ଏଫ୍ଏକୁ୍ୟ ମାନର ଧାନକିଣାକୁ ନେଇ ଚିନ୍ତାରେ ଚାଷୀ ଓ ମିଲର
ରାୟଗଡ଼ା ଜିଲାରେ ଧାନମଣ୍ଡି ଆରମ୍ଭ ହୋଇ ୧୦ ଦିନ ବିତିଯାଇଥିଲେ ମଧ୍ୟ ସରକାର ଓ ମିଲରଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଯୋଗୁ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ । ଅନ୍ୟପଟେ ଦାଉ ସାଧୁଛି ଅଦିନିଆ ବର୍ଷା । ଗତ ୨ ଦିନ ହେଲା ବର୍ଷା ଯୋଗୁ ବର୍ଷକର ଉତ୍ପାଦିତ ଫସଲ ପାଣିରେ ଓଦା ହୋଇ ନଷ୍ଟହେବାକୁ ବସିଲାଣି । ସେପଟେ ଖଳାରେ ପାଣି ଜମି ରହିଥିବାରୁ ଚାଷୀ ବାଧ୍ୟ ହୋଇ ଓଦା ଧାନକୁ ରାସ୍ତା ଉପରେ ପକାଇ ଶୁଖାଇବାକୁ ଚେଷ୍ଟା କରୁଛନ୍ତି । ଜିଲାରେ ଧାନ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଏଫ୍ଏକୁ୍ୟମାନର ଧାନକୁ ନେଇ ଚିନ୍ତାରେ ଚାଷୀ ଓ ମିଲର । ଚାଷୀ ଏଫଏକୁ୍ୟ ମାନର ଧାନ ମଣ୍ଡିକୁ ଆଣିବାକୁ ସରକାର ପକ୍ଷରୁ କୁହାଯାଇଛି । ତେବେ ଜିଲାର ସମସ୍ତ ଚାଷୀ କ’ଣ ଏଫ୍ଏକୁ୍ୟ ମାନର ଧାନ ମଣ୍ଡିକୁ ଆଣିବେ କି ବୋଲି ମିଲର୍ସମାନେ ପ୍ରଶ୍ନ କରୁଛନ୍ତି । ସେପଟେ ଚାଷୀ ଏଫ୍ଏକୁ୍ୟ ମାନର ଧାନ ଦେଲେ ସେହି ଧାନ ମିଲିଂକରି ଚାଉଳ ଦେବେ ବୋଲି କହି ୨୦ଜଣ ବଡ ମିଲର ଚୁକ୍ତି କରିନାହାନ୍ତି । ଯେଉଁ ମିଲର ଚୁକ୍ତି କରିଛନ୍ତି ସେମାନେ ମଧ୍ୟ ବର୍ତ୍ତମାନ ସନେ୍ଦହ ଭିତରେ ଅଛନ୍ତି । ଏଫ୍ଏକୁ୍ୟ ମାନର ଧାନ ମଣ୍ଡିକୁ ନ ଆସିଲେ ସେମାନେ କିଭଳି ଚାଉଳ ପ୍ରଦାନ କରିବେ । ଜିଲାରେ ଚଳିତବର୍ଷ ୯ ଲକ୍ଷ ୪୩ ହଜାର ୭୦୧କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ସମଗ୍ର ଜିଲାରେ ୧୩ଟି ଲ୍ୟାମ୍ପ୍ସ ଓ ଗୋଟିଏ ଏମ୍ପିସିଏସ୍ ଧାନ ସଂଗ୍ରହ ପାଇଁ ସରକାରଙ୍କ ଅନୁମତି ପାଇଛନ୍ତି । ୪୩ଟି ମଣ୍ଡିରେ ଏହି ଧାନ କିଣିବା ନିମନ୍ତେ ନିଷ୍ପତ୍ତି ହୋଇଛି । କିନ୍ତୁ ବିଡମ୍ବନାର ବିଷୟ ମାତ୍ର ୯ଟି ମଣ୍ଡିରେ ହିଁ ଗତ ୧୦ ଦିନ ମଧ୍ୟରେ ଧାନ କିଣା ହୋଇଛି । ୨୦ ହଜାର ୫୦୪ ଜଣ ଚାଷୀ ଧାନ ବିକ୍ରି ପାଇଁ ଯୋଗ୍ୟ ବିବେଚିତ ହୋଇଥିବାବେଳେ ମାତ୍ର ୧୦୯ ଜଣ ଚାଷୀଙ୍କଠାରୁ ଆଜି ସୁଦ୍ଧା ମାତ୍ର ୬ ହଜାର ୪୦୨ କେଜି ଧାନ କିଣାଯାଇଛି । ତେବେ ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରି ମିଲର ସହଯୋଗ କରୁନଥିବା ଅଭିଯୋଗ ହେଉଛି । ମିଲରମାନେ ବିଭିନ୍ନ ଦାବି ସମ୍ପର୍କରେ ସରକାରଙ୍କୁ ପୂର୍ବରୁ ଅବଗତ କରାଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ସେମାନେ ଧାନ କିଣାରେ ଅସହଯୋଗ ଜାରି ରଖିଥିବା କହିଛନ୍ତି । ଯୋଗାଣ ବିଭାଗ ମଧ୍ୟ ଡିସେମ୍ବର ପ୍ରଥମ ସପ୍ତାହରେ ଯେଉଁଭଳି ପଦକ୍ଷେପ ଗ୍ରହଣ କରିବା କଥା ତାହା କରିଲା ନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି । ତେବେ କୋରାପୁଟ ଏମ୍ପି ସପ୍ତଗିରି ଉଲାକା ସରକାରଙ୍କ ଧାନ ସଂଗ୍ରହ ନୀତିକୁ ନିନ୍ଦା କରିଛନ୍ତି । ଏଫ୍ଏକୁ୍ୟ ମାନର ଧାନ ଉତ୍ପାଦନ ଭଳି ବିହନ କୃଷି ବିଭାଗ ପ୍ରଦାନ କରିଥିଲା କି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ ସ୍ପଷ୍ଟୀକରଣ ଦେବାକୁ ସେ ଦାବି କରିଛନ୍ତି । ଏହିସବୁ ଦ୍ୱନ୍ଦ୍ୱ ଭିତରେ ଧାନ ସଂଗ୍ରହ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଏ ସମ୍ପର୍କରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଦାଶରଥୀ ସୋରେନଙ୍କୁ ପଚାରିବାରୁ ବର୍ଷା କାରଣରୁ ଧାନ ସଂଗ୍ରହ ବିଳମ୍ବ ହୋଇଥିଲା । ଏବେ ମିଲରମାନେ ସମସ୍ତ ଧାନ ଗ୍ରହଣ କରିବେ ଓ ଚାଷୀ ମଧ୍ୟ ନିଜର ଧାନ ବିକ୍ରି କରିବେ ବୋଲି କହିଛନ୍ତି ।