କବି ଧନଞ୍ଜୟଙ୍କୁ ହୋରାଇଜନ୍ ବୁକର୍ ଆୱାର୍ଡ଼
ବାଲେଶ୍ୱର : ‘ପ୍ରଜାପତି’ ଅନୁଷ୍ଠାନର ସାହିତ୍ୟ ଶାଖା ‘ଅକ୍ଷର’ର ହୋରାଇଜନ୍ ଆମ ଓଡ଼ିଆ ଭାଷା ସାହିତ୍ୟ ସହିତ ଅନ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ଭାଷା ସାହିତ୍ୟକୁ ଛାତ୍ରଛାତ୍ରୀ ଏବଂ ପାଠକମାନଙ୍କ ସହିତ ଯୋଡ଼ିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥାଏ । ହୋରାଇଜନ୍ ପକ୍ଷରୁ ଚଳିତବର୍ଷ ପ୍ରଥମ ହୋରାଇଜନ୍ ବୁକର୍ ଆୱାର୍ଡ଼-୨୦୨୫ କବି ଧନଞ୍ଜୟ ସ୍ୱାଇଁ ତାଙ୍କ କବିତା ପୁସ୍ତକ ‘ତୁମ ଗାଁ ବର୍ଷା’ ପାଇଁ ପାଇବାକୁ ମନୋନୀତ ହୋଇଛନ୍ତି । କବି ଶ୍ରୀ ସ୍ୱାଇଁଙ୍କର ମିଠା ଜହ୍ନରାତି, ଅଶିଣ ଜହ୍ନର ଗୀତ, ତୁମ ଗାଁ ବର୍ଷା, ଲୁହ ଲଫାପାର ଚିଠି ଓ କଅଁଳ ଖରାର ଝୋଟି ପ୍ରଭୃତି ୧୪ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି । ସେ ମଧ୍ୟ ପ୍ରଜାତନ୍ତ୍ର କବିତା ସମ୍ମାନ, ମାନସିଂହ କବିତା ସମ୍ମାନ ଓ ଗୋକର୍ଣ୍ଣିକା ସାହିତ୍ୟ ସମ୍ମାନ ଭଳି ଅନେକ ସମ୍ମାନର ଅଧିକାରୀ ଅଟନ୍ତି । ମାର୍ଚ୍ଚ ୧୨ ତାରିଖ ସନ୍ଧ୍ୟାରେ ଆତିଥ୍ୟ ଭବନରେ ଅନୁଷ୍ଠିତ ହେବାକୁ ଥିବା ହୋରାଇଜନ୍ ଉତ୍ସବରେ ତାଙ୍କୁ ନଗଦ ଅର୍ଥରାଶି ସହ ମାନପତ୍ର ଓ ଉପଢୌକନ ତଥା ହୋରାଇଜନ୍ ବୁକର୍ ଆୱାର୍ଡ଼-୨୦୨୫ ପ୍ରଦାନ କରାଯିବ । ଚଳିତବର୍ଷ ମଧ୍ୟ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ଭାଷା ସାହିତ୍ୟ ପ୍ରତି ଶ୍ରଦ୍ଧା ସୃଷ୍ଟି କରିବା ପାଇଁ ପ୍ରଥମଥର ପାଇଁ ‘ହୋରାଇଜନ୍ ଡି୍ରମ୍-୨୦୨୫’ ପୁରସ୍କାର ପ୍ରଦାନ କରାଯିବ ।