ଏକାଠି ହେଲେ ଉଦ୍ଧବ ଓ ରାଜ୍


 ମୁମ୍ବାଇ: ୧୮ ବର୍ଷ ପରେ ଏକାଠି ହୋଇଛନ୍ତି ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍ରେ ଓ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍ ଠାକରେ  । ଯାହା ଏବେ ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଦେଇଛି  । ଦୁଇ ଭାଇଙ୍କ ଏହି ମିଳନ ମହାରାଷ୍ଟ୍ର ରାଜନୀତିର ଗଣିତ ବଦଳାଇଦେବ ବୋଲି ଚର୍ଚ୍ଚା ବି ଆରମ୍ଭ ହୋଇଗଲାଣି  ।
ଏନେଇ ଉଦ୍ଧବ ଠାକରେ କହିଛନ୍ତିଯେ, ଏବେ ଆମେ ଏକାଠି ରହିବାକୁ ଏକାଠି ହୋଇଛୁ  । ମରାଠୀକୁ ସୁରକ୍ଷା ଦେବା ପାଇଁ ଆମେ ଏକାଠି କାମ କରିବୁ  । ଏହା ଏକ ଆରମ୍ଭ ବୋଲି ସେ କହିଛନ୍ତି  । ସେହିପରି ରାଜ୍ ଠାକରେ କହିଛନ୍ତିଯେ, ବାଲାସାହେବ ଠାକରେ ଯାହା କରିପାରିନଥିଲେ ତାହା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ କରିଛନ୍ତି  । ମୋତେ ଓ ଉଦ୍ଧବଙ୍କୁ ସେ ଏକାଠି କରିଛନ୍ତି ବୋଲି କହିଛନ୍ତି  । ଆଗାମୀ ଦିନରେ ମହାରାଷ୍ଟ୍ରରେ ୨୯ଟି ମହାନଗର ନିଗମର ନିର୍ବାଚନ ହେବ  । ମୁଁ ଓ ରାଜ ଠାକରେ ମିଶି ମୁମ୍ବାଇର ପୌର ନିର୍ବାଚନରେ କ୍ଷମତା ହାସଲ କରିବୁ ବୋଲି ଉଦ୍ଧବ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି  । 
ମହାରାଷ୍ଟ୍ର ସରକାର ହିନ୍ଦୀକୁ ବାଧ୍ୟତାମୂଳକ ତୃତୀୟ ଭାଷା ବୋଲି ଘୋଷଣା କରିବା ପରେ ରାଜ୍ ଓ ଉଦ୍ଧବ ତାହାର କଡ଼ା ବିରୋଧ କରିଥିଲେ  । ଏଇଠାରୁ ହିଁ ଉଭୟ ଏକାଠି ହେବାକୁ ଯୋଜନା କରିଥିଲେ  । ଅନେକ ସଂଗଠନ ସହ ଏହି ଦୁଇ ଭାଇ ବିରୋଧ ଓ ପ୍ରତିବାଦ ଜାରି ରଖିବାରୁ ମହାରାଷ୍ଟ୍ର ସରକାର ନିଷ୍ପତ୍ତିକୁ ବଦଳାଇବାକୁ ବାଧ୍ୟ ହୋଇଥିଲେ  । ତେଣୁ ଏକ ବିଜୟ ଉତ୍ସବ ପାଳନ ପାଇଁ ଯୋଜନା କରାଯାଇଥିଲା  । ବର୍ଲିରେ ଦୁଇ ଦଳ ପକ୍ଷରୁ ଏକ ବଡ଼ ଶୋଭାଯାତ୍ରା କରାଯାଇଥିଲା  । ହଜାର ହଜାର ସ୍ଥାନୀୟ ଲୋକ, ଲେଖକ, କବି ଓ ଦଳୀୟ ସମର୍ଥକମାନେ ଯୋଗଦେଇଥିଲେ  । ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତିର ନୂଆ ଅଙ୍କକଷା ଆରମ୍ଭ ହୋଇଯାଇଛି  ।