ଏନଡବ୍ଳ୍ୟୁ-୫ ଓ ଏନଡବ୍ଳ୍ୟୁ-୬୪ ପାଇଁ ବୁଝାମଣା ବ୍ଳ୍ୟୁ : ନିବେଶ ହେବ ୧୨ ହଜାର କୋଟି
ତାଳଚେରରୁ ପାରାଦୀପ ଓ ଧାମରାକୁ ହେବ ସଂଯୋଗ
ମୁମ୍ବାଇ : ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ, ଓଡ଼ିଶା ସରକାର, ପାରାଦୀପ ବନ୍ଦର ପ୍ରାଧିକରଣ ଏବଂ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ ମଧ୍ୟରେ ଜାତୀୟ ଜଳପଥ-୫ ଏବଂ ଜାତୀୟ ଜଳପଥ-୬୪ର ବିକାଶ ଏବଂ କାର୍ଯ୍ୟକ୍ଷମତା ପାଇଁ ଐତିହାସିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ସ୍ଥାୟୀ ମାଲ ପରିବହନ ଏବଂ ଆଞ୍ଚଳିକ ଆର୍ଥିକ ଅଭିବୃଦ୍ଧି ପାଇଁ ଓଡ଼ିଶାର ନଦୀ ପ୍ରଣାଳୀକୁ ଉପଯୋଗ କରିବା ଦିଗରେ ଏହି ଚୁକ୍ତିନାମା ଏକ ପ୍ରମୁଖ ପଦକ୍ଷେପ । ୧୨,୨୦୦ କୋଟି ଟଙ୍କାର ଆନୁମାନିକ ନିବେଶ ସହିତ ଆଭ୍ୟନ୍ତରୀଣ ଜଳପଥ ମାଧ୍ୟମରେ ତାଳଚେର କୋଇଲା କ୍ଷେତ୍ରରୁ ପାରାଦୀପ ଏବଂ ଧାମରା ବନ୍ଦରକୁ କୋଇଲା ଏବଂ ଅନ୍ୟାନ୍ୟ ବଲ୍କ କାର୍ଗୋର ସୁଗମ ପରିବହନ ଏହାର ଲକ୍ଷ୍ୟ ରହିଛି ।
ଏହି ପଦକ୍ଷେପ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ, ରାସ୍ତା ଏବଂ ରେଳ ନେଟ୍ୱାର୍କକୁ କମ୍ କରିବାରେ ଏବଂ ପରିବେଶ ଅନୁକୂଳ ପରିବହନକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ । ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତି, ବୈଧାନିକ ମଞ୍ଜୁରୀ ହାସଲ ଏବଂ ଟର୍ମିନାଲ, ବ୍ୟାରେଜ୍ ଏବଂ ନାଭିଗେସନ୍ ସିଷ୍ଟମ ସମେତ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ କରିବ । ଓଡ଼ିଶା ସରକାର ଜମି ଯୋଗାଣ, ଆବଶ୍ୟକୀୟ ମଞ୍ଜୁରୀ ପ୍ରଦାନ ଓ ପ୍ରଶାସନିକ ସହାୟତା ପ୍ରଦାନ କରିବ । ଏମସିଏଲ କାର୍ଗୋ ପରିବହନ ଏବଂ ପ୍ରଥମ ମାଇଲ୍ ସଂଯୋଗୀକରଣ କରିବାର ଥିବାବେଳେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ କାର୍ଗୋ ପରିଚାଳନାକୁ ପ୍ରୋତ୍ସାହିତ କରିବ ଏବଂ ଅନ୍ତର୍ଦ୍ଦେଶୀୟ ଜଳପଥକୁ ମୋଡାଲ୍ ସ୍ଥାନାନ୍ତରକୁ ଉତ୍ସାହିତ କରିବ ।
କେନ୍ଦ୍ର ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଏବଂ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଓଡିଶା ସରକାରଙ୍କ ପକ୍ଷରୁ ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି । ଏହି ମିଳିତ ପ୍ରୟାସ ଓଡ଼ିଶାରେ ଏକ ସମନ୍ୱିତ ଏବଂ ସ୍ଥାୟୀ ଆଭ୍ୟନ୍ତରୀଣ ଜଳ ପରିବହନ ନେଟୱାର୍କ ପାଇଁ ମାର୍ଗ ପ୍ରଦର୍ଶିତ କରୁଛି । ଯାହା ପୂର୍ବ ଭାରତରେ ଶିଳ୍ପ ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି ଏବଂ ବର୍ଦ୍ଧିତ ଲଜିଷ୍ଟିକ୍ସ ଦକ୍ଷତା ପାଇଁ ପଥ ପ୍ରଶସ୍ତ କରୁଛି ।