ଯୁବକଙ୍କୁ ହତ୍ୟା କରି ବୁଦାରେ ଫୋପାଡି ଦେଲେ ; ଥାନାରେ ଦୁଇ ଅଟକ

ଯୁବକଙ୍କୁ ହତ୍ୟା କରି ବୁଦାରେ ଫୋପାଡି ଦେଲେ ; ଥାନାରେ ଦୁଇ ଅଟକ


 ଭୁବନେଶ୍ୱର, ୧୩ା୬ : ଘରୁ ଡାକିନେଇ ଯୁବକଙ୍କୁ ଗାମୁଛାରେ ତଣ୍ଟିକୁ ଚିପି ହତ୍ୟା କରି ଜଙ୍ଗଲରେ ଫୋପାଡି ଦେଲେ । ଏଭଳି ଘଟଣା ଘଟିଛି ଚନ୍ଦକା ଥାନା ଅଧିନ ଚୂଡଙ୍ଗଗଡ ଜଙ୍ଗଲରେ । ଆଜି ବାରଙ୍ଗ ପୁଲିସ ଓ ଚନ୍ଦକା ପୁଲିସ ଚୂଡଙ୍ଗ ଜଙ୍ଗଲରୁ ମୃତଦେହକୁ ଉଦ୍ଧାର କରିଛନ୍ତି । ମୃତ ଯୁବକ ହେଲେ, ବାରଙ୍ଗ ଥାନା ଅଧିନ ଦାଢ଼ାପାଟଣା ମୁଣ୍ଡାସାହିର ସୁଶାନ୍ତ ଟୁଡୁ (୨୧) । ସେ ଜଣେ ଡିପ୍ଲୋମା ଛାତ୍ର ଥିବା ଜଣାପଡ଼ିଛି । ଅନ୍ୟପଟେ ଚନ୍ଦକା ଥାନା ପୁଲିସ ମୃତ ସୁଶାନ୍ତଙ୍କୁ ସାଙ୍ଗରେ ଡାକିନେଇଥିବା ୨ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି । ଦୁଇ ଅଟକ ଯୁବକ ହେଲେ, ମୋହନ ମାରାଣ୍ଡି ଓ ରାଜେନ୍ଦ୍ର ହାଂସଦା ।
 ସୂଚନାଯୋଗ୍ୟଯେ, ସୋମବାର ଦିନ ଅବା ୧୧ ତାରିଖ ଦିନ ମୃତ ସୁଶାନ୍ତ ତାଙ୍କ ସାହିର ୨ ଜଣ ଯୁବକ ମୋହନ ଓ ରାଜେନ୍ଦ୍ର ସହ ଘରୁ ବାହାରି ଯାଇଥିଲେ । ହେଲେ କୁଆଡେ ଯାଉଛନ୍ତି ସେ କଥା ଘରେ କହିନଥିଲେ ସୁଶାନ୍ତ । ପରେ ସନ୍ଧ୍ୟା ହେବାରୁ ସାହିକୁ ମୋହନ ଓ ରାଜେନ୍ଦ୍ର ଘରକୁ ଫେରିଥିବା ବେଳେ ସୁଶାନ୍ତ ଘରକୁ ଫେରିନଥିଲେ । ତାଙ୍କ ମୋବାଇଲ ମଧ୍ୟ ବନ୍ଦ ରହିଥିଲା । ଫଳରେ ସୁଶାନ୍ତଙ୍କ ପରିବାର ସାଙ୍ଗରେ ନେଇଥିବା ୨ ଯୁବକଙ୍କୁ ପଚରା ଉଚରା କରିବାରୁ ସେମାନେ ଜାଣିନଥିବା କହିଥିଲେ । ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସୁଶାନ୍ତଙ୍କ ଖୋଜଖବର ନ ମିଳିବାରୁ ବାପା ରାମଚନ୍ଦ୍ର ଟୁଡୁ ବାରଙ୍ଗ ଥାନାରେ ତାଙ୍କ ପୁଅ  ନିଖୋଜ ଥିବା ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ମୋବାଇଲକୁ ଟ୍ରାକିଂ କରି ତାଙ୍କୁ ଠବ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସୁଶାନ୍ତଙ୍କୁ ଠାବ କରିବାରେ ସକ୍ଷମ ହୋଇନଥିଲେ । ଗୁରୁବାର ସକାଳୁ ସକାଳୁ ଚନ୍ଦକା ଥାନା ଅଧିନ ଚୂଡଙ୍ଗଗଡ ଜଙ୍ଗଲକୁ ଯାଇଥିବା କିଛି ଲୋକେ ଏକ ନିର୍ମାଣାଧୀନ ଫାର୍ମ ଭିତରେ ଜଣଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହି ଖବର ପାଇ ବାରଙ୍ଗ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ମୃତଦେହ ପଡ଼ିଥିବା ଅଞ୍ଚଳଟି ହେଉଛି ଚନ୍ଦକା ଥାନା ଅଧିନରେ ଯାଉଅଛି । ପରେ ପୁଣି ଘଟଣା ସ୍ଥଳରେ ଚନ୍ଦକା ଥାନା ଅଧିକାରୀ, ଡ଼ିସିପି ଡଗ୍ ସ୍କ୍ୱାଡ୍, ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଚଳାଇବା ସହ ସୁଶାନ୍ତଙ୍କ ପରିବାର ଲୋକଙ୍କୁ ଖବର ଦେଇ ମୃତଦେହକୁ ଚିହ୍ନଟ କରାଯାଇଥିଲା । ସୁଶାନ୍ତଙ୍କ ବେକରେ ଏକ ଗାମୁଛା ଗାଡାଯାଇଥିବା ଦେଖି ପାରିପାଶ୍ୱର୍ିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଠ ବାରି ହୋଇପଡ଼ୁଥିଲା । ପରେ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇବା ସହ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଚଳାଇ ସାଙ୍ଗରେ ଡାକି ନେଇଥିବା ୨ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସୁଶାନ୍ତଙ୍କ ମୃତୁ୍ୟର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।