ଓଭର ଲୋଡିଂ ଗାଡ଼ି ଉପରେ ପରିବହନ ବିଭାଗର ନଜର ପଡ଼ୁନି କାହିଁକି ?


 କବାଟବନ୍ଧ: ବିଭିନ୍ନ ରାଜପଥ ହେଉ କି ଗ୍ରାମପଥ ଦେଇ ଅନେକ ସମୟରେ ଖଣିଜ ପଦାର୍ଥ ଗାଡ଼ି ଗୁଡ଼ିକ ଆବଶ୍ୟକତା ଠାରୁ ଅଧିକ ସାମଗ୍ରୀ ବୋଝେଇ କରି ଯାଇଥାନ୍ତି । ଯାହା ଫଳରେ ଗ୍ରାମାଞ୍ଚଳ ରାସ୍ତା ଭାର ସମ୍ଭାଳିବାକୁ ଅସମର୍ଥ ହୋଇ ଦୁର୍ବଳ ହୋଇପଡ଼ୁଥିବା ବେଳେ ଅନ୍ୟପଟେ ଓଭରଲୋଡ଼ିଂ ଯୋଗୁ ସାମଗ୍ରୀ ଖସି ରାସ୍ତାରେ ଗଦା ହୁଏ । ଓଭର ଲୋଡ଼ିଂ ଗାଡ଼ି ଗଡ଼ିବା ବେନୀୟମ ହୋଇଥିଲେ ହେଁ ଏହା ରୀତିମତ ଧର୍ମଶାଳା ତହସିଲ ଅନ୍ତର୍ଗତ ରାସ୍ତା ମାନଙ୍କରେ ଯିବାର ଦେଖାଯାଏ । ବେଆଇନ ବୋଝେଇ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ରଖୁଥିବା ପରିବହନ ବିଭାଗ କିନ୍ତୁ ଏଦିଗରେ କାର୍ଯ୍ୟ କରିବା ବଦଳରେ ନିରବ ବସିବାରେ ଲାଗିଛି । ଦେଖି ଅଦେଖା ହେଉଛି ନାଁ ବିଭାଗର ନଜର ପଡ଼ୁନି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟରେ ରାଜନୈତିକ ପଟ ପରିବର୍ତ୍ତନ ପରେ ହେଉ କି ଧର୍ମଶାଳାରେ ପରିବର୍ତ୍ତନ କାରଣରୁ  ତହସିଲ ଅଞ୍ଚଳର ଖଣି ଖାଦାନ, କ୍ରସର, ବାଲିଘାଟ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ହେଲେ କ୍ରସର ମାନଙ୍କରେ ମହଜୁଦ ରହିଥିବା ଚିପ୍ସି, ମେଣ୍ଟାଲ, ବଜୁରୀ, ଡଷ୍ଟ ପ୍ରଭୂତି ଖଣିଜ ପଦାର୍ଥକୁ ବଡ଼ବଡ଼ ହାଇୱାରେ ଓଭର ଲୋଡିଂ ହୋଇ ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡା, କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଦିନରାତି ପରିବହନ କରାଯାଉଛି । ହେଲେ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏହାକୁ ରୋକିବା ଦିଗରେ କାର୍ଯ୍ୟ କରୁନି । ପରିବହନ ହେଉଥିବା ଗାଡ଼ିମାନଙ୍କରେ ଓଭର ଲୋଡ଼ିଂ ହୋଇ ଯିବା ଦ୍ୱାରା ରାସ୍ତା ମାନଙ୍କରେ କୁଢ଼ କୁଢ଼ ଗଦା ହେଇ ପଡୁଛି । ରାସ୍ତାରେ ଯାଉଥିବା ଗାଡି ମାନଙ୍କରେ ପାଲ ଠିକରେ ବନ୍ଧା ନହେବା ଦ୍ୱାରା ଧୂଳି ଉଡିବା ସମୟରେ ରାସ୍ତାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି । ଏଥିପ୍ରତି ଆଞ୍ଚଳିକ ପରିବହନ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।