କଂଗ୍ରେସରୁ ମୋକିମ୍ ବିଦା
ବହିଷ୍କାର ଚାହୁଁଥିଲେ ମୋକିମ୍ : ଅରବିନ୍ଦ
କାର୍ଯ୍ୟାନୁଷ୍ଠାନକୁ ନେଇ ମୁଁ ଖୁସି : ମୋକିମ୍
ଭୁବନେଶ୍ୱର : ଦଳ ବିରୋଧି କାର୍ଯ୍ୟକଳାପ ଲାଗି ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି । ମହମ୍ମଦ ମୋକିମ ଚିଠି ଜରିଆରେ ସୋନିଆ ଗାନ୍ଧୀଙ୍କୁ ଯେଉଁ ନିବେଦନ କରିଥିଲେ, ତାହା ଅଗ୍ରାହ୍ୟ ହୋଇଛି । ପିସିସି ସଭାପତି ଭକ୍ତଚରଣ ଦାସଙ୍କ ପ୍ରସ୍ତାବକ୍ରମେ ଏଆଇସିସି ମୋକିମଙ୍କୁ କଂଗ୍ରେସରୁ ବହିଷ୍କାର କରିଛି । କଂଗ୍ରେସରୁ ବିଦା ହେବା ପରେ ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ମୋ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ମୁଁ ଖୁସି । ମୋର ବିଚାରଧାରା କଂଗ୍ରେସ ସହ ଅଛି । ରାହୁଲ ଭୁଲ କଲେ ବି କହିବାର ଅଧିକାର ଅଛି । ମୁଁ କିଛି ଭୁଲ କରିନି। ଯାହାକରିଛି, ସେଥିଲାଗି ଅନୁତାପ କରୁନି।
ସମର୍ଥକ, ଶୁଭେଚ୍ଛୁ ଓ ପରାମର୍ଶଦାତାଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବି ବୋଲି ମୋକିମ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ମୋ ଚିଠିକୁ ରାଜ୍ୟ ଓ ଜାତୀୟ ଗଣମାଧ୍ୟମ ଗୁରୁତର ସହ ନେଇଥିବାରୁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ । ସୋଫିଆ କଂଗ୍ରେସର ବିଧାୟିକା ଅଛନ୍ତି । ସେ ନିଜେ ତାଙ୍କ ନିଷ୍ପତ୍ତି ନେବେ । ମତେ କିଛିଦିନ ସମୟ ଦିଅନ୍ତୁ, ମୁଁ ଆଗକୁ କେଉଁ ଦଳରେ ଯୋଗଦେବି, ସେ ନେଇ ଗଣମାଧ୍ୟମକୁ ଜଣାଇବି ବୋଲି ମହମ୍ମଦ ମୋକିମ କହିଛନ୍ତି । ଏନେଇ କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଛନ୍ତିଯେ, ମୋକିମ ଯାହା ଚାହୁଁଥିଲେ, ତାହା ହିଁ ହେଲା । ସୋନିଆ ଗାନ୍ଧିଙ୍କୁ ସେ ଲେଖିଥିବା ଚିଠିରେ ବହିଷ୍କାରକୁ ନିମନ୍ତ୍ରଣ କରିଥିଲେ । କଂଗ୍ରେସ କର୍ମୀ ବୋଲାଉଥିବା ଜଣେ ରାଜନେତା ରାହୁଲ ଓ ଖଡ୍ଗେଙ୍କୁ ବିଦ୍ରୁପ କରି ଦଳରେ ରହିବା ସମ୍ଭବ କି ? ଯେତେବେଳେ ସାରା ଦେଶର କଂଗ୍ରେସ ନେତା ଓ କର୍ମୀ ଦିଲ୍ଲୀର ରାମଲୀଳା ମୈଦାନଠାରେ ‘ଭୋଟ୍ ଚୋର ଗାଦି ଛାଡ଼' ପାଇଁ ବ୍ୟାପକ ପ୍ରସ୍ତୁତିରେ ମାତିଥିଲେ ସେତେବେଳେ ବିଜେପିର ବ୍ୟାଖ୍ୟାନକୁ ଆଗକୁ ନେବା ପାଇଁ ମାତିଯିବା କେଉଁ ସଚ୍ଚୋଟ କଂଗ୍ରେସ କର୍ମୀଙ୍କ ଲକ୍ଷଣ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଓଡ଼ିଶାର କଂଗ୍ରେସ ଭକ୍ତଙ୍କ ନେତୃତ୍ୱରେ ଉଧେଇପାରିବନି ନା ଭକ୍ତ ଥିଲେ ସେ ଆଉ ଉଧେଇବା ସମ୍ଭବ ହେବନାହିଁ? କୋଉ ସଭାପତିଙ୍କୁ ସେ ଛାଡ଼ୁଛନ୍ତି କି ? ପିସିସି ସଭାପତି ହେଲେ ଯାଇ ଦଳରେ ରହିବେ ନ ହେଲେ ବିଦ୍ରୋହ କରିବେ, ଏଇଟା କି ପ୍ରକାର ଆନୁଗତ୍ୟ ? ରାଷ୍ଟ୍ରପତି ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବା କେଉଁ ପ୍ରକାରର ଆନୁଗତ୍ୟ ? ନିଜ ବ୍ୟାବସାୟିକ ସାମ୍ରାଜ୍ୟର ସ୍ୱାର୍ଥ ପାଇଁ କଂଗ୍ରେସରେ ଥାଇ ବିଜେଡିର ମାନଭଞ୍ଜନ କରିବା ସହଜ ହେଉଥିଲା ବୋଲି ଶ୍ରୀ ଦାସ କହିଛନ୍ତି । ସେ ନିଜେ ପ୍ରଥମେ କଟକରେ ଦଳକୁ ଦୃଢ଼ କରିଛନ୍ତି କି ? କଟକ ଚୌଦ୍ୱାର ଓ କଟକ ସଦରରେ ଦଳର ବିକଳ ସ୍ଥିତି । ଯିଏ ନିଜ ଜିଲ୍ଲାରେ କଂଗ୍ରେସକୁ ଉଧେଇପାରିଲେ ନାହିଁ, କେମିତି ପୂରା ରାଜ୍ୟରେ ଦଳର ନେତା ହେବେ ? ପୂର୍ବରୁ ମଧ୍ୟ ବିଶୃଙ୍ଖଳିତ ଆଚରଣ ପାଇଁ ଦଳରୁ ସସପେଣ୍ଡ ହୋଇଥିଲେ । ୨୦୨୪ରେ ଓଡ଼ିଶା ହାଉସିଂ ଆଣ୍ଡ ଡେଭେଲପମେଣ୍ଟ କର୍ପୋରେସନ ଲୋନ୍ ଫ୍ରଡ ମାମଲା ପାଇଁ ସେ ନିର୍ବାଚନ ଲଢ଼ିପାରିଲେ ନାହିଁ ବୋଲି ଅଧ୍ୟକ୍ଷ ଶ୍ରୀ ଦାସ କହିଛନ୍ତି ।