ଏକ ଅଖଣ୍ଡ ଭାରତର ସ୍ୱପ୍ନ

ଡ.ଅମୂଲ୍ୟ କୁମାର ପଣ୍ଡା : ଆୟତନ ଓ ଜନସଂଖ୍ୟା ଦୃଷ୍ଟିରୁ ଭାରତକୁ ସାଧାରଣତଃ ଏକ ଉପମହାଦେଶ ବୋଲି କୁହାଯାଏ । ପୃଥିବୀର ବୃହତ୍ତମ ମହାଦେଶ ଏସିଆର ଦକ୍ଷିଣାଂଶର କେନ୍ଦ୍ରସ୍ଥଳୀରେ ଭାରତବର୍ଷ ଅବସ୍ଥିତ । ଭାରତର ଉତ୍ତରରେ ସୁଦୀର୍ଘ ହିମାଳୟ ପର୍ବତଶ୍ରେଣୀ ଦୁର୍ଭେଦ୍ୟ ପ୍ରାଚୀର ସଦୃଶ ଦଣ୍ଡାୟମାନ । ତାହା ଭାରତବର୍ଷକୁ ଏସିଆ ମହାଦେଶର ଅନ୍ୟ ଅନ୍ୟ ଅଞ୍ଚଳମାନଙ୍କରୁ ପ୍ରାୟ ବିଛିନ୍ନ କରି ରଖିଛି । ଉତ୍ତର-ପଶ୍ଚିମରେ ସୁଲେମାନ ଓ ହିନ୍ଦୁକୁସ ପର୍ବତମାଳା ଅବସ୍ଥିତ । ଏହା ଭାରତ ଉପମହାଦେଶକୁ ରୁଷିଆ, ଆଫଗାନିସ୍ଥାନ ଓ ଇରାନଠାରୁ ପୃଥକ୍‌ କରିଅଛି । ଇତିହାସ ସହିତ ଭୂଗୋଳ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଭୌଗୋଳିକ ଅବସ୍ଥିତି ଓ ପ୍ରାକୃତିକ ଗଠନ ଭାରତର ଇତିହାସର ଗତି ନିର୍ଦ୍ଧାରଣ କରିଅଛି । ହିମାଳୟ ପର୍ବତ ଏକ ପ୍ରାଚୀର ସଦୃଶ । ଏହାର ଦୁର୍ଗମ ଗିରିପଥ ଅତିକ୍ରମ କରିବା କଷ୍ଟସାଧ୍ୟ । ଗିରିପଥଗୁଡ଼ିକ ବର୍ଷର ଅଧିକାଂଶ ସମୟ ତୁଷାରାଚ୍ଛନ୍ନ ରହେ । ତେଣୁ ହିମାଳୟ ପର୍ବତ ଅତିକ୍ରମ କରି ଅତୀତରେ ବୈଦେଶିକ ଶତ୍ରୁମାନେ ଭାରତ ଆକ୍ରମଣ କରିବା ଦୁଃସାଧ୍ୟ ଥିଲା । ଭାରତର ସୈନ୍ଧବ-ଗାଙ୍ଗେୟ ସମତଳ ଭୂମି ସିନ୍ଧୁ,ଗଙ୍ଗା, ବ୍ରହ୍ମପୁତ୍ର ଏବଂ ସେମାନଙ୍କର ଉପନଦୀଗୁଡିକର ଅବବାହିକାଦ୍ୱାରା ଗଠିତ । ଏହି ଅଞ୍ଚଳର ଜଳବାୟୁ ସ୍ୱାସ୍ଥ୍ୟକର ଏବ, ମୃତ୍ତିକା ଉର୍ବର ଓ କୃଷୀ ଉପଯୋଗୀ ।

      ତେଣୁ ଏଠାରେ ପ୍ରଥମେ ଦ୍ରାବିଡ଼ ଓ ଆର୍ଯ୍ୟ ସଭ୍ୟତାର ଅଭ୍ୟୁଦୟ ହୋଇଥିଲା । ପରବର୍ତ୍ତୀ କାଳରେ ଏହି ଅଞ୍ଚଳରେ ନନ୍ଦ, ମୌର୍ଯ୍ୟ, କୁଶାଣ ଗୁପ୍ତ, ଆଫଗାନ୍‌ ଓ ମୋଗଲ୍‌ ସାମ୍ରାଜ୍ୟ ବିସ୍ତାର ଲାଭ କରିଥିଲା । ଉତ୍ତର-ପଶ୍ଚିମରେ ଖାଇବର ଓ ବୋଲାନ୍‌ ଗିରିପଥ ଅତିକ୍ରମକରି ପ୍ରଥମେ ଦ୍ରାବିଡ଼ ଓ ଆର୍ଯ୍ୟମାନେ ଭାରତରେ ପ୍ରବେଶ କରିଥିଲେ । ବଙ୍ଗୋପ ସାଗର, ଆରବ ସାଗର ଏବଂ ଭାରତ ମହାସାଗରରେ ନୌଯାତ୍ରା କରି ଭାରତୀୟମାନେ ଚୀନ, ଜାପାନ ସମେତ ଦକ୍ଷିଣ-ପୂର୍ବ ଏସିଆ ଏବଂ ପଶ୍ଚିମ ଏସିଆ ଅନ୍ତର୍ଗତ ବିଭିନ୍ନ ଦେଶ ଏବଂ ଉଇରୋପର ବିଭିନ୍ନ ଅଞ୍ଚଳ ସହିତ ବାଣିଜ୍ୟ ବ୍ୟବସାୟ କରିବାକୁ ସମର୍ଥ ହୋଇଥିଲେ । ବିଶେଷତଃ କଳିଙ୍ଗର ଅଧିବାସୀମାନେ ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ ଆଦି ପୂର୍ବ ଭାରତୀୟ ଦୀପପୁଞ୍ଜ ଓ ମାଳୟ ଉପଦ୍ୱୀପରେ ବାଣିଜ୍ୟକେନ୍ଦ୍ର ଓ ବସତିସ୍ଥାପନ କରିଥିଲେ । ସେମାନଙ୍କଦ୍ୱାରା ହିନ୍ଦୁ, ବୌଦ୍ଧ ଧର୍ମ ଆଦି ଧର୍ମ ସଂସ୍କୃତି ସେହି ଦେଶ ଗୁଡିକରେ ପ୍ରସାର ଲାଭ କରିଥିଲା । ସେହିପରି ଭାରତର ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ୧୪୯୮ ଖ୍ରୀଷ୍ଟାବ୍ଦରୁ ୧୬୯୨ ଖ୍ରୀଷ୍ଟାବ୍ଦ ମଧ୍ୟରେ ପର୍ତ୍ତୁଗୀଜ, ଓଲନ୍ଦାଜ, ଇଂରେଜ ଓ ଫରାସୀ ପ୍ରଭୃତି ଇଉରୋପୀୟମାନେ ବାଣିଜ୍ୟକୋଠି ତଥା ଉପନିବେଶମାନ ସ୍ଥାପନ କରିଥିଲେ ।


       ଆମର ଏହି ଭାରତକୁ ଭାରତମାତାର ନାମ କରଣ ତଥା ମାନବୀକରଣ ମା' ଠାକୁରାଣୀ ଆଖ୍ୟା ଦିଆଯାଇଥିବା ଏକ ପବିତ୍ର ନାମକୁ ବୁଝାଯାଏ ଯାହା ହିନ୍ଦୁତ୍ୱର ଏକ ଦୃଢ ପରିଚୟ ନାମ । ସାଧାରଣତଃ ଭାରତ ନାମ ରୂପୀ ମାଆ ସ୍ୱରୂପକୁ ଏକ ମହିଳା ଭାବରେ ଗେରୁଆ ରଙ୍ଗର ଶାଢ଼ି ପିନ୍ଧେଇ ଭାରତର ଜାତୀୟ ପତାକା ଧରିଥିବା ଦେବୀ ସ୍ୱରୂପକୁ ପ୍ରଦର୍ଶନ କରାଯାଏ ଓ ସାଥିରେ ଏକ ସିଂହ ବାହନ ମଧ୍ୟ ଥାଏ ଯାହା ଖୁବ୍‌ ସୁନ୍ଦର ଓ ଭକ୍ତିର ପ୍ରତୀକ ଅଟେ । ଊନବିଂଶ ଶତାବ୍ଦୀର ଶେଷ ଭାଗରେ ବ୍ରିଟିଶ ଶାସନ ବିରୁଦ୍ଧରେ ହୋଇଥିବା ସିପାହୀ ବିଦ୍ରୋହ ପରିପ୍ରେକ୍ଷୀରେ ଭାରତ ଉପମହାଦେଶକୁ ମାନବୀକରଣ କରାଯାଇଥିଲା । ସନ ୧୮୮୨ ରେ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଲିଖିତ ଆନନ୍ଦ ମଠ ପୁସ୍ତକରେ ଭାରତର ପ୍ରତୀକ ଭାବରେ ଭାରତମାତାଙ୍କର ବର୍ଣ୍ଣନା କରାଯାଇଥିଲା । ହିନ୍ଦୁ ମତ ବା କଳ୍ପନାରେ ଜନ୍ମଭୂମିକୁ ସର୍ବଦା ମାତା କୁହାଯାଏ । ରାମାୟଣ ଓ ମହାଭାରତରେ ମଧ୍ୟ ଜନ୍ମଭୂମିକୁ ମାତା ଭାବରେ ସମ୍ବୋଧନ କରାଯାଇଛି । ଲକ୍ଷ୍ମଣଙ୍କୁ ରାମ କହିଛନ୍ତି, "ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ’ । ଏହି ଚିନ୍ତନକୁ ବଙ୍କିମଚନ୍ଦ୍ର ଅଧିକ ସାକାର କରି ସରଳ କରିଦେଇଛନ୍ତି । ଏହି ଚିନ୍ତନରେ ସମଗ୍ର ଭାରତ ଭୂଖଣ୍ଡରେ ବାସ କରୁଥିବା ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିଆନ, ଜୈନ, ବୁଦ୍ଧ ଧର୍ମାବଲମ୍ବୀ, ପାର୍ଶୀ ଓ ଅନ୍ୟାନ୍ୟ ଲଘୁ ସମ୍ପ୍ରଦାୟଙ୍କୁ ଏକାଠି କରି ବ୍ରିଟିଶ ଶାସନ ବିରୁଦ୍ଧରେ ଲଢ଼ିବା ଉଦ୍ଦେଶ୍ୟରେ ଏହା ଲେଖା ଥିଲା ଯାହାକୁ ପରବର୍ତ୍ତୀ ସମୟରେ ଏକ ହିନ୍ଦୁ ଠାକୁରାଣୀର ମାନ୍ୟତା ଦିଆ ଯାଇଥିଲା । ଅନ୍ୟ ଜାତି ଓ ଧର୍ମର ଲୋକମାନେ ଏହାକୁ ଏକ ଧର୍ମର ଠାକୁରାଣୀ ଭାବେ ଚିନ୍ତନ କରି ପ୍ରତ୍ୟାଖ୍ୟାନ କରିଥିଲେ । ଭାରତ ମାତାଙ୍କୁ ହିନ୍ଦୁ ଦେବାଦେବୀ ଭାବରେ ଚିତ୍ରଣ କରିବା ଏକ ଦୀର୍ଘକାଳୀନ ଦ୍ୱନ୍ଦ୍ୱାତ୍ମକ ବିଷୟ  ।

     ଭାରତୀୟ ରାଜନୀତିରେ ଏହାର ପ୍ରବେଶକୁ ରବୀନ୍ଦ୍ରନାଥ ଠାକୁର ଓ ବି.ଆର. ଆମ୍ବେଦକର ଏହାକୁ କ୍ଷତିକାରକ କହି ବିରୋଧ କରିଥିଲେ ଓ ଅନେକ ସ୍ଥାନରେ ଏହାକୁ କାଢ଼ିଦିଆଯାଇଥିଲା । କିନ୍ତୁ ସେତେବେଳକୁ ଏହା ଏତେ ଆଦୃତ ହୋଇଥିଲା ଯେ ଏହା ଲୋକଙ୍କ ମନର ବହୁତ ଗଭୀରକୁ ଚାଲିଯାଇଥିଲା ଓ ଏହା ଦେଶ ଭକ୍ତିର ପ୍ରତୀକ ହୋଇସାରିଥିଲା । ବିଂଶ ଶତାବ୍ଦୀ ଶେଷ ଆଡ଼କୁ ଏହା ହିନ୍ଦୁ ରାଷ୍ଟ୍ର ଓ ଅଖଣ୍ଡ ଭାରତର ଧାରଣ ସାଥିରେ ଓତପ୍ରୋତ ଭାବରେ ଜଡ଼ିତ ହୋଇଗଲା; ସେତେବେଳ ଅଖଣ୍ଡ ଭାରତରେ ଏବେକାର ପାକିସ୍ଥାନ, ବାଙ୍ଗଲାଦେଶ, ନେପାଳ, ଶ୍ରୀଲଙ୍କା ଓ ଆଫଗାନିସ୍ଥାନର କିଛି ଅଂଶ ସାମିଲ ଥିଲେ । ଭାରତର ସଂବିଧାନରେ ଭାରତ ଏକ ଧର୍ମ ନିରପେକ୍ଷ ଦେଶ ଭାବରେ ଗ୍ରହଣ କରାଯାଇଥିବାରୁ ଏହାକୁ କୌଣସି ମତେ ଗ୍ରହଣ କରାଯାଇପାରୁନି ଯଦିଓ ଏହା ଆରଏସଏସ ସଂସ୍ଥାର ବିଶେଷ ଅଙ୍ଗ ଭାବରେ ବିଶ୍ୱାସ କରାଯାଉଛି । ହିନ୍ଦୁ ଧର୍ମ ହଜାର ହଜାର ବର୍ଷରୁ ଆରମ୍ଭ ହୋଇଥିବା ବେଳେ ଭାରତ ମାତାର ଚିତ୍ରଣ, ଧରିତ୍ରୀ ମାତା ବା ବସୁମାତା ଭଳି ଲୋକଙ୍କ ମନରେ ବସା ବାନ୍ଧି ଯାଇଛି ଯାହା ଆଜି ବି ଅଛି ଓ ଆଗକୁ ପିଢି ପରେ ପିଢି ରହି ଚାଲିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।


        ସମସ୍ତ କଥା ସହିତ ଗୋଟିଏ କଥା ସତ ଯେ ସବୁଠୁ ସୁନ୍ଦର୍‌ ଆମ ଏହି ପବିତ୍ର ଭାରତ ଭୂଇଁ । ମାତୃଭୂମି, ପୁଣ୍ୟ ଭୂମି, ଦେବ ଭୂମି, କର୍ମ ଭୂମି ସବୁଠୁ ପବିତ୍ର ଏହି ଭାରତ ଭୂଇଁ । ଏହାରି କୋଳରେ କେତେ ମହାତ୍ମା ଜନମ ନେଇଛନ୍ତି । ଏହି ଭୂମିକୁ କାହିଁ କେଜାଣି କେତେ ବାହ୍ୟଶତ୍ରୁ ଆକ୍ରମଣ କରିଛନ୍ତି । ତଥାପି ସେମିତି ମୁଣ୍ଡ ଟେକି ଠିଆ ହୋଇଛି ଏହି ମାଟି । କେତେ ଶତ୍ରୁ ଆସି ଏହାର ସୌନ୍ଦର୍ଯ୍ୟକୁ ନଷ୍ଟ କରିବାକୁ ଚାହିଁଛନ୍ତି ହେଲେ ଏହାର ବୀର ସନ୍ତାନ ମାନେ ସେମିତି ଲଢେଇ କରି ଆସିଛନ୍ତି । ଏହି ଭାରତ ଉପରେ ଆଲେକଜାଣ୍ଡାର, ଶକ, ହୁଣ, କୁଶାଣ ପରି ଅନେକ ବାହ୍ୟଶତ୍ରୁ ଆକ୍ରମଣ କରିଛନ୍ତି । ମାତ୍ର ପରବର୍ତ୍ତୀ ସମୟରେ ସମସ୍ତେ ଭାରତୀୟ ସଂସ୍କୃତିରେ ମିଶି ଯାଇଛନ୍ତି । ସେମାନଙ୍କର ଚିହ୍ନ ବର୍ଣ୍ଣ ମଧ୍ୟ ଦେଖିବାକୁ ମିଳି ନାହିଁ । ବଙ୍କିମଚନ୍ଦ୍ରଙ୍କ ଦୃଷ୍ଟିରେ ଏହାର ତିନୋଟି ସ୍ୱରୂପ ଥିଲା, ମା ସରସ୍ୱତୀ, ଲକ୍ଷ୍ମୀ ଓ ମା ଦୁର୍ଗାଙ୍କର । ସ୍ୱାମୀ ବିବେକାନନ୍ଦଙ୍କ ଦୃଷ୍ଟିରେ ସେ ୩୩ କୋଟି ଦେବୀ ଦେବତାଙ୍କ ମା ଥିଲେ । ପରବର୍ତ୍ତୀ ସମୟରେ ମୋଗଲ ଆକ୍ରମଣର ଭାରତର ବୀରପୁତ୍ର ମାନେ ଉପଯୁକ୍ତ ଜବାବ ଦେଇଥିଲେ । ଏହା ପରେ ଇଂରେଜ ମାନଙ୍କର ଶାସନ ଆସିଲା ।

        ମୁସଲମାନ ମାନଙ୍କ ନାମରେ ଭାରତ ମାତାର ବିଭାଜନ ପାଇଁ ଦାବି ହେଲା । ପ୍ରଥମେ ଏହି ଦାବିକୁ ସମସ୍ତେ ଅଗ୍ରାହ୍ୟ କଲେ । ହେଲେ ଶେଷରେ ଏହା ଭାଗ ଭାଗ ହୋଇଗଲା । ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ଥିଲା ସେହି କଳାଦିନ  ଯେଉଁ ଦିନ ଭାରତ ମାତାର ଶରୀରକୁ କାଟି ପାକିସ୍ତାନ ତିଆରି କରାଯାଇଥିଲା । ମାତୃଭୂମିର ବିଭାଜନର ହୋଇଥିଲା । ୧୯୪୭ ଜୁନ ମାସ ଦୁଇ ତାରିଖ ଥିଲା ସେହି କଳା ଦିନ ଯେଉଁ ଦିନ ଦିଲ୍ଲୀରେ ଏକ ବୈଠକରେ ବସି ନିର୍ଦ୍ଧାରଣ ହେଇଥିଲା ଭାରତର ଭବିଷ୍ୟତ ଓ ଦୁଇଖଣ୍ଡ ହୋଇଥିଲା ଅଖଣ୍ଡ ଭାରତ । ଏହି ବୈଠକରୁ ହୋଇଯାଇଥିଲା ସ୍ୱତନ୍ତ୍ର ପାକିସ୍ତାନ ଦେଶ । ଭାରତ ମାତାର ଶରୀରକୁ କାଟି ପାକିସ୍ତାନ ତିଆରି କରାଯାଇଥିଲା । ସିନ୍ଧୁ ନଦୀ ତାର ସନ୍ତାନଙ୍କ ପାଇଁ ପର ହୋଇଗଲା । ଯେଉଁଠାରେ ମୁନି ଋଷି ମାନେ ବସି ବେଦ ରଚନା କରିଥିଲେ, ସେହି ସ୍ଥାନ ଭାରତ ଠାରୁ ଅଲଗା ହୋଇଗଲା । ଆଜି ଖାଲି ଅଖଣ୍ଡ ଭାରତ ବୋଲି ଶୁଣୁଛୁ କିନ୍ତୁ ପ୍ରକୃତରେ ଆମ ଏ ପବିତ୍ର ଭାରତ ବର୍ଷ ଖଣ୍ଡ ଖଣ୍ଡ ଓ ଆମ ଭାରତ ମାତା ଆଖିରେ ବହୁଛି ଲୋତକର ସୁଅ । 

ଅରଙ୍ଗାବାଦ, ବରୀ, ଯାଜପୁର
ମୋବାଇଲ - ୮୨୪୯୫୦୨୭୭୬