ଏପଟେ କାଳବୈଶାଖୀ, ସେପଟେ ଗ୍ରୀଷ୍ଣପ୍ରବାହ
ଭୁବନେଶ୍ୱର: ଧିରେଧିରେ ତାତି ଅସମ୍ଭାଳ ହେବାରେ ଲାଗିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ବଢୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ତେବେ ଆସନ୍ତାକାଲି ଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଜନିତ ଝଡ଼ବର୍ଷାର ଆଶଙ୍କା ରହିଛି । ସେଥିପାଇଁ ଆସନ୍ତା ୩୦ ପର୍ଯ୍ୟନ୍ତ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କେତେକ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ବି ଅନୁଭୂତ ହେବ ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତାକାଲି ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରିରହିବ । ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନକୁ ଉଷ୍ମ ଏବଂ ଆର୍ଦ୍ର ଅବସ୍ଥା ହେବାର ସମ୍ଭାବନା ରହିଛି । ଅପରପକ୍ଷରେ ମାଲକାନଗିରି, କୋରାପୁଟ, ଗଞ୍ଜାମ ଓ ମୟୂରଭଞ୍ଜରେ ମଧ୍ୟାହ୍ନ ଓ ସଂଧ୍ୟା ସମୟରେ ଗୋଟିଏ ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ଝଟକା ପବନ ବହିବ । ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅପ୍ରେଲ ୨୭ରେ କୋରାପୁଟ, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ସୁନ୍ଦରଗଡ଼ରେ ୫୦ରୁ ୬୦ କିମି ବେଗରେ ପବନ ବହିବା ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାକୁ ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରିହୋଇଛି । ସେହିପରି ମାଲକାନଗିରି, ରାୟଗଡ଼ା, ଗଜପତି, କନ୍ଧମାଳ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାରେ ୩୦ରୁ ୪୦ କିମି ବେଗରେ ପବନ ସହ ବର୍ଷା ହେବାର ଆଶଙ୍କା ରହିଛି । ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି । ଏତଦବ୍ୟତୀତ ଅପ୍ରେଲ ୨୮, ୨୯ ଓ ଅପ୍ରେଲ ୩୦ ସକାଳ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି ।