବିଦ୍ରୋହୀ ରଣକ୍ଳାନ୍ତ / ମୁଁ ସେହି ଦିନ ହେବି ଶାନ୍ତ, ଯେବେ ନିଷ୍ପେଷିତର କ୍ରନ୍ଦନଧ୍ୱନି / ଆକାଶେ ବତାସେ ଧ୍ୱନିବନି, ଯେବେ ଅତ୍ୟାଚାରୀର ଖଡ୍ଗ କୃପାଣ / ଭୀମରଣଭୂମେ ରଣିବନି ।”
ଯେଉଁମାନେ ସମାଜବ୍ୟବସ୍ଥା, ପରିସ୍ଥିତି, ପରିବେଶକୁ ବଦଳାଇବାକୁ ଚାହାଁନ୍ତି, ସେମାନେ ସଂଖ୍ୟାରେ ଶହ ଶହ, ହଜାର ହଜାର, ଲକ୍ଷ ଲକ୍ଷ, କୋଟି କୋଟି ନୁହଁନ୍ତି । ଅଳ୍ପ ଲୋକ, ଏପରିକି ଜଣେ ଜଣେ ମହାମାନବ ଏ ସମାଜକୁ ବଦଳାଇବାର ନଜିର ରହିଛି । ଉଦାହରଣ ଦେଲେ ବହୁ ମହମନୀଷୀଙ୍କ ଉଦାହରଣ ଦିଆଯାଇପାରେ, କିନ୍ତୁ ଏଠାରେ ଜଣେ ଜଣେ ସାଧାରଣ ଲୋକ କିଭଳି ଅସାଧ୍ୟ ସାଧନ କରିଛନ୍ତି, ତାହା ହିଁ ଆମର ପ୍ରଣିଧାନର ବିଷୟ - ଯାହା ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ପର୍ବତ ମଣିଷ ଦଶରଥ ମାନ୍ଝୀଙ୍କ କଥା ଉଣା-ଅଧିକେ ଜାଣନ୍ତି; ଯିଏ ଗୋଟିଏ ହାତୁଡି ଓ ନିହାଣ ଦ୍ୱାରା ବିଶାଳ ପର୍ବତ ଦେହକୁ ଖୋଳି ତିରିଶ ଫୁଟ୍ ଚଉଡା ଏବଂ ୩୬୦ ଫୁଟ୍ ଲମ୍ବର ରାସ୍ତା ତିଆରି କରିଥିଲେ । ତାଙ୍କ ଉଦ୍ୟମର ସଫଳତା ସ୍ୱରୂପ ବିହାରର ଦୁଇଟି ବ୍ଲକ୍ ଅଟ୍ରି ଓ ୱାଜିରଗଞ୍ଜ ମଧ୍ୟରେ ଦୀର୍ଘ ପଂଚାବନ କିଲୋମିଟର୍ ଦୂରତାର ରାସ୍ତା ପନ୍ଦର କିଲୋମିଟରକୁ କମିଆସିଛି । ଏହି ସତ ମଣିଷଙ୍କ ଜୀବନକାହାଣୀକୁ ନେଇ ପରବର୍ତ୍ତୀ ସମୟରେ ଚଳଚ୍ଚିତ୍ର ନିର୍ମିତ ହୋଇଛି ଏବଂ ସଂକଳ୍ପ-ସାଧନା-ଅଧ୍ୟବସାୟର ଏକ ଐତିହାସିକ ଚରିତ୍ର ପାଲଟିଛନ୍ତି‘ମାନ୍ଝୀ’ ।
ମାନ୍ଝୀଙ୍କ ଅନୁରୂପ ବ୍ୟକ୍ତିତ୍ୱର ନିଦର୍ଶନ ପାଲଟିଥିବା ଆଉଜଣେ ହେଲେ ଲଦାଖ୍ର ପଂଚସ୍ତରି ବର୍ଷ ବୟସ୍କ ସୁଲଟ୍ରିମ୍ ଚଞ୍ଜୋର । ନିଜସ୍ୱ ଶ୍ରମ ଓ ସମ୍ବଳ ବିନିଯୋଗରେ ସେ ଅଠତିରିଶ କିଲୋମିଟର୍ ଲମ୍ବର ରାସ୍ତା ତିଆରି କରିଛନ୍ତି । ଜମ୍ମୁ-କଶ୍ମୀର ଇଲାକାର ଶିଙ୍କୁଲା ଘାଟି ଅଂଚଳରେ ଥିବା ରାମକୋକ୍ ଠାରୁ କାର୍ଗ୍ୟାକ୍ ଗାଁ ପର୍ଯ୍ୟନ୍ତ ଏହି ରାସ୍ତା ଲମ୍ବିଛି । ଏ ବାବଦରେ ଖର୍ଚ୍ଚ କରିଛନ୍ତି ସତାବନ ଲକ୍ଷ ଟଙ୍କା । ଏତେ ବିପୁଳ ପରିମାଣର ଅର୍ଥଯୋଗାଡ ପାଇଁ ସେ ନିଜର ସମସ୍ତପୈତୃକ ସଂପତି ଅକାତରରେ ବିକ୍ରି କରିଦେଇଛନ୍ତି ଏବଂ ଜୀବନକାଳ ମଧ୍ୟରେ ସଂଚିଥିବା ସବୁ ଅର୍ଥକୁ ରାସ୍ତା ତିଆରି କାମରେ ଲଗାଇଛନ୍ତି । ସମୁଦ୍ର ପତନଠାରୁ ପ୍ରାୟ ତିନି ହଜାର ପାଂଚ ଶହ ମିଟର୍ ଉଚ୍ଚତାରେ ଏହି ଅଂଚଳ ଅବସ୍ଥିତ । ସବୁଠାରୁ ବଡ଼଼ କଥାହେଉଛି, କାର୍ଗିଲ ସେକ୍ଟରରେ ପହଂଚିବା ଲାଗି ଏହି ରାସ୍ତାଟି ଏବେ ମନାଲି-ଲେହ ରାଜପଥର ଏକ ବିକଳ୍ପହୋଇପାରିବ ଏବଂ କମ୍ ସମୟରେ ପହଂଚିହେବ । ଲଦାଖ୍ର ‘ମାନ୍ଝୀ’ ଭାବେ ପରିଚିତ ଚଞ୍ଜୋର, ରାଜ୍ୟ ହସ୍ତଶିଳ୍ପ ବିଭାଗର ଜଣେ କର୍ମଚାରୀ ଥିଲେ । ମୁଖ୍ୟ ରାସ୍ତା ଠାରୁ ନିଜ ଅଂଚଳଟି ବିଚ୍ଛିନ୍ନ ଥିଲା । ବାରମ୍ବାର ନିବେଦନ ସତ୍ତେ୍ୱ ସୀମାରେ ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ସଂସ୍ଥା କିଂବା ଅଧିକାରୀ କୌଣସି ପଦକ୍ଷେପ ନ ନେବାରୁ ନିଜେ ଅଂଟା ଭିଡିଥିଲେ ।ଗୋଟିଏ ଜେସିବିମେସିନ୍ ଓ ପାଂଚଟି ଗଧ ସହିତ କାମ ଆରମ୍ଭ କରିଥିଲେ ୨୦୧୩ରେ । ଏହି ଦୀର୍ଘ ପଥର ନିର୍ମାଣ ପାଇଁ ତାଙ୍କୁ ତିନି ବର୍ଷ ସମୟ ଲାଗିଥିବା ଜଣାଯାଏ । ଚଞ୍ଜୋରଙ୍କ ସାଧୁ ଉଦ୍ୟମ ଓ ସଫଳତା ଏବେ ଦେଶବ୍ୟାପୀ ଚର୍ଚ୍ଚାରେ । ଏଇ ଆମ ଓଡିଶାରେ କେନ୍ଦୁଝର ଜିଲ୍ଲା ଦୈତାରୀ ପର୍ବତ ପଛପଟ ତେଲକୋଇ ଅଂଚଳର ଦୈତାରୀ ନାୟକଙ୍କ ଜମିକୁ ଜଳ ଆସୁନଥିଲା । ପାହାଡରୁ ପାଣି ଗଡି ଜମି ନଷ୍ଟ କରୁଥିଲା । ଯେହେତୁ ଦୈତାରୀ ଅଂଚଳ ପାହାଡିଆ, ଜଳସେଚନର ସୁବିଧା ନଥିଲା । ସରକାରଙ୍କୁ ଯେତେ ଗୁହାରି କଲେ ବି କେହି ଶୁଣୁନଥିଲେ । ସେ ଜମି ପାଖ ଛୋଟଛୋଟ ପାହାଡ କାଟି ସମତଳ କରିଦେଲେ । ହିଡର ହାଡରେ ରକ୍ତର ଶିଆର କାଟି ଫଳେଇଲ ସୁନାର ଫସଲ । ଏବେ ସେଇ ଦୈତାରୀ ନାୟକଙ୍କୁ କେନ୍ଦ୍ର ସରକାର ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି ।
ଚୀନ୍ ଦେଶରେ ଏକ ପାହାଡିଆ ଅଂଚଳ । ପାହାଡତଳିରେ ଏକ ବିରାଟ ଗାଁ । ବର୍ଷା ଦିନେ ପାହାଡରୁ ପାଣି ଖସି ଗାଁର ଘରଦ୍ୱାର ନଷ୍ଟ କରିଦିଏ, ଫସଲ ମଧ୍ୟ ଧୋଇନିଏ । ଏ ଘଟଣା ପ୍ରତିବର୍ଷ ଘଟେ । ଏହାଛଡ଼ା ସେ ଅଂଚଳ ଲୋକ ବାହାରକୁ ଯାଇ ଘରଦ୍ୱାର ତୋଳି ରହିବେ, ଜମିବାଡି ଚାଷବାସ କରି ଫସଲ ଫଳାଇ ଜୀବନ ବଂଚାଇବେ, ଏଭଳି କିଛି ସୁବିଧା ନଥିଲା । ପ୍ରତିବର୍ଷ ଦୁଃଖକଷ୍ଟରେ ସେ ଗାଁର ଲୋକ ଜୀବନ ବିତାଉଥିଲେ । ଅତି ଉକ୍ରଟ ଅଭାବ ଅନଟନ ହେତୁ ସେମାନେ ଭାଙ୍ଗିପଡୁଥିଲେ ।ଗ୍ରାମବାସୀମାନେ ଏକାଠି ହୋଇ ଏଇ ବିପଦରୁ ରକ୍ଷା ପାଇବା ପାଇଁ ବହୁ ଚିନ୍ତାଭାବନା କରୁଥିଲେ, କିନ୍ତୁ କୌଣସି ଉପାୟ ବାହାରୁ ନଥିଲା । ବର୍ଷ ବର୍ଷ ଏଇଭଳି ଗଡି ଚାଲୁଥିଲା । ଥରେ ଗ୍ରାମବାସୀଙ୍କ ସଭାରେ ଜଣେ ବୁଢା ପ୍ରସ୍ତାବ ଦେଲା –ଚାଲ, ଆମେ ସମସ୍ତେ ଗାଁ ମୁଣ୍ଡ ଉପରେ ଥିବା ପାହାଡକୁ କାଟି ସମତଳ କରିଦେବା । ଘରଭଙ୍ଗାରୁ ବି ରକ୍ଷା ପାଇବା, ଫସଲ ବି ଆମଦାନି କରିପାରିବା । ବୁଢାର ପ୍ରସ୍ତାବକୁ ଅସମ୍ଭବ କହି ସମସ୍ତେ ବାଏଁ ବାଏଁ ଉଡେଇଦେଲେ । ବୁଢା କିନ୍ତୁ ସେଦିନ ଘରେ ଆସି ତା ପରିବାରକୁ ବସାଇ କହିଲା ତୁମେମାନେ ମତେ ସହଯୋଗ କର । ଗ୍ରାମବାସୀମାନେ ମୋ କଥାକୁ ହସରେ ଉଡାଇଦେଲେ । ଚାଲ ଆମେ ଆମ ଘର ପାଖ ପାହାଡଟାକୁ କାଟିବା ଆରମ୍ଭ କରିବା । ବୁଢା କଥାକୁ ମଧ୍ୟ ପରିବାର ଲୋକ ହସରେ ଉଡାଇଦେଲେ । ବୁଢା କିନ୍ତୁ ନଛୋଡବନ୍ଧା । ରାତିସାରା ଶୋଇପାରିଲାନାହିଁ । ମନେ ମନେ ଦୃଢ ନିଷ୍ପତ୍ତି ନେଲା ସୂର୍ଯ୍ୟୋଦୟରୁ ସେ ତା’ର ପଥରଭଙ୍ଗା ଅଭିଯାନ ଆରମ୍ଭ କରିବ । କଅଁଳ ସକାଳ, ବୁଢା ପାହାଡ କାଟିବା କାମ ଆରମ୍ଭ କରିଦେଲା । ଭୋରୁ ଭୋରୁ ଠକ୍ଠାକ୍ ଶବ୍ଦ ଶୁଣାଗଲା । ସେତେବେଳକୁ ଲୋକ ନିଦରୁ ଉଠିନଥାନ୍ତି । ବୁଢାର ପାହାଡକଟା ଠକ୍ଠକ୍ ଶବ୍ଦରେ ଉଠିଲେ । ବୁଢାର ଏମନ୍ତ କାର୍ଯ୍ୟ ଦେଖି ଲୋକ ହସିଲେ ଏବଂ କହିଲେ : ବୁଢାଟା ପାଗଳ, ବୋକାଟା । ଏକା ଏକା ଏହି ପାହାଡଟାକୁ କାଟୁଛି।
ଦିନେ, ଦୁଇଦିନ ଏଭଳି ଚାଲିଲା ପରେ ବୁଢା ସହିତ ତା’ ଝିଅବୋହୂମାନେ ଯୋଗ ଦେଲେ । ପୁଅମାନେ ପ୍ରଥମେ ପ୍ରଥମେ ହସୁଥାଆନ୍ତି ସିନା, ହେଲେ ନାତିନାତୁଣୀମାନେ ଯେତେବେଳେ ଯୋଗ ଦେଲେ, ବାଧ୍ୟ ହୋଇ ପୁଅମାନେ ମଧ୍ୟ ଯୋଗ ଦେଲେ । ଏମନ୍ତ ଦୃଶ୍ୟ ଦେଖି ଗାଁର ଲୋକମାନେ, ପାଠୁଆମାନେ, ନିଜକୁ ବିରାଟ ଭାବୁଥିବା ଲୋକମାନେ ହସିଲେ, ତାତ୍ସଲ୍ୟ କଲେ, ବୋକା ବୁଢା ବୋଲି କହି ନିନ୍ଦା କଲେ । ବୁଢା ନିନ୍ଦା, ଅପମାନକୁ ବେଖାତିର କରି ପାହାଡ କାଟି ଚାଲିଲା । ଧୀରେଧୀରେ ପାହାଡ କଟି କଟି ସମତଳ ହେବାରେ ଲାଗିଲା । ପ୍ରାୟ ବର୍ଷାଦିନ ପୂର୍ବରୁ ବୁଢାର ଘରଜମି ଆଗରେ ପାହାଡ କାଟି ସମତଳ ହେଇଗଲା । ଜମିକୁ ହିଡ ଦେଇ ପାହାଡରୁ ଗଡୁଥିବା ପାଣିକୁ କେନାଲୀକରଣ କରିଦେଲା ସେ । ଆସିଲା ବର୍ଷାଦିନ! ମୁଷଳଧାରାରେ ବର୍ଷା ! ସେଇ ପ୍ରତିବର୍ଷ ଭଳି ପାହାଡରୁ ବର୍ଷାପାଣି ଗଡି ଅନ୍ୟମାନଙ୍କ ଘର, ଦ୍ୱାର, ଫସଲ ନଷ୍ଟ କରିବାରେ ଲାଗିଲା । କିନ୍ତୁ ବୁଢାର ଘର ସୁରକ୍ଷିତ, ଜମି ମଧ୍ୟ ସୁରକ୍ଷିତ, ବରଂ ପାହାଡରୁ ଝରୁଥିବା ପାଣି ଜମିରେ ମଡାଇଲା । ଏମନ୍ତ ଦୃଶ୍ୟ ଦେଖି ଗ୍ରାମବାସୀମାନଙ୍କ ମଗଜରେ ବୁଦ୍ଧି ପଶିଲା । ବୁଢା କଥା ଶହେକୁ ଶହେ ସତ । ଶେଷକୁ ବୁଢାର ନେତୃତ୍ୱରେ ଗ୍ରାମବାସୀମାନେ ପାହାଡ କାଟିବା ଆରମ୍ଭ କରିଦେଲେ । ବର୍ଷକ ଭିତରେ ପାହାଡ ସଫା, ସମତଳ ଭୂମି, ସବୁ ଘର ସୁରକ୍ଷିତ, ଫସଲ ସୁରକ୍ଷିତ, ବର୍ଷରେ ତିନି ଫସଲି, ଖାଦ୍ୟ ଭରପୂର, ଗ୍ରାମବାସୀଙ୍କ ମୁହଁରେ ହସ ଫୁଟି ଉଠିଲା । ଏ ଖବର ଚାଇନା ଦେଶର କୋଣ ଅନୁକୋଣରେ ଖେଳିଗଲା । ଏପରିକି ଦେଶବିଦେଶରେ ପହଂଚିଲା । ତେଣୁ ଏକ୍ଲା ଏକ୍ଲା ଏକ୍ : ଦୁସ୍ରା ଦୁନିଆ ଦେଖ୍! ବୋକାବୁଢା ସମସ୍ତଙ୍କୁ ଏଇ ଦୁସ୍ରା ଦୁନିଆ ଅର୍ଥାତ୍ ନୂଆ ଦୁନିଆ ଦେଖେଇଦେଲା ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩