ସ୍ନାନ ବେଦୀରେ ଭକ୍ତଙ୍କୁ ଗଜ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି
ଆନନ୍ଦପୁର, : ଦୀର୍ଘ ଏକ ବର୍ଷ ପରେ ପୁଣି ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ମିଳନ ହୋଇଛି । ସ୍ନାନ ବେଦୀରେ ସାଧାରଣ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ମୁରତୀ । ଆଜି ସକାଳେ ପଣ୍ଡା ମାନେ ପ୍ରଥମେ ଦ୍ୱାର ପୂଜା, ସୂର୍ଯ୍ୟପୂଜା କାର୍ଯ୍ୟ ସମାପନ ପରେ ପହଣ୍ଡି କାର୍ଯ୍ୟ ଆରମ୍ଭ କରିଥିଲେ ।
ପ୍ରଥମେ ସୁଦର୍ଶନ, ପରେ ବଡ଼ଭାଇ ବଳଭଦ୍ର ପରେ ଯୋଗମାୟା ଭଉଣୀ ଦେବୀ ସୁଭଦ୍ରା ଏବଂଶେଷରେ ସ୍ୱୟଂ ମହାପ୍ରଭୁଙ୍କୁ ପଣ୍ଡା ମାନେ ଧାଡି ପହଣ୍ଡିରେ ରନô ବେଦୀରୁ ସ୍ନାନ ବେଦୀଙ୍କୁ ନେଇଥିଲେ. ପହଣ୍ଡି ସମୟରେ ଘଣ୍ଟ, ଘଣ୍ଟା, ମୃଦଙ୍ଗ, ଶଙ୍ଖ, କାହାଳୀରେ ଶ୍ରୀମନ୍ଦିର ପରିସର ପ୍ରକମ୍ପିତ ହୋଇଯାଇଥିଲା । ପରେ ସ୍ନାନ ବେଦୀରେ ମଙ୍ଗଳ ଆଳତୀ, ମଇଲମ, ତଡପ ଲାଗି, ଅବକାଶ ନୀତିର ସମାପନ ପରେ ଭକ୍ତ ମାନଙ୍କ ଉଦେଶ୍ୟରେ ଶ୍ରୀ ଜିୟୁ ମାନେ ସାଧାରଣ ଦର୍ଶନ ଦେଇଥିଲେ । ଦିନ ୧୦ ଘଟିକା ସମୟରେ କର୍ପୁର, ଚନ୍ଦନ, ପୁଷ୍ପ, କସ୍ତୁରୀ, ଦହି, ଦୁଗ୍ଧ, ଛେନା ସହିତ ଅନେକ ସୁବାସିତ ପଦାର୍ଥ ପକାଇ ୧୦୮ ପୂର୍ଣ୍ଣ କୁମ୍ଭ ଜଳ ଚତୁର୍ଦ୍ଧା ମୁରତୀଙ୍କ ସମ୍ମୁଖରେ ରଖାଯାଇଥିଲା । ଏହା ପରେ ଶ୍ରୀ ଜିୟୁ ମାନଙ୍କୁ ପାଟ ଦଉଡ଼ିରେ ବନ୍ଧା ଯାଇଥିଲା । ଶେଷରେ ଜିୟୁ ମାନଙ୍କ ଉପରେ ଏକ ଯୁଗ୍ମ ବସ୍ତ୍ର ଟେକି ରଖାଗଲା ପରେ ପଣ୍ଡା ମାନଙ୍କ ସ୍ୱତନ୍ତ୍ର ମନ୍ତ୍ର ଉଚ୍ଚାରଣ ପୂର୍ବକ ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ମୁଖରେ ୩୫ ଗରା, ବଡଠାକୁର ପ୍ରଭୁ ବଳଭଦ୍ରଙ୍କ ସମ୍ମୁଖରେ ୩୩ ଗରା, ଯୋଗମାୟା ମା ସୁଭଦ୍ରାଙ୍କ ସମ୍ମୁଖରେ ୨୨ଗରା ଏବଂ ସୁଦର୍ଶନଙ୍କ ସମ୍ମୁଖରେ ୧୮ ଗରା ଜଳ ଲାଗି କରାଯାଇଥିଲା । ବର୍ଷା ଦିନରେ ଶ୍ରୀ ଜିୟୁ ମାନେ ଅତ୍ୟଧିକ ସ୍ନାନ କରିବାରୁ ଜ୍ୱରରେ ଆକ୍ରାନ୍ତ ହୋଇ ପଡିଛନ୍ତି ମହାବାହୁ । ଏହି ନୀତି ସମାପନ ପରେ ମଧ୍ୟାହ୍ନରେ ରାଜପୁରୋହିତ ଶରତ ଚନ୍ଦ୍ର ମିଶ୍ର ଚତୁର୍ଦ୍ଧା ମୁରତୀଙ୍କ ଛେରା ପହଁରା କାର୍ଯ୍ୟ ସମାପନ କରିବା ପରେ ହାତୀ ବେଶରେ ସଜେଇ ହୋଇ ଭକ୍ତ ମାନଙ୍କୁ ଶ୍ରୀ ଜିୟୁ ମାନେ ଦର୍ଶନ ଦେଇଥିଲେ । ସନ୍ଧ୍ୟାରେ ମଙ୍ଗଳ ଆଳତୀ ପରେ ଶ୍ରୀଜିୟୁ ଅତ୍ୟଧିକ ଅସୁସ୍ଥ ହୋଇ ପଡିବାରୁ ବିଗ୍ରହ ମାନଙ୍କୁ ଅଣସର ଗୃହରେ ପ୍ରବେଶ କରାଯାଇଥିଲା । ମହାପ୍ରଭୁଙ୍କର ଏସବୁ କାର୍ଯ୍ୟକ୍ରମକୁ ଦେବୋତର ବିଭାଗୀୟ ମୁଖ୍ୟ ତଥା ନିର୍ବାହୀ ଅଧିକାରୀ ଉପଜିଲ୍ଲାପାଳ ଫାଲ୍ଗୁନୀ ମାଝୀ, ପରିଚାଳକ ସୁରେନ୍ଦ୍ର ମିଶ୍ରଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ ହୋଇଥିବା ବେଳେ ପୂଜାପଣ୍ଡା ଜଗବନ୍ଧୁ ଦାଶ, ସନାତନ ପାଢ଼ୀ, ଯଶୋବନ୍ତ କର, ରବିନାରାୟଣ ଦାଶ, ଜଗଦା ନନ୍ଦ ମିଶ୍ର, ସୁଆର ବିଶ୍ୱନାଥ ପାତ୍ର, ସୁପକାର ଶଙ୍କର୍ଷଣ ମିଶ୍ର ପ୍ରମୁଖ ପୂଜା କାର୍ଯ୍ୟ ଏବଂ ନୀତିକାନ୍ତିରେ ସହଯୋଗ କରିଥିଲେ ।