ଗାଁ ଦାଣ୍ଡ ପାଲଟିଲା ବଡଦାଣ୍ଡ 


ାା ପ୍ରଭାନୁ୍ୟଜ୍ ।ା ବ୍ରହ୍ମବରଦା: ପବିତ୍ର ଶ୍ରୀଗୁଣ୍ଡିଚା ଉପଲକ୍ଷେ ରସୁଲପୁର ବ୍ଲକ ଅଧିନ ବ୍ରହ୍ମବରଦା ପଞ୍ଚାୟତରେ ମଧ୍ୟ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ରବିବାର ବଡି ଭୋରରୁ ସେବାୟତ ମାନଙ୍କ ଦ୍ୱାରା ଜଗନ୍ନାଥ ମନ୍ଦିରରେ ଦ୍ୱାର ଫିଟା, ମଙ୍ଗଳ ଆଳତି, ସୂର୍ଯ୍ୟପୂଜା ଅବକାଶ ଓ ଆଜ୍ଞାମାଳ ଅଣାଯାଇ ରଥ ପ୍ରତିଷ୍ଠା କାର୍ଯ୍ୟ କରାଯାଇଥିଲା । ଏହାପରେ ଅପରାହ୍ନରେ ସେବାୟତ ପ୍ରଥମେ ସୁଦର୍ଶନ, ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସବାଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରି କରି ରଥାରୂଢ଼ କରିଥିଲେ । ଅପରାହ୍ନ ୪ଟାରେ ରଥଯାତ୍ରା ପୂଜା କମିଟିର ମୁଖ୍ୟ ସୁକାନ୍ତ ବିଶ୍ୱାଳ ଛେରା ପହଁରା କରିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ହଜାର ହଜାର ଭକ୍ତଙ୍କ ସମାଗମରେ ଘଣ୍ଟଘଣ୍ଟା, ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ଗାଁ ଦାଣ୍ଡ ବଡଦାଣ୍ଡ ପାଲଟିଯାଇଥିଲା । ଦୂରଦୂରାନ୍ତରୁ ଆସିଥିବା କଳାକାର ମାନେ ରଥ ସମ୍ମୁଖରେ ଓଡିଶୀ ନୃତ୍ୟାଙ୍ଗନା ମାନଙ୍କ ଭକ୍ତୀପୂତ ନୃତ୍ୟ, ଗୋଟିପୁଅ ନୃତ୍ୟ ଓ ଘଣ୍ଟୁଆ ଭାଇ ମାନଙ୍କ ଘଣ୍ଟନାଦରେ ସମଗ୍ର ଅଞ୍ଚଳ ଜଗନ୍ନାଥ ମୟ ହୋଇଯାଇଥିଲା । ଭକ୍ତମାନେ ଭାବବିଦ୍ୱଳ ହୋଇ ଶ୍ରଦ୍ଧା ଓ ଭକ୍ତି ସହକାରେ ରଥକୁ ଟାଣି ଟାଣି ବ୍ରହ୍ମବରଦା ହାଟସ୍ଥିତ ମାଉସିମା ମନ୍ଦିର ନିକଟରେ ବିଜେ କରାଇଥିଲେ । ଗ୍ରାମର ମୁରବି ପବିତ୍ର ବିଶ୍ୱାଳ, ଶୁଭେନ୍ଦୁ ବିଶ୍ୱାଳ, ଦେବବ୍ରତ ବିଶ୍ୱାଳ, ବିଷ୍ଣୁଚରଣ ଓଝା, ନିତ୍ୟାନନ୍ଦ ରାଉତଙ୍କ ସମେତ ବହୁ ଭକ୍ତ ସହଯୋଗ କରିଥିଲେ ।