ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ : ବିଶ୍ୱବିଦ୍ୟାଳୟକୁ ସଶକ୍ତ କରିବ: ସୂରଜ

 ଭୁବନେଶ୍ୱର  : ଜାତୀୟ ଶିକ୍ଷା ନୀତି ୨୦୨୦ ଏବଂ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ ୨୦୨୪ର ପ୍ରଣୟନ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବା ସହ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାକୁ ଏହା ସୁଦୃଢ଼ କରିବ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।
ରାଜ୍ୟରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ ୨୦୨୪ ପ୍ରଣୟନ ହେବା ପରେ ବିଶ୍ୱବିଦ୍ୟାଳୟମାନଙ୍କରେ ଏହି ଅଧିନିୟମର କାର୍ଯ୍ୟକାରିତାକୁ ନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ ରହିଥିବା ବିଶ୍ୱବିଦ୍ୟାଳୟମାନଙ୍କର କୁଳପତିମାନଙ୍କୁ ନେଇ ଏକ ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅଧ୍ୟକ୍ଷତା କରି ସମସ୍ତ କୁଳପତିମାନଙ୍କ ସହ ଆଲୋଚନା କରିଥିଲେ ।
ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ଲାଗୁ ହେବା ଦ୍ୱାରା ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟମାନଙ୍କରେ ଖାଲି ପଡ଼ିଥିବା ୧୩୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ ପଦବୀ ଗୁଡ଼ିକ ପୂରଣ ହୋଇପାରିବ । ବିଶ୍ୱବିଦ୍ୟାଳୟମାନେ ପାଠ୍ୟକ୍ରମର ଆବଶ୍ୟକତା ଅନୁଯାୟୀ ଶିକ୍ଷକମାନଙ୍କୁ ନିଯୁକ୍ତ କରିପାରିବେ । ଏଥିସହିତ ନିଯୁକ୍ତି ପ୍ରକିୟାର ନିୟମିତତାକୁ ସୁନିଶ୍ଚିତ କରିବା ସହ ଏହାକୁ ତ୍ୱରାନିତ୍ୱ କରାଯାଇପାରିବ ।
ଏଥିସହିତ ମନ୍ତ୍ରୀ ଶ୍ରୀ ସୂରଜ ଆଜି ବିଶ୍ୱବିଦ୍ୟାଳୟମାନଙ୍କରେ ଜାତୀୟ ଶିକ୍ଷା ନୀତି-୨୦୨୦ର କାର୍ଯ୍ୟକାରିତା ସମ୍ବନ୍ଧରେ ମଧ୍ୟ କୁଳପତିମାନଙ୍କ ସହ ଆଲୋଚନା କରିଥିଲେ ।