ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ
ନୂଆପଡା : ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ପିଏମ୍ଶ୍ରୀ ନ୍ୟାସନାଲ ସରକାରୀ ହାଇସ୍କୁଲରେ ଆୟୋଜିତ ହୋଇଛି । ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ, ନୂଆପଡା ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ନୂଆପଡାର ମିଳିତ ଆନୁକୂଲ୍ୟରେ ଆୟୋଜିତ ପ୍ରତିଯୋଗିତାରେ ୧୨୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବକୃତାରେ ବରିଷ୍ଠ ବର୍ଗରେ ନବମ ଶ୍ରେଣୀର ଛାତ୍ର ବିଶ୍ୱଜିତ ପଣ୍ଡା ଓ କନିଷ୍ଠ ବର୍ଗରେ ସପ୍ତମ ଶ୍ରେଣୀ ଛାତ୍ରୀ ସରସ୍ୱତୀ କେଉଁଟ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି । କବିତା ଆବୃତ୍ତିର ବରିଷ୍ଠ ବର୍ଗରେ ସରକାରୀ ହାଇସ୍କୁଲ, ମାଗୁରପାଣିର ଦଶମ ଶ୍ରେଣୀ ଛାତ୍ରୀ ଡୋମେଶ୍ୱରୀ ସାହୁ ଓ କନିଷ୍ଠ ବର୍ଗରେ ସ୍ଥାନୀୟ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ନିଶି ମାଝୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସାଧାରଣ ଜ୍ଞାନ ବରିଷ୍ଠ ବର୍ଗରେ ସରକାରୀ ହାଇସ୍କୁଲ, ମାଗୁରପାଣିର ପ୍ରିୟଙ୍କା ରଥ ଓ କନିଷ୍ଠ ବର୍ଗରେ ସ୍ଥାନୀୟ ବିଦ୍ୟାଳୟର ଲଲିତା ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଠିକ ସେହିପରି ପ୍ରବନ୍ଧ ଲିଖନରେ ସରକାରୀ ବାଳିକା ହାଇସ୍କୁଲ, ଖରିଆର ରୋଡର ଚଞ୍ଚଳ ସହିସ୍ ବରିଷ୍ଠ ବର୍ଗରେ ଓ ଅଂଶିକା ନନ୍ଦ କନିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ପ୍ରଥମ ସ୍ଥାନ ଅଧିକାର କରିଥିବା କନିଷ୍ଠ ବର୍ଗର ପ୍ରତିଯୋଗୀ ୧୩ ତାରିଖରେ ରାଜ୍ୟସ୍ତରୀୟ ପ୍ରତିଯୋଗିତରେ ପ୍ରତିନିଧିତ୍ୱ କରିବେ । ଜିଲ୍ଲା ଶିକ୍ଷାଧିକାରୀ କରୁଣାକର ଭୂଏ, ଜିଲ୍ଲା ବିଜ୍ଞାନ ନିରିକ୍ଷକ ଗିରିଧାରୀ ସା, ଚୁଲାଭାଟ ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରବୋଧ ହୋତା, ଦର୍ଲିମୁଣ୍ଡା ହାଇସ୍କୁଲ ବିଜ୍ଞାନ ଶିକ୍ଷକ ରାଧେଶ୍ୟାମ ଶାହା ଓ କେଂଦୁବାହାରା ହାଇସ୍କୁଲ ଶିକ୍ଷକ କିଶୋର ଚନ୍ଦ୍ର ପ୍ରଧାନ ପୁରସ୍କୃତ କରିଥିଲେ । ଫାଲଗୁନୀ ସାହୁ, ପ୍ରଦୀପ ଭୋଇ, ଗୋପାଳ ଭାବତୋଷ ଦାଶ, ଚନ୍ଦ୍ର ସାହୁ, ଦିନେଶ ପଟେଲ ଓ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ରାକେଶ ହୋତା ପ୍ରମୁଖ ସହଯୋଗ କରିଥିଲେ ।