କମିଶନରେଟ୍ର ଗାଦିକୁ ଛାଡିବାକୁ ଅମଙ୍ଗ ଗାଦିମଡା ଅଧିକାରୀ

କମିଶନରେଟ୍ର ଗାଦିକୁ ଛାଡିବାକୁ ଅମଙ୍ଗ ଗାଦିମଡା ଅଧିକାରୀ

ମଟନ- ଚିଙ୍ଗୁଡି- କଙ୍କଡ଼ା ଖାଇ ଉପରସ୍ତ ଅଧିକାରୀ ଚୁପ୍
ଭୁବନେଶ୍ୱର, ୩୦ା୧୧ : କମିଶନରେଟ୍ର ଗାଦିକୁ ଛାଡିବାକୁ ଅମଙ୍ଗ ଗାଦିମଡା ଅଧିକାରୀ । ଏଠାରେ କାମ ଅପେକ୍ଷା ତେଲମରା ଅଧିକ ଚାଲିଛି । ସୁନ୍ଦର ଅପେକ୍ଷା କଳଙ୍କ ବେଶି, ସମ୍ନାନ ଅପେକ୍ଷା ନିନ୍ଦା ବେଶି । ଏହାର କାରଣ କମିଶନରେଟ୍ ପୁଲିସରେ ବଢୁଛି ଗାଦିମଡ଼ା ଅଧିକାରୀଙ୍କ କ୍ଷମତା । ସେମାନେ ଯେପରି କୋଳି ଖାଇ ମଞ୍ଜି ପୋତିଲା ପରି କଟକ ଓ ଭୁବନେଶ୍ୱରରେ ୧୩ ବର୍ଷରୁ ଅଧିକ ଦିନ ହେବ ଗାଦିମାଡ଼ି ବସିଛନ୍ତି । ରାଜଧାନୀରୁ ଏସ୍ଆଇ ଚାକିରି ଆରମ୍ଭ କରି ଏଠାରେ ହିଁ ପଦୋନ୍ନତି ପାଇଁ ଏଠାରେ ବସି ରହିଛନ୍ତି । ନା ସେମାନଙ୍କୁ କେହି ଅନ୍ୟ ପୁଲିସ ଜିଲ୍ଲାକୁ ବିଦା କରୁଛନ୍ତି ନା ସେମାନଙ୍କୁ କେହି କିଛି କହୁଛନ୍ତି । ଏହାର କାରଣ ଏହି ଗାଦିମଡା ଅଫିସର ମାନେ ଉପରସ୍ତ ଅଧିକାରୀଙ୍କୁ ନିଜ ଜାଲରେ ଫସାଇ ରଖିବା ପାଇଁ ବାରି ଦେଖି କଙ୍କଡ଼ା, ଚିଙ୍ଗୁଡ଼ି, ମଟନ, ଦେଶୀ କୁକୁଡା ଦେଇ ହାତରେ ରଖିବା ସହିତ କମିଶନରେଟ୍ ପୁଲିସରେ କାହାକୁ ବଦଳି କରିବା ଓ କାହାକୁ ରଖିବା ସେହି ପାଲା ଚଲାଇଛନ୍ତି । ଏମାନଙ୍କ କଥାରେ ଉପରସ୍ତ ଅଧିକାରୀମାନେ ମଧ୍ୟ ସୁବିଧା ପାଇ ସେମାନେ ଯାହା କହିଲେ ବାବୁମାନେ ସେମିତି ରିମୋଡ କଣ୍ଟ୍ରୋଲ ଭଳି କାମ କରୁଛନ୍ତି । ଯାହାଦ୍ୱାରା ରାଜଧାନୀରେ ଦିନକୁ ଦିନ ଅପରାଧ, ନିଶା କାରବାର, ଠକେଇ, ସାଇବର ଠକେଇ, କୁକର୍ମ, ହତ୍ୟା ଭଳି ଅପରାଧ ବଢ଼ିବାରେ ଲାଗିଛି । 
ଏହାର କାରଣ ରାଜଧାନୀକୁ ଆସିଥିବା ବିଭିନ୍ନ ଥାନାର ଦକ୍ଷ ଅଧିକାରୀମାନେ କାମ ଅପେକ୍ଷା ଏହି ଗାଦିମଡାଙ୍କ କାମ କରିବାକୁ ବାଧ୍ୟ ହେଉଛନ୍ତି । ଯାହାକୁ ନେଇ କିଛି ଥାନାର ଅଧିକାରୀ ଓ କିଛି ବରିଷ୍ଠ ଅଧିକାରୀମାନେ ଅସନ୍ତୁଷ୍ଠ ପ୍ରକାଶ କରିଥିବା ଦେଖାଯାଇଛି । ଯେଉଁ ଥାନା ଅଧିକାରୀଙ୍କ ସହ ଏମାନଙ୍କର ପଡୁନାହିଁ ଏହି ଗାଦିମଡ଼ା ଅଧିକାରୀମାନେ ସେମାନଙ୍କ ନାମରେ ଉପରିସ୍ଥ ଅଧିକାରୀଙ୍କୁ ମିଛ ସତ କହୁଛନ୍ତି । ଲାଞ୍ଚ ଖାଇବା ଠାରୁ ଆରମ୍ଭ କରି ଥାନା ଅଞ୍ଚଳର ଲୋକେ ଇନ୍ସପେକ୍ଟର କାର୍ଯ୍ୟରେ ଅସନ୍ତୋଷ ଥିବା ଭଳି ମଧ୍ୟ ମନ୍ତ୍ର ଫୋଢ଼ୁଛନ୍ତି । ଯେଉଁଥି ପାଇଁ ଉପରିସ୍ଥ ଅଧିକାରୀମାନେ ଏହି ଗାଦିମଡ଼ା ଅଧିକାରୀଙ୍କ କଥାକୁ ବିଶ୍ୱାସ କରି ଉକ୍ତ ଦକ୍ଷ ଇନ୍ସପେକ୍ଟରଙ୍କୁ ବିଦା କରି ସେହି ସ୍ଥାନାରେ ପୁଣି ଜଣେ ଗାଦିମଡା, କେଳେଙ୍କାରୀରେ ଫସିଥିବା ଅଫିସରଙ୍କୁ ଅଣାଯାଉଛି । ବଡ଼ କଥା ହେଲା ପୁଲିସ ମାନୁଆଲକୁ ଏହି ଗାଦିମଡ଼ା ଅଧିକାରୀମାନେ ଫୁ କରି ଦେଇଛନ୍ତି । ସେମାନେ ଏହାର ଗଳାବାଟ ବାଛି ନେଇଛନ୍ତି । ଏହି ଗାଦିମଡ଼ାକୁ ଜାଣିଶୁଣି ଭୁବନେଶ୍ୱରରୁ କଟକ ଏବଂ କଟକରେ ଥିବା ଅଧିକାରୀଙ୍କୁ ଭୁବନେଶ୍ୱର ଆଣୁଛନ୍ତି । ନିର୍ବାଚନ ଶେଷ ପରେ ଜାଣିଶୁଣି କଟକକୁ ଯାଇଥିବା ଅଧିକାରୀଙ୍କୁ ପୁଣି ଏଠାକୁ ନେଇ ଆସୁଥିବା ଦେଖିବାକୁ ମିଳୁଛି । ଆହୁରି ମଧ୍ୟ ଏଠାରେ ଥିବା କିଛି ଗାଦିମଡ଼ାକୁ ସିପି ଅଫିସ, ଡିସିପି ଅଫିସ୍, ଡିଆଇବି, ଏସ୍ଟିଏଫ, ଇଓଡବ୍ଲୁ୍ୟ ଏବଂ କ୍ରାଇମ୍ବ୍ରାଞ୍ଚ ସାଇବର ସେଲ୍କୁ ପଠାଇ ଦିଆଯାଇଛି । ଯାହାଫଳରେ ସେମାନେ ଥାନାରୁ ହଟିଲେ ମଧ୍ୟ ରାଜଧାନୀରେ ରହିବେ । ପୁଲିସ ମାନୁଆଲ ଅନୁସାରେ ୩ ବର୍ଷରୁ ଅଧିକ ଦିନ କୌଣସି ପୁଲିସ ଅଧିକାରୀ ଗୋଟିଏ ପୁଲିସ ଜିଲ୍ଲାରେ ରହି ପାରିବେ ନାହିଁ । କିନ୍ତୁ ସେମାନେ ଏଠାରେ ୧୩ ବର୍ଷରୁ ଅଧିକ ଦିନ ହେବ ଏଭଳି ଗଳାବାଟ ଦେଇ ରହିଛନ୍ତି । ସେମାନେ ରାଜଧାନୀରେ ଏକପ୍ରକାର ସେଟେଲ ହୋଇଯାଇଥିବାରୁ ଏଠାରୁ ଯିବାକୁ ଅମଙ୍ଗ । ଜାଗା କିଣି ଘର କରିବା ଠାରୁ ଆରମ୍ଭ କରି ପିଲା ପାଠ ପଢୁଥିବାରୁ ଯିବାକୁ ଅନିଚ୍ଛା ହେଉଛନ୍ତି । ଯେଉଁଥି ପାଇଁ କମିଶନରେଟ୍ ପୁଲିସକୁ ଆସିବାକୁ ଇଚ୍ଛାଥିବା ଦକ୍ଷ ଅଧିକାରୀମାନେ ଏମାନଙ୍କ ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି । ସେହିପରି ଆଜି ୨୪ ଜଣ ଡ଼ିଏସ୍ପିଙ୍କୁ ପଦନ୍ନୋତି ସହ ଅଦଳବଦଳ କରାଯାଇଛି । ହେଲେ ଏହି ତାଲିକାରେ ୪ରୁ ୫ ଜଣଙ୍କୁ ଛାଡିଦେଲେ ଆଉ ସବୁ ଦକ୍ଷ ଅଫିସରଙ୍କୁ ବାହାର ଜିଲ୍ଲାକୁ ବଦଳି କରାଯାଇଛି । କିନ୍ତୁ ଗତ ୧୩ ବର୍ଷରୁ ଉର୍ଦ୍ଧ ହେବ କମିଶନରେଟ୍ ପୁଲିସରେ ଗାଦିମାଡି ବସିଛନ୍ତି ସେମାନଙ୍କ ତାଲିକାରେ ନାଁ ନାହିଁ । ସେପଟେ ତାଲିକାରେ ଯେଉଁ ୩ରୁ ୫ ଜଣଙ୍କ ନାଁ ରହିଛି ସେମାନଙ୍କୁ ବାହାର ରାଜ୍ୟକୁ ବଦଳି ନ ହୋଇ ସେମାନଙ୍କୁ ପୁଣି କମିଶନରେଟ୍ ପୁଲିସରେ ହିଁ ରଖାଯାଇଛି । ଏଥିରୁ ଜଣାପଡ଼ୁଛି ଉପରସ୍ତ ଅଧିକାରୀମାନେ ଏହି ଗାଦିମଡାଙ୍କୁ ଡ଼ରୁଛନ୍ତି ।