କର୍ଣ୍ଣାଟକରେ ଇଚ୍ଛାମୃତୁ୍ୟ

ଇଚ୍ଛାମୃତୁ୍ୟକୁ ନେଇ ବିଚାର ବିଭାଗର ଦ୍ୱାରସ୍ଥ ହେବା ଘଟଣା ଭାରତରେ ଅନେକ ଥର ଘଟିଛି । ହେଲେ ଏହାକୁ ଆଇନ୍ଗତ ଭାବରେ ସ୍ୱୀକୃତି ଦେବା ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ତେବେ ଏଇ ଅଳ୍ପଦିନ ତଳେ କର୍ଣ୍ଣାଟକରେ ରାଜ୍ୟ ସରକାର ସମ୍ମାନଜନକ ମୃତୁ୍ୟ ବା ଇଚ୍ଛାମୃତୁ୍ୟକୁ ବ୍ୟକ୍ତିର ଅଧିକାରଭୁକ୍ତ କରିଛନ୍ତି । ପୂର୍ବରୁ ସମ୍ବିଧାନର ଧାରା-୨୧ ଅନୁସାରେ ଜୀବନ ଧାରଣର ଅଧିକାରରେ ମୃତୁ୍ୟର ଅଧିକାରକୁ ସୁପି୍ରମକୋର୍ଟ୍ ୨୦୨୩ ମସିହାରେ ସାମିଲ୍ କରିଥିଲେ । ଏହି ଘଟଣା ଉପରେ କର୍ଣ୍ଣାଟକ ରାଜ୍ୟ ସରକାର ଇଚ୍ଛାମୃତୁ୍ୟକୁ ସ୍ୱୀକୃତି ଦେଇ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଏହା ଫଳରେ ଦୁଃରାରୋଗ୍ୟ ଏବଂ ଅସାଧ୍ୟ ରୋଗରେ ପୀଡ଼ିତ, ଆରୋଗ୍ୟ ଲାଭର କୌଣସି ଆଶା ନଥିବା, ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ହୋଇ କଷ୍ଟ ପାଇବା, ରୋଗୀ ଶରୀରରେ କୌଣସି ଔଷଧ ପ୍ରଭାବ ନପକାଇବା ଆଦି ପରିସ୍ଥିତିରେ ପଡ଼ିଥିବା ରୋଗୀମାନେ ଉପକୃତ ହୋଇ ପାରିବେ । ଏ ପ୍ରକାରର ରୋଗୀମାନଙ୍କ ପାଇଁ ରାଜ୍ୟର ହସ୍ପିଟାଲ୍ ଗୁଡ଼ିକରେ ମେଡ଼ିକାଲ୍ ବୋର୍ଡ୍ ଗଠନ କରାଯିବ ବୋଲି କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଏକ ମେଡ଼ିକାଲ୍ ବୋର୍ଡ୍ ଗଠନ କରାଯାଇ ଏହାର ଯାଞ୍ଚ୍ ପରେ ଇଚ୍ଛାମୃତୁ୍ୟକୁ ଅନୁମତି ଦିଆଯାଇପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ତେବେ ନୈତିକତା ଓ ଆଇନ୍ଗତ ସୀମା ଭିତରେ ଏ ପ୍ରକାରର ଏକ ସିଦ୍ଧାନ୍ତ ନେବା ପାଇଁ ପ୍ରାଧାନ୍ୟ ଦିଆଯିବ । 
ବର୍ତ୍ତମାନ ଆରୋଗ୍ୟ ଲାଭର କୌଣସି ସମ୍ଭାବନା ନଥିବା ହଜାର ହଜାର ରୋଗୀ ଅସହ୍ୟ ଯନ୍ତ୍ରଣାରେ ବଞ୍ଚିଛନ୍ତି । ସେମାନଙ୍କ ପାଇଁ ବଞ୍ଚି ରହିବା ଏକ ଅଭିଶାପରେ ପରିଣତ ହୋଇଯାଇଛି । ଔଷଧ ଖର୍ଚ୍ଚ ତୁଲାଇବା ପାଇଁ ରୋଗୀମାନଙ୍କର ସମ୍ବଳ ନାହିଁ । ଆଉ କେତେକ କ୍ଷେତ୍ରରେ ଆରୋଗ୍ୟ ଲାଭର ସମ୍ଭାବନା ନଥାଇ ବହୁମୂଲ୍ୟ ଔଷଧ ରୋଗୀଙ୍କୁ ଦିଆଯାଉଛି । ଏଥିରେ ପରିବାରର ଦାୟାଦମାନଙ୍କର ଭବିଷ୍ୟତରେ ବଞ୍ଚିବା ପାଇଁ ସମ୍ବଳ ରହୁନାହିଁ । ଗୋଟିଏ ପକ୍ଷରେ ରୋଗୀକୁ ବଞ୍ଚେଇ ହେଉନାହିଁ ଏବଂ ଅନ୍ୟପକ୍ଷରେ ରୋଗୀ ପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି ଏବଂ ସମସ୍ତ ସଞ୍ଚିତ ଅର୍ଥ ଶେଷ ହୋଇଯାଉଛି । ରୋଗ ଭଲ ହେବାର ସମ୍ଭାବନା ରହୁନାହିଁ । ରୋଗୀ ଅକଥନୀୟ ଯନ୍ତ୍ରଣା ଭୋଗୁଛି । ମରିପାରୁନାହିଁ କି ବଞ୍ଚିପାରୁନାହିଁ । ଏହା ରୋଗୀ ଓ ରୋଗୀର ପରିବାର ପାଇଁ ଅଭିଶାପରେ ପରିଣତ ହୋଇଯାଉଛି । ତେଣୁ ଇଚ୍ଛାମୃତୁ୍ୟକୁ ସ୍ୱୀକୃତି ଦେବା ପାଇଁ ଦେଶରେ ଦୀର୍ଘ ଦଶନ୍ଧି ହେଲା ଆଇନ୍ଗତ ଲଢ଼େଇ ଚାଲୁରହିଛି । ଏଭଳି ପରିସ୍ଥିତିରେ ପ୍ରଥମ ରାଜ୍ୟ ଭାବରେ କର୍ଣ୍ଣାଟକ ଏକ ସାହସିକ ଏବଂ ଐତିହାସିକ ପଦକ୍ଷେପ ନେଇ ଅନ୍ୟ ରାଜ୍ୟମାନଙ୍କ ପାଇଁ ରାସ୍ତା ଦେଖାଇ ଦେଇଛନ୍ତି । ଅନ୍ୟରାଜ୍ୟ ଗୁଡ଼ିକ ମଧ୍ୟ ଧୀରେ ଧୀରେ ଏ ଦିଗରେ ପଦକ୍ଷେପ ନେବେ ବୋଲି ଆଶା କରାଗଲାଣି । ବିଶେଷ କରି କର୍କଟ ରୋଗ କ୍ଷେତ୍ରରେ ରୋଗୀମାନଙ୍କର ସର୍ବସ୍ୱ ଖର୍ଚ୍ଚ ହୋଇଯାଉଛି, ମାତ୍ର ଆରୋଗ୍ୟ ଲାଭ ହୋଇପାରୁନାହିଁ । ଏ ପ୍ରକାରର ରୋଗୀମାନେ ଇଚ୍ଛାମୃତୁ୍ୟକୁ ଆଇନ୍ସିଦ୍ଧ କରି ଦିଆଗଲେ ସବୁଠାରୁ ଅଧିକ ଉପକୃତ ହୋଇ ପାରିବେ । ଏମାନଙ୍କୁ ନିଷ୍ଫଳ ଭାବରେ ଦିଆଯାଉଥିବା ଔଷଧକୁ ଅନ୍ୟ ରୋଗୀମାନଙ୍କ ଠାରେ ପ୍ରୟୋଗ କରାଯାଇ ସେମାନଙ୍କ ଜୀବନ ରକ୍ଷା କରାଯାଇପାରିବ । ଏ ପ୍ରକାରର ରୋଗୀ ରହିଥିବା ପରିବାରର ଲୋକମାନେ କେତେ ଯେ ମାନସିକ ଚାପ ଏବଂ ଅଶାନ୍ତି ଭିତରେ କାଳତିପାତ କରୁଛନ୍ତି ତାହା କେବଳ ସଂପୃକ୍ତ ପରିବାରର ଲୋକମାନେ ହିଁ ଜାଣନ୍ତି । ଜାଣିଶୁଣି ଏକ ବ୍ୟର୍ଥ ଚେଷ୍ଟାକୁ ଚଳାଇ ରଖି ରୋଗୀକୁ କଲବଲ ଅବସ୍ଥାରେ ବଞ୍ଚେଇ ରଖିବାରେ ମଧ୍ୟ ମାନବିକତା ଦୃଷ୍ଟିରୁ ଆଦୌ ଗ୍ରହଣୀୟ ନୁହେଁ । ସମ୍ବିଧାନର ଧାରା-୨୧ ନାଗରିକର ଜୀବନ ଧାରଣର ଅଧିକାରକୁ ସାବ୍ୟସ୍ତ କରୁଥିବା ବେଳେ ସେହି ଧାରା-୨୧ ଆଇନ୍ସିଦ୍ଧ ଏବଂ ଯୁକ୍ତିସଙ୍ଗତ ପରିିସ୍ଥିତିରେ ସମ୍ମାନର ସହ ମୃତୁ୍ୟକୁ ମଧ୍ୟ ନାଗରିକର ଅଧିକାର ବୋଲି ବିବେଚନା କରି ଲକ୍ଷ ଲକ୍ଷ ପରିବାର ପାଇଁ ଆଶ୍ୱସ୍ତି ଆଣି ଦେବ ।