ସାଲସାର ଆଗ୍ରୋପ୍ରଡକ୍ଟ ରାଇସ୍ ମିଲ କର୍ମଚାରୀଙ୍କ ଧାରଣା
ଜଗତସିଂହପୁର : ଜଗତସିଂହପୁର ଜÿିଲ୍ଲା ବାଲିକୁଦା ବ୍ଲକ ବାଖରବାଦ ସ୍ଥିତ ସାଲସାର ଆଗ୍ରୋପ୍ରଡକ୍ଟ ରାଇସ୍ ମିଲରେ କାର୍ଯ୍ୟ କରୁଥିବା କର୍ମଚାରୀ ଶ୍ରମିକ ୬ ଦଫା ଦାବି ପୂରଣ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି । ପୂର୍ବରୁ ଏହି ୬ ଦଫା ସମ୍ବଳିତ ଦାବୀପତ୍ର ଜିଲ୍ଲା ପ୍ରଶାସନ ଜରିଆରେ ଜିଲ୍ଲା ଯୋଗାଣ ଅଧିକାରୀ, ମୁଖ୍ୟମନ୍ତ୍ରୀ ଓଡ଼ିଶା, ଯୋଗାଣ ମନ୍ତ୍ରୀ ଓଡ଼ିଶା ଶିଳ୍ପ ମନ୍ତ୍ରୀ ଓଡ଼ିଶା, ଯୋଗାଣ ସଚିବ ଓଡ଼ିଶାଙ୍କ ନିମନ୍ତେ ଦିଆଯାଇଥିଲା । ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ପୁନର୍ବାର ଧାରଣା ରେ ବସିଥିବା ଦେଖିବାକୁ ମିଳିଥିଲା । ଘଟଣା ମୁତାବକ ଏହି ମିଲ୍ଟି ଉଦ୍ଘାଟନ ହେବାର କେଇଦିନେ ଜÿିଲ୍ଲା ପ୍ରଶାସନ ପକ୍ଷରୁ ସିଜ୍ କରାଯାଇ ବନ୍ଦ କରିଦିଆଯାଇଥିଲା । ଏହି ମିଲ୍ରୁ ଧାନ ଓ ଚାଉଳ ବାଂଲାଦେଶ ଚାଲାଣ ହେଉଥିବା ଜିଲ୍ଲା ପ୍ରଶାସନ ନିକଟରେ ଖବର ପହଞ୍ଚିଥିଲା । ପ୍ରଶାସନ ତଦନ୍ତକରି ସତ୍ୟତା ପାଇବାରୁ ଏହି ମିଲ୍କୁ ସିଜ୍ କରି ବନ୍ଦ କରିଦେଇଥିଲା । ଏଥିରେ କାର୍ଯ୍ୟରତ ଶ୍ରମିକଙ୍କୁ ମିଲ୍ ମାଲିକ ଦୁଇମାସ ବସାଇ ଦରମା ଦେଇଥିବାବେଳେ, ଏବେ ମିଲ୍ ମାଲିକ ଚାକିରିରୁ ବିଦା କରିଦେଇଥିବାରୁ ଶ୍ରମିକ ମିଲ୍କୁ ଖୋଲିବା ଓ ପୁନଃ ଚାକିରିରେ ଯୋଗଦେବାପାଇଁ ୬ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେରେ ଧାରଣାରେ ବସିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଦାବିପତ୍ରକୁ ଗ୍ରହଣ କରିବା ସହିତ ଆଲୋଚନା ପରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ସଞ୍ଜୟ ମହାନ୍ତି, ମନୋରଞ୍ଜନ ନାୟକ, ପ୍ରମୋଦ କୁମାର ନାୟକ, ଜ୍ୟୋତି ରଞ୍ଜନ ସାହୁ, ଈଶ୍ୱର ସାହୁ, ମୁକେଶ କୁମାର ଚୌଧୁରୀ, ରାଜେଶ କୁମାର ସାହୁ, ପ୍ରଦୀପ୍ତ ମହାପାତ୍ର, ସଞ୍ଜୟ ସାହୁ, ମନୋଜ ନାୟକ, ସୋମ୍ୟ ରଞ୍ଜନ ରାଉତ, ବାଦଲ ମଲ୍ଲିକ, ରାଜେଶ ପାତ୍ର ଧାରଣାରେ ସାମିଲ ଥିଲେ ।