‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ’ ପାଇଁ ଯୋଗ
ବଲାଙ୍ଗିର ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୃଥ୍ୱୀରାଜ ଇଂଡୋର ଷ୍ଟାଡିୟମ ଠାରେ ସାମୂହିକ ଯୋଗାଭ୍ୟାସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଗୌରୱ ଶୀୱାଜୀ ଈସାଲୱାର, ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ଜିଲ୍ଲାପରିଷଦ ଅତିରିକ୍ତ ପ୍ରକଳ୍ପନିଦେ୍ର୍ଦଶକ ତରଣୀ ସୁନା, ବଲାଙ୍ଗିର ବିଡିଓ ହୃଷୀକେଶ ଗଣ୍ଡ ଉପସ୍ଥିତ ରହି ଅନ୍ୟମାନଙ୍କ ସହ ଯୋଗାସନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଖେଳାଳି, ସରକାରୀ/ବେସରକାରୀ ସଂସ୍ଥାର କର୍ମଚାରୀ, ସାମ୍ବାଦିକ ତଥା ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିବା ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ । ମନ୍ତ୍ର ଉଚ୍ଚାରଣ ପରେ ପରେ ସ୍ୱାମୀ ବିଜ୍ଞାନ ଚୈତନ୍ନ୍ୟା ନନ୍ଦ ସରସ୍ୱତୀ, ଶଶିକାନ୍ତ ରାଉତ,ଦିଲୀପ କୁମାର ପ୍ରଧାନ,ନିଲୁ ପ୍ରଧାନଙ୍କ ଦ୍ୱାରା ଯୋଗାଭ୍ୟାସ କରାଯାଇଥିଲା । ପଦ୍ମାସନ, ତାଡାସନ, ଭୁଜଙ୍ଗାସନ, କପାଳ ଭାରତୀ ଓ ଶବାସନ ଭଳି ବିଭିନ୍ନ ଯୋଗାସନ କରାଯାଇ ସେ ସବୁର ଆମ ଶରୀର ପାଇଁ ଥିବା ଉପାଦେୟତା ବାବଦରେ ବୁଝାଇଥିଲେ । ପରିଶେଷରେ ଶପଥପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ଅଧିକାରୀ ପରାଶର ବାଘ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ଜିଲ୍ଲାପାଳଙ୍କ ଅଫିସର କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ବିଶୋଇ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକରେ ଯୋଗ ଦିବସ ପାଳନ କରାଯାଇଛି । ବିଶୋଇ ନୋଡ଼ାଲ ବିଦ୍ୟାଳୟ ପରିସରରେ ଆର୍ଟ ଅଫ୍ ଲିଭିଂର ଯୋଗ ଗୁରୁ ମନୋଜ କୁମାର ମହାନ୍ତ ଏବଂ ସହାୟକ ଅମରଦୀପ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ, ରାଜନେତା ସାଧାରଣ ଜନତା ଯୋଗ ଦେଇ ବିଭିନ୍ନ ଯୋଗ ମୁଦ୍ରା କରିବା ସହ ଯୋଗର ଶରୀର ଆଉ ମନ ଉପରେ ପ୍ରଭାବ ବିଷୟରେ ଅବଗତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ପ୍ରମୋଦ ରାମ, ଆଇନଜୀବୀ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ ମହାନ୍ତି, ବିଜେପି ପଶ୍ଚିମ ମୟୁରଭଞ୍ଜ ସଭାପତି ଝୁରିଲାଲ୍ ମହାନ୍ତ, ବିଶୋଇ ମଣ୍ଡଳ ସଭାପତି ବନମାଳି ଗିରି, ବିମ୍ବାଧର ସି, ଦିପ୍ତିମୟୀ ରାଜ ତଥା ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । ସେହିପରି ବିଶୋଇ ବ୍ଲକ ପରିସରରେ ମଧ୍ୟ ଯୋଗ ଦିବସ ପାଳିତ ହୋଇଯାଇଛି । ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଛାତ୍ରଛାତ୍ରୀମାନେ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ ।
ଦେବଗଡ ଦେବଗଡ ନୂତନ ବସଷ୍ଟାଣ୍ଡରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଦିବସ କାର୍ଯ୍ୟକ୍ରମରେ ଦେବଗଡ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଏବଂ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଏକ ଯୋଗାଭ୍ୟାସ କରିବା ସହିତ ଏହାକୁ ନିୟମିତ ପାଳନ କରିବା ପାଇଁ ଏକ ସାମୂହିକ ଶପଥ ପାଠ କରାଯାଇଥିଲା । ଆଚାର୍ଯ୍ୟ ଲେଖରାଜଙ୍କ ନେତୃତ୍ୱରେ ଦେବଗଡ ପରିବାର ଫାଉଣ୍ଡେସନ ଏବଂ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଅନୁଷ୍ଠାନର ମିଳିତ ସହଯୋଗରେ ଯୋଗାଭ୍ୟାସ କରାଯାଇଥିଲା । ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତରାଙ୍କ ସଂଯୋଜନା ଏବଂ ଭାରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ତାପସ ମହନ୍ତଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଉପଜିଲ୍ଲାପାଳ ପରକ୍ଷୀତ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଧିରଜ ଚୋପଦାରଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କ ସମେତ ପ୍ରାୟ ୩୫୦ରୁ ଅଧିକ ସଦସ୍ୟ ସାମିଲ ହୋଇଥିଲେ ।
ଜଟଣୀ ଜଟଣୀ ପୌର ପରିଷଦ ଏବଂ ଜଟଣୀ ପଞ୍ଚାୟତ ସମିତି ପକ୍ଷରୁ ମିଳିତ ଭାବେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜଟଣୀ ପୌର ପରିଷଦ ଅଧ୍ୟକ୍ଷ ଅନନ୍ତ ବେହେରା, ଉପାଧ୍ୟକ୍ଷା ଆରତୀ ରାଉତ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରଶ୍ମିତା ନାଥ ଓ ପାରିଷଦ ଗଣ ଉପସ୍ଥିତ ଥିଲେ । ଜଟଣୀ ଅଂଚଳର ଯୋଗ ଗୁରୁ ଚିନ୍ତାମଣୀ ବେହେରା ଏବଂ ସହଯୋଗୀମାନେ ଉପସ୍ଥିତ ଥିବା ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ଯୋଗ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନର ସିଧା ପ୍ରସାରଣର ମଧ୍ୟ ଆୟୋଜନ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ "ଏକ ପେଡ ମା କେ ନାମ’ କାର୍ଯ୍ୟକ୍ରମ ଅନ୍ତର୍ଗତ ପୌର ପରିଷଦ ପକ୍ଷରୁ ମହିଳା ଗୋଷ୍ଠୀଙ୍କ ଉପସ୍ଥିତିରେ ଷଣ୍ଢପୁର ଠାରେ ଥିବା ମଳ ଉପଚାର କେନ୍ଦ୍ର, ସମ୍ପଦ କେନ୍ଦ୍ର ଏବଂ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ବ୍ରହ୍ମପୁର ତକ୍ଷଶିଳା ରେସିଡେନ୍ସିଆଲ ସ୍କୁଲରେ ଯୋଗ ଗୁରୁ ସ୍ୱାମୀ ରାମଦେବଙ୍କ ମାର୍ଗ ଦର୍ଶନ କ୍ରମେ ଗଞ୍ଜାମ ଜିଲ୍ଲା ପତଞ୍ଜଳି ଯୋଗ ସମିତି ମୁଖ୍ୟ ପ୍ରଭାରୀ ଡ଼ା କିରଣ କୁମାର ପାଣିଗ୍ରାହୀ ଓ ଯୁବ ପ୍ରଭାରୀ ବରୁଣ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । "ଏକ ପୃଥିବୀ ଏବଂ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ର ଥିମ୍ ସହ ପାଳିତ ହେଲା ଯୋଗ ଦିବସ । ସ୍କୁଲର ମୁଖ୍ୟ ବଜରଙ୍ଗଲାଲ ଚୌଧୁରୀଙ୍କ ସହଯୋଗକ୍ରମେ ଆୟୋଜିତ ଏହି ଶିବିରରେ ମୁଖ୍ୟଅତିଥି ଭାବେ ରୋଟାରୀ କ୍ଲବ ଗଭର୍ଣ୍ଣର ଯଜ୍ଞସିସ ମହାପାତ୍ର ଓ ମୁଖ୍ୟବକ୍ତା ଭାବେ ପତାଞ୍ଜଳି ରାଜ୍ୟ ମହିଳା ପ୍ରଭାରୀ ନିବେଦିତା ପତି ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ପତାଞ୍ଜଳୀ ରାଜ୍ୟ ଲିଗାଲ ସେଲ ମୁଖ୍ୟ ଡ଼ା ଦେବରାଜ ପାଣିଗ୍ରାହୀ, ଗଞ୍ଜାମ ଜିଲ୍ଲାର ଭାରତ ସ୍ୱାଭିମାନ ପ୍ରଭାରୀ ଶିଶିର ଦାସ, ମହିଳା ପ୍ରଭାରୀ ତପସ୍ୱିନୀ ମିଶ୍ର, ବ୍ରହ୍ମପୁର ରୋଟାରୀ ପ୍ରେସିଡେଣ୍ଟ ତରୁଣ କୁମାର, ଭି. ସନ୍ତୋଷ, ଗଞ୍ଜାମ ଚାଟାର୍ଡ ଆକାଉଣ୍ଟଟେଣ୍ଡ ଆସୋସିଆସନ୍ ମୁଖ୍ୟ ବି.କେ ପାତ୍ର ସହ ସ୍କୁଲ ପ୍ରିନ୍ସିପଲ୍ ପ୍ରଦୀପ୍ତ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ । ଯୋଗୀ ଯୋଗାନନ୍ଦ ସରସ୍ୱତୀ, ଯୋଗ ଗୁରୁ ଲିପକ୍ ଆର୍ୟ ଏବଂ ପ୍ରସନ୍ନ ପୁରୋହିତଙ୍କ ଉପସ୍ଥିତକ୍ରମେ ଯଜ୍ଞ ବିଧି ସମାପନ ହୋଇଥିଲା । ପତଞ୍ଜଳି ମହିଳା ସଦସ୍ୟା ସୋନି ପଟ୍ଟନାୟକଙ୍କ ସୁପୁତ୍ରି ତଥା ଜାତୀୟସ୍ତରର ଶିଶୁ ଯୋଗ ଛାତ୍ର ସୋଫିଆ ସାମନ୍ତରାୟ ଓ ଓଁକାର ପ୍ରସାଦ ଏକ ସୁନ୍ଦର ଯୋଗ ପ୍ରଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲର ୫୦୦ରୁ ଅଧିକ ଛାତ୍ରଛାତ୍ରୀ ସମେତ ୩୦ରୁ ଊଦ୍ଧ୍ୱର୍ ଶିକ୍ଷକ ଓ ବିଭିନ୍ନ ସଂଗଠନର ୫୦ରୁ ଊଦ୍ଧ୍ୱର୍ ସଦସ୍ୟ ଗଣ ମିଳିତ ରୂପେ ଯୋଗ କରିଥିଲେ । ପରିଶେଷରେ ଯୋଗର ପ୍ରଚାର ପ୍ରସାର ନିମନ୍ତେ ଯୋଗ ସମିତି ଓ ଯୁବ ଭାରତର ମୁଖ୍ୟ ଡ଼ା କିରଣ କୁମାର ପାଣିଗ୍ରାହୀ ଓ ବରୁଣ କୁମାର ପାଣିଗ୍ରାହୀଙ୍କ ସହ ବିଭିନ୍ନ କାର୍ଯ୍ୟକର୍ତ୍ତାଙ୍କୁ ସ୍କୁଲ ଏବଂ ରୋଟାରୀ କ୍ଲବ ପକ୍ଷରୁ ସମ୍ମାନିତ କରାଯାଇଥିଲା ।
ପାରାଦୀପ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ (ପିପିଏ)ଙ୍କ ପକ୍ଷରୁ ଗୋପବନ୍ଧୁ ଷ୍ଟାଡିୟମରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ସଫଳତାର ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୦୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ । ବନ୍ଦରର ଅଧ୍ୟକ୍ଷ ପିଏଲ ହରନାଦଙ୍କ ସମେତ ବନ୍ଦରର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରି ଯୋଗ ଆସନ କରିଥିଲେ । ଏହି ଅଧିବେଶନକୁ ଦି ଆର୍ଟ ଅଫ୍ ଲିଭିଂର ଅଭିଜ୍ଞ ଅଧ୍ୟାପକ ତାପସ ରଞ୍ଜନ ପତି ପରିଚାଳନା କରିଥିଲେ । ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ପିପିଏ ଅଧିକାରୀ, ଛାତ୍ର, ସିଆଇଏସଏଫ କର୍ମଚାରୀ, ବନ୍ଦର ବ୍ୟବହାରକାରୀ ଏବଂ ପାରାଦୀପ ସଖରତା ସମିତି (ପିଏସଏସ)ର ମହିଳାମାନେ ସାମିଲ ଥିଲେ । ଶ୍ରୀ ହରନାଦ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଏକ ସୁସ୍ଥ ଏବଂ ସୁସଜ୍ଜିତ ଜୀବନ ପାଇଁ ଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ସଚିବ ୟୁଆରମୋହନ ରାଜୁ, ଉପସଂରକ୍ଷକ କ୍ୟାପ୍ଟେନ ଏସି ସାହୁ, ମୁଖ୍ୟ ଇଞ୍ଜିନିୟର ଏଚ୍ଏସ୍ ରାଉତ, ମୁଖ୍ୟ ଯାନ୍ତ୍ରିକ ଇଞ୍ଜିନିୟର ସୁଶୀଲ ଚନ୍ଦ୍ର ନାହାକ, ଟ୍ରାଫିକ୍ ମ୍ୟାନେଜର ଜି.ଏଡିସନ୍ ଏବଂ ମୁଖ୍ୟ ଚିକିସôା ଅଧିକାରୀ ଡକ୍ଟର ବି.ବି ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରେରଣାରେ ଆହୁରି ଯୋଡି ହୋଇ ଅଂଶଗ୍ରହଣକାରୀମାନେ ବିଶାଖାପାଟଣାରୁ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ର ସିଧା ପ୍ରସାରଣ ମଧ୍ୟ ଭର୍ଚୁଆଲ୍ ଭାବରେ ଦେଖିଥିଲେ । ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ସହିତ ସମନ୍ୱୟ ରକ୍ଷା କରି, ପିପିଏର ଅଧ୍ୟକ୍ଷ ଶ୍ରୀ ପିଏଲ ହରନାଦ ବନ୍ଦରର ସ୍ୱଚ୍ଛତା ବଜାୟ ରଖିବା, ସ୍ୱଚ୍ଛ ଭାରତକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କର ଅନୁକରଣୀୟ ଅବଦାନ ପାଇଁ ୪୦ଜଣ ସଫେଇ ମିତ୍ର ଓ ପାରାଦୀପ ସାକ୍ଷରତା ସମିତିର ସ୍ୱେଚ୍ଛାସେବକମାନଙ୍କୁ ସମ୍ମାନିତ କରିଥିଲେ ।
କଟକ କଟକ ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମଣ ସାହୁ ଯୋଗ ଦେଇ କହିଥିଲେ, ଯୋଗର ପରମ୍ପରା ବହୁତ ପ୍ରାଚୀନ । ଏହା ହଜାର ହଜାର ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା । ଯୋଗ ବିଦ୍ୟାରେ ଶିବଙ୍କୁ ‘ଆଦି ଯୋଗୀ' ଓ ‘ଆଦି ଗୁରୁ' ଭାବରେ ବିବେଚନା କରାଯାଏ ବୋଲି ମତପ୍ରକାଶ କରିଥିଲେ । ବିଭିନ୍ନ ଯୋଗାସନ ଉପରେ ଅଧ୍ୟାପିକା ଡକ୍ଟର ଅଞ୍ଜଳି ବାଳା ଦାସ ଅଧ୍ୟାପିକା ଓ ଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ଏଥିରେ ଅଧ୍ୟାପିକା ମଞ୍ଜୁଲତା ମହାରଣା, ଅଧ୍ୟାପିକା କସ୍ତୁରୀ ବେହେରା, ବରିଷ୍ଠା ଅଧ୍ୟାପିକା ପ୍ରଣୟ ମଞ୍ଜରୀ ମହାନ୍ତି, ଅଧ୍ୟାପିକା ବିଷ୍ଣୁପ୍ରିୟା ସାହୁ, ଛାତ୍ରୀ ସୌଦାମିନୀ, ସନ୍ଧ୍ୟା, ସ୍ମୃତି, ବୈଶାଖୀ, ଅଞ୍ଚଳ, ଶୁଭଶ୍ରୀ ଓ ତପସ୍ୱିନୀ ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ଯୋଗଶିକ୍ଷା ଗ୍ରହଣ କରିଥିଲେ । ଯୋଗକାର୍ଯ୍ୟକୁ ଚିନ୍ମୟୀ ଚୌଧୁରୀ ସହଯୋଗ କରିଥିଲେ ।
ଢେଙ୍କାନାଳ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଢେଙ୍କାନାଳ ସ୍ଥିତ ପଲ୍ଲିଶ୍ରୀ ମେଳା ପଡ଼ିଆଠାରେ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ମନ୍ତ୍ରୀ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ, ଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଏବଂ ଅନ୍ୟ ସମସ୍ତ ଅତିଥି ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଯୋଗ ଅଭ୍ୟାସ ଦ୍ୱାରା ନିଜ ଦେହ ଓ ମନ ସୁସ୍ଥ ରହିବା ସହିତ କୌଣସି ପ୍ରକାରର ରୋଗ ଜୀବାଣୁ ସହଜରେ ରୋଗ ସୃଷ୍ଟି କରିପାରେ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ସେ ନିଜେ ପ୍ରତିଦିନ ଯୋଗାସନ ପ୍ରାଣାୟମ କରୁଛନ୍ତି ଏବଂ ସର୍ବଦା ସୁସ୍ଥ ଅଛନ୍ତି ବୋଲି କହିଥିଲେ । ନିୟମିତ ଯୋଗ ପ୍ରାଣାୟାମ ଅଭ୍ୟାସ ଦ୍ୱାରା ବୋଧ ଶକ୍ତି ଓ ଆତ୍ମ ଜ୍ଞାନ ଉଦୟ ହୋଇଥାଏ ବୋଲି ସେ ପ୍ରକାଶ କରିଥିଲେ । ବିଶ୍ୱବାସୀଙ୍କ ପାଇଁ ଯୋଗ ପ୍ରାଣାୟାମ ଆମର ମୁନି ଋଷିମାନଙ୍କର ଏକ ଅମୂଲ୍ୟ ଦାନ ବୋଲି ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ପ୍ରକାଶ କରିଥିଲେ । ପ୍ରତିଦିନ ସମସ୍ତେ ଯୋଗ ଅଭ୍ୟାସ ଓ ପ୍ରାଣାୟମ କରିବା ପାଇଁ ଶପଥ ଗ୍ରହଣ କରିଥିଲେ । ଏହି ଅବସରରେ ମହିମା ଯୋଗ ଓ ୱେଲନେସ୍ ଟ୍ରଷ୍ଟର ପ୍ରଶିକ୍ଷକ ଅଶ୍ୱିନୀ କୁମାର ପତି, ମୋନାଲିସା ସାହୁ, ମୀନତି ମହାରାଜ, ଚିନ୍ତାମଣି ନାଥ, ବିଭୂତି ଭୂଷଣ ସାହୁ ଓ ଚÿିନ୍ତାମଣି ମହାନ୍ତି ଯୋଗ ଦେଇଥିବା ସମସ୍ତ ଅତିଥି, ବିଭାଗୀୟ ଅଧିକାରୀ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ଯୋଗ ଅଭ୍ୟାସ କରାଇଥିଲେ ।
ଆନନ୍ଦପୁର ଆନନ୍ଦପୁର ପୌରପରିଷଦରେ ବିଭିନ୍ନ ବର୍ଗର ଲୋକଙ୍କ ପକ୍ଷରୁ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଭାରତୀୟ ଜନତା ପାର୍ଟି ଆନନ୍ଦପୁର ନଗର ମଣ୍ଡଳ ପକ୍ଷରୁ ସ୍ଥାନୀୟ ଝାଡେଶ୍ୱର ହାଟ ପିଣ୍ଡି ଠାରେ ଯୋଗ ଦିବସ ପାଳିତ ହୋଇଥିଲା । ଏହି ଯୋଗ କାର୍ଯ୍ୟକ୍ରମରେ ପ୍ରାକ୍ତନ ପୌରାଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ସାହୁ ଯୋଗ ଦେଇ ଆଜି ଯୋଗ ସାରା ବିଶ୍ୱରେ ଘରେ ଘରେ ପହଞ୍ଚôପାରିଛି । ସ୍ୱରୁ ସାମୂହିକରେ ଯୋଗ ରୂପାନ୍ତରିତ ହୋଇଥିବା ବେଳେ ଏହା ଜନ ଆନେ୍ଦାଳନରେ ପରିଣତ ହୋଇଛି । ଏବଂ ଯୋଗ କର ସୁସ୍ଥ ରୁହ ବୋଲି ଉପସ୍ଥିତ ଯୁବ ବର୍ଗଙ୍କୁ ଶ୍ରୀ ସାହୁ ଆହ୍ୱାନ ଦେଇଥିଲେ । ଏହି କ୍ରମରେ ମା’ ପାଇଁ ଗଛଟିଏ ଲଗାଯାଇଥିଲା । ଯୋଗ ପ୍ରଶିକ୍ଷକ ନାରାୟଣ ସାହୁ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ହେମନ୍ତ ସାହୁ, ପ୍ରାକ୍ତନ ମଣ୍ଡଳ ସଭାପତି ପ୍ରଶାନ୍ତ ମହାପାତ୍ର, ମାନସ ସାହୁ, ରଞ୍ଜନ ନାଏକ, ରଞ୍ଜନ ସାହୁ, ଲିଟୁ ରାମ, ଦିଲ୍ଲୀପ ବେଜ, ଗଦା ସାହୁଙ୍କ ସମେତ ଶତାଧିକ ଯୁବ ବର୍ଗ ସାମିଲ ହୋଇ ଯୋଗ ଶିକ୍ଷାଲାଭ କରିଥିଲେ । ସେହିପରି ଆନନ୍ଦପୁର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ପରିଷଦ କାର୍ଯ୍ୟାଳୟ ଗୃହରେ ସଭାପତି ରମାକାନ୍ତ ନାୟକ ଅଧ୍ୟକ୍ଷତାରେ ଯୋଗ ଦିବସ ପାଳିତ ହୋଇଯାଇଛି । ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସଞ୍ଚାଳିକା ବ୍ରହ୍ମକୁମାରୀ ସରୋଜିନୀ ଏବଂ ପଦ୍ମିନୀ ଦିବସର ତାତ୍ପର୍ଯ୍ୟ ଏବଂ ଆଭିମୁଖ୍ୟ ସମ୍ବନ୍ଧରେ ଆଲୋଚନା କରିଥିବାବେଳେ ଯୋଗଗୁରୁ ବଳରାମ ଭାଇ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
କେନ୍ଦୁଝର ଓଏମ୍ସି ଗନ୍ଧମାର୍ଦ୍ଦନ ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ସିଏସ୍ଆର ବିଭାଗ ଆନୁକୂଲ୍ୟରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଏମ୍ସିର କର୍ମକର୍ତ୍ତା, ଶୁଆକାଟି ଗ୍ରାମବାସୀ, ସ୍ଥାନୀୟ ଯୁବ କ୍ଲବ ସଦସ୍ୟ, କର୍ମଚାରୀ ସଂଘର କର୍ମକର୍ତ୍ତା ପ୍ରଭୃତି ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମଟିକୁ ଗନ୍ଧମାର୍ଦ୍ଦନ ଲୌହ ଖଣି ପରିଚାଳକ ପ୍ରିୟରଞ୍ଜନ ରାଉତ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମଟିକୁ ଯୋଗ ଗୁରୁ ଲମ୍ବୋଦର ମହାନ୍ତ ପରିଚାଳନା କରିଥିଲେ । ଯୋଗ ଉପରେ ତାଲିମ ଦେବା ସହ ଏହା କିପରି ସୁସ୍ଥ ଜୀବନ ଧାରଣରେ ସହାୟକ ହୋଇ ପାରିବ, ସେ ସଂପର୍କରେ ବିଷଦ ଭାବେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ବୁଝାଇଥିଲେ ।
ପଟ୍ଟାମୁଣ୍ଡାଇ ପଟ୍ଟାମୁଣ୍ଡାଇ ମନ୍ମଥନାଥ ହାଇରସ୍କୁଲରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି । ପ୍ରଧାନଶିକ୍ଷକ ଅଶୋକ ରାଉତରାୟ ଙ୍କ ସଭାପତିତ୍ୱରେ ପାଳନ ହୋଇଛି । ସଭାରେ ମୁଖ୍ୟ ଯୋଗ ପ୍ରଶିକ୍ଷକ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଜିଲ୍ଲା କାର୍ଯ୍ୟକର୍ତ୍ତା ପ୍ରଦୀପ ଭାଇ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଯୋଗ ଓ ବ୍ୟାୟାମର ଉପକରିତା ସମ୍ପର୍କରେ କହିବା ସହିତ କିଛି ଆସନ ଶିଖାଇଥିଲେ । ସଭାର ଶେଷରେ ଯୋଗ ପାଇଁ ଏକ ସାମୂହିକ ଶପଥ ପାଠ ଏନସିସି ଅଫିସର ସରୋଜ ସ୍ୱାଇଁ କରିଥିଲେ । କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ଶଶାଙ୍କ ଶେଖର ସାହୁ,ଏନସିସି ଶିକ୍ଷକ ସରୋଜ ସ୍ୱାଇଁ, ଇକୋ କ୍ଲବ ଶିକ୍ଷକ ତାପସ ବେହେରା, ୟୁଥ ଆଣ୍ଡ ଇକୋ କ୍ଲବ ଶିକ୍ଷକ ଅନିଲ ଦାସ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣମୟୀ ନାୟକ, ଅନିତା ଧଳ, ସୁଜୟ ରାଉତ ରାୟ, ଜ୍ୟୋତିଲଷ୍ମୀ ବେହେରା, ଗୋମତି ସ୍ୱାଇଁ, ଶୈଳବାଳା ଆଚାର୍ଯ୍ୟ, ସନ୍ଧ୍ୟାରାଣୀ ପାଣିଗ୍ରାହୀ, ମାନସୀ ମହାନ୍ତି, ଶ୍ରୀକାନ୍ତ ମଲ୍ଲିକ, ତପସ୍ୱିନୀ ମଲ୍ଲିକ, ଗାୟତ୍ରୀ ସାହୁ, ବିନୋଦ ନାଥ, ସ୍ମିତାପ୍ରଜ୍ଞା ରାଉତ, ଶିବ ଶଙ୍କର ବାରିକ, ବ୍ରଜ କିଶୋର ମାଝୀ ପ୍ରଭୁତି ସହଯୋଗ କରିଥିଲେ । ଶିକ୍ଷକ ଅଶୋକ କୁମାର ଦାସ ଧନ୍ୟବାଦ ଦେଇ ଥିଲେ ।
ଆସିକା ଆସିକା ବ୍ଲକ ଏବଂ ଏନଏସି ପକ୍ଷରୁ ହରି ହର ହାଇସ୍କୁଲର ଇଣ୍ଡୋର ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଡ଼ିଓ ଲିପିନା ଦାସ, ବିଧାୟକଙ୍କ ପୁଅ ସମ୍ବିତ ପାଢ଼ୀ, ଏନ୍ଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ର, ସିଡିପିଓ ଇନ୍ଦିରା ମହାପାତ୍ର, ଯୋଗାଣ ଅଧିକାରୀ ଶର୍ମିଷ୍ଠା ଦଳ ବେହେରା, ଯୋଗ ପ୍ରଶିକ୍ଷକ ଗୁଣ୍ଡିଚା ମହାରାଣା ପ୍ରମୁଖ ବ୍ଲକ ଏବଂ ଏନ୍ଏସିସ୍ତରୀୟ ଯୋଗ ଶିବିରରେ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ସେହିଭଳି ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏବଂ ଏନ୍ସିସି, ୟାଇଆରସି, ସ୍କାଉଟ୍ ଓ ଗାଇଡ୍ସର ଏବଂ ଏନ୍ଏସ୍ଏସ୍ ଶାଖାର ମିଳିତ ଆନୁକୂଲ୍ୟରେ ଆନ୍ତଃର୍ଜାତୀୟ ଯୋଗ ଦିବସ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ପ୍ରଶିକ୍ଷକ ଅବସର ପ୍ରାପ୍ତ କ୍ରୀଡାଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ.ଶଙ୍କର ପ୍ରସାଦ ଅଧିକାରୀ, ସରୋଜ କୁମାର ପଣ୍ଡା, ରାଜେଶ କୁମାର ସାହୁ, ଡ. ଅଜିତ କୁମାର ମୁନୀ, ଚÿିତ୍ରସେନ ବେହେରା, ଚନ୍ଦନ ମାରାଣ୍ଡି, ରଶ୍ମୀପ୍ରିୟା କାଲୋ, ଯୋଗେଶ୍ୱରୀ ଧରୁଆ, ପବିତ୍ର ଧାଙ୍ଗଡାମାଝୀ, ମାଧୁରୀ ହେମ୍ବ୍ରମଙ୍କ ସୁପରିଚାଳନାରେ କାର୍ଯ୍ୟ ସଂପାଦିତ ହୋଇଥିଲା ।
ବରୀ ବରୀ ବ୍ଲକ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ବିଡ଼ିଓ ମହେଶ୍ୱର ସେଠି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବାବେଳେ ଯୋଗ ପ୍ରଶିକ୍ଷକ ବିକେ ରଶ୍ମିତା ସାହୁ, ବିକେ ରତିକାନ୍ତ, ବିକେ କଳ୍ପନା ଯୋଗ ଦେଇ ଶିଖାଇବା ସହିତ ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ’ ପାଇଁ ଯୋଗର ଆବଶ୍ୟକତା ରହିଛି । ଯୋଗ କରିବା ଦ୍ୱାରା ମଣିଷ ସୁସ୍ଥ ରହିଥାଏ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ବିଡ଼ିଓ ଅସିତ କୁମାର ମହାନ୍ତି, ଜିପିଓ ଲଷ୍ମୀକାନ୍ତ ମହାରଣା ସହିତ ବିଭିନ୍ନ ବିଦ୍ୟାଳୟ ଶିକ୍ଷକଶିକ୍ଷୟିତ୍ରୀ, ଏବିକେ, ବ୍ଲକ କର୍ମଚାରୀ ସହିତ ବହୁ ଲୋକ ଯୋଗ ଶିବିରରେ ସାମିଲ ହୋଇଥିଲେ ।
ବୁଗୁଡ଼ା ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟର ନିଦେ୍ର୍ଦଶକ୍ରମେ ସ୍ଥାନୀୟ ପିପୁଲ୍ସ କଲେଜରେ ଅଧ୍ୟକ୍ଷ ପୁରୁଷୋତ୍ତମ ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ତହସିଲଦାର ତାପସ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ହରିକୃଷ୍ଣ ନାୟକ ଓ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଯୋଗ ଦେଇ ଯୋଗର ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ । ଏ ଅବସରରେ ବୁଗୁଡା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ଯୋଗାସନ କରାଯାଇ ଏଥିରେ ଶ୍ରେଷ୍ଠତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଓ ଶ୍ରୀନିବାସ ଦୋରା ପରିଚାଳନା କରିଥିଲେ । ଅନ୍ୟପକ୍ଷରେ ବୁଗୁଡା ପଞ୍ଚାୟତ ସମିତି ଓ ଏନ୍ଏସି ପ୍ରଶାସନ ପକ୍ଷରୁ ଭାରପ୍ରାପ୍ତ ବିଡିଓ ଧର୍ମରାଜ ପରିଡା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିସରରେ ପାଳିତ ଏକାଦଶତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସାମୂହିକ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲ ପିପୁଲ୍ସ ହାଇସ୍କୁଲ, ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠ, ପିପୁଲ୍ସ ହାଇସ୍କୁଲ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଯୋଗାସନ ପ୍ରଦର୍ଶିତ ହୋଇଥିଲା ।
ଗୋଲାମୁଣ୍ଡା ଗୋଲାମୁଣ୍ଡା ପଞ୍ଚାୟତ ସମିତିସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ଗୋଲାମୁଣ୍ଡା ବିଜୁ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି । ଗୋଲାମୁଣ୍ଡା ବିଡ଼ିଓ ବିଶ୍ୱନାଥ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତହସିଲଦାର ଚନ୍ଦନ କୁମାର ନାଏକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେଶ ନାୟକ, ଗୋଲାମୁଣ୍ଡା ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ତାଣ୍ଡି, ଯୋଗଗୁରୁ ସ୍ୱାମୀ ସତ୍ୟ ସ୍ୱରୂପାନନ୍ଦ ସରସ୍ୱତୀ, ସହଯୋଗୀ ଯୋଗ ଶିକ୍ଷକ ବ୍ରହ୍ମା ପ୍ରସାଦ କାଣ୍ଡ, ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲା, ସରକାରୀ ଯନ୍ତ୍ରୀ ଚିତ୍ତରଞ୍ଜନ ଜେନା, ରବିନ୍ଦ୍ର କୁମାର ପଟ୍ଟନାୟକ, ପ୍ରଦିପ କୁମାର ପଣ୍ଡାଙ୍କ ସହିତ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଶିକ୍ଷା ବିଭାଗ, ବ୍ଲକ, ତହସିଲ, ଆଶାକର୍ମୀ, ସ୍ୱାସ୍ଥ୍ୟ କର୍ମୀ ସହ ଅନେକ ଲୋକ ଉପସ୍ଥିତରେ ଯୋଗ ଦିବସ ପାଳିତ ହୋଇଥିଲା ।
ଫୁଲବାଣୀ ସ୍ଥାନୀୟ କୋରୋନେସନ୍ ପଡିଆ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କହିଥିଲେ ଯେ ଯୋଗ ମାଧ୍ୟମରେ ମଣିଷ ମାନସିକ ଚାପ, ଅବସାଦ ଓ ବିଭିନ୍ନ ରୋଗରୁ ମୁକ୍ତି ପାଇଥାଏ । ଏହା ଶରୀରର ନମନୀୟତା ବୃଦ୍ଧି କରିବା ସହିତ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ । ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଏବଂ ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ମଧ୍ୟ ଯୋଗର ଉପକାରିତା ବିଷୟରେ ଆଲୋଚନା କରିବା ସହିତ ଏହାକୁ ନିତିଦିନିଆ ଜୀବନରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ । ଯୋଗଗୁରୁ ପ୍ରଶାନ୍ତ କୁମାର ଦାସ ଯୋଗ ଅଭ୍ୟାସ ପରିଚାଳନା କରିଥିଲେ । କନ୍ଧମାଳ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ‘ଏକ ପେଡ୍ ମା’ କେ ନାମ’ କାର୍ଯ୍ୟକ୍ରମରେ ମନ୍ତ୍ରୀ ଏବଂ ଅତିିଥିଗଣ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ହରିଶ ବି.ସି, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀଙ୍କ ସମେତ ବିଭିନ୍ନ ଜନପ୍ରତିନିଧି, ସରକାରୀ ଅଧିକାରୀ, କର୍ମକର୍ତ୍ତା, ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଓ ବହୁସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ ।
ଜୟପୁର ଅନ୍ତର୍ଜାତୀୟ ଯୋଗ ଦିବସ ଜୟପୁର ପୌର ଏବଂ ବ୍ଲକ ପ୍ରଶାସନ ଜୟନଗର ସ୍ଥିତ ଉଦ୍ୟାନରେ ପାଳିତ ହୋଇଯାଇଛି । ଏହି ଯୋଗ ଦିବସରେ ପ୍ରାନ୍ତର ପତଞ୍ଜଳି ଯୋଗପୀଠର ଯୋଗ ଗୁରୁ ଜାନକୀ ପାଣିଗ୍ରାହୀ ଏବଂ ଅମ୍ବିକା ପାଣିଗ୍ରାହୀ ଯୋଗ ଶିକ୍ଷା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜୟପୁର ବିଧାୟକ, ପୌର ଅଧ୍ୟକ୍ଷ, ପୌର ଉପାଧ୍ୟକ୍ଷା, ଉପ ଜିଲ୍ଲାପାଳ ଏ ସସ୍ୟା ରେଡ୍ଡୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ବିକ୍ରମ ଦେବ ମହାବିଦ୍ୟାଳୟ ପରିସରରେ ରେଜିଷ୍ଟାର ମହେଶ୍ୱର ନାୟକଙ୍କ ଉପସ୍ଥିତିରେ ଯୋଗ ଗୁରୁ ସୁରେଶ ନନ୍ଦ ଏନ୍ସିସି ଛାତ୍ରଛାତ୍ରୀମାନଙ୍କୁ ଶିଖାଇବା ସହ ଯୋଗ କରିଥିଲେ । କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାଗୃହରେ ଆୟଜିତ ଯୋଗ ଦିବସରେ ବ୍ୟାଙ୍କ ସଭାପତି ଇଶ୍ୱର ପାଣିଗ୍ରାହୀ ଏବଂ ବ୍ୟାଙ୍କ କର୍ମଚାରରମାନଙ୍କୁ ଯୋଗଗୁରୁ ସୁବ୍ରତ ପଣ୍ଡା ଶିକ୍ଷା ଦେଇଥିଲେ । ଜଗନ୍ନାଥ କଲେଜ ପରିସରରେ ଆୟୋଜିତ ଯୋଗରେ ଯୋଗଗୁରୁ ଡ. ମନରଞ୍ଜନ ପ୍ରଧାନ ଶିକ୍ଷା ଦେଇଥିଲେ । ସେହି ଭଳି ହଳଦି ଡେମ, ଲିଙ୍ଗରାଜ ନଗର, ସାରଦା ବିହାର ବିଦ୍ୟା ମନ୍ଦିର, ଅରବିନ୍ଦ ନଗର ବିଦ୍ୟା ମନ୍ଦିର ପରିସରରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଥିଲା ।
ଗୁଣୁପୁର ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଯୋଗ ଗୁରୁ ଅନନ୍ତ ପଣ୍ଡା ଯୋଗ ଦେଇ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ପ୍ରମୁଖଙ୍କୁ ଯୋଗର ବିଭିନ୍ନ ଆସନମାନ କରାଇବା ସହ ପ୍ରତ୍ୟେକ ଦିନ ଯୋଗ ଅଭ୍ୟାସ କରିବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି ଉପକାର ବିଷୟରେ ବୁଝାଇଥିଲେ । ବିଶ୍ୱବିଦ୍ୟାଳୟ ପ୍ରୋ ଚାନ୍ସେଲର ପ୍ରଫେସର୍ ଲଳିତ ମୋହନ ପଟ୍ଟନାୟକ, କୁଳପତି ପ୍ରଫେସର୍ ଏଭିଏନ୍ ଏଲ୍ ଶର୍ମା, ରେଜିଷ୍ଟ୍ରାର ପ୍ରଫେସର ଏନ୍ ଭି ଜେ ରାଓ, ସ୍କୁଲ ଅଫ ଇଞ୍ଜିନିୟରିଂର ଡିନ୍ ଡ. ଡୁଲୁ ପଟ୍ଟନାୟକ, ପରୀକ୍ଷା ନିୟନ୍ତ୍ରକ ଡପି ବିଜୟ କୁମାର , ପ୍ରଫେସର୍ ଆଶିଷ କୁମାର ସାମଲ ପ୍ରମୁଖ ଯୋଗ ଦେଇଥିବାବେଳେ ଶିବିରକୁ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ବାଣୀପ୍ରସାଦ ନାୟକ, ଡ ପ୍ରେମାନସୁ ଶେଖର ରଥ, ଓ କ୍ରୀଡ଼ା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।
ନବରଙ୍ଗପୁର ସ୍ଥାନୀୟ ମଣ୍ଡେଇ ପଡିଆ ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପତ୍, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ ବର୍ମନ୍, ସିଡିଓ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଯଦୁମଣି ନାୟକଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ, ନବରଙ୍ଗପୁର ସହରର ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷ ‘ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ ବିଷୟକୁ ନେଇ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି । ଯୋଗ ଶିକ୍ଷକ ରାଜ ମୋହନ ଭତରା, ସତ୍ୟ ସେଠୀ ଏବଂ ଉଷାରାଣୀ ପ୍ରଧାନ ମଞ୍ଚରେ ଯୋଗ ଅଭ୍ୟାସ ପ୍ରଦର୍ଶନ କରିଥିଲେ । ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ପରେ ଶାନ୍ତି ମନ୍ତ୍ର ପାଠ ସହ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମ ନିମନ୍ତେ ଉଚ୍ଚ ବିଦ୍ୟାଳୟସ୍ତରରେ ଅନୁଷ୍ଠିତ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ସମୀର ପାତ୍ର ଆୟୋଜନ କରିଥିଲେ ।
ବାଲେଶ୍ୱର ସ୍ଥାନୀୟ ଆଇଟିଆଇ ଛକ ସ୍ଥିତ ବହୁ ଉଦେ୍ଦଶୀୟ ଇନଡୋର ଷ୍ଟାଡ଼ିୟମ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ, ସଦର ବିଧାୟକ ମାନସ କୁମାର ଦତ୍ତ, ପୌରପାଳିକା ଅଧ୍ୟକ୍ଷା ସବିତା ସାହୁ, ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଆରକ୍ଷୀ ଅଧିକ୍ଷକ ରାଜ ପ୍ରାସାଦ ପ୍ରମୁଖ ମଞ୍ଚାସୀନ ଥିଲେ । ଏବଂ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଧୂପ ଦୀପ ପ୍ରଜଜ୍ୱଳନ କରି ସଭା ଆରମ୍ଭ ହୋଇଥିଲା । ବରେଣ୍ୟ ଅତିଥିଗଣ ‘ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ’ ବାର୍ତ୍ତା ଦେଇ ମନୁଷ୍ୟ ସମାଜ ପାଇଁ ଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ନିୟମିତ ବ୍ୟାୟାମ ଦ୍ୱାରା ସୁସ୍ଥ ଏବଂ ନିରୋଗ ରହିବାର ଏକ ପ୍ରମୁଖ ଭୂମିକା ସମ୍ପର୍କରେ ବିଶଦ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ପଦାଧିକାରୀ, ଛାତ୍ରଛାତ୍ରୀ, କ୍ରୀଡାବିତ୍ ପ୍ରମୁଖ ଯୋଗ ଦେଇଥିଲେ ।