କଲେଜ ଖୋଲିବା ଦାବିରେ ଧାରଣା


ାା ପ୍ରଭାନୁ୍ୟଜ୍ ।ା କୋଷାଗୁମୁଡା : ସରକାରଙ୍କ ଗଣଶିକ୍ଷା ବିଭାଗ ଦ୍ୱାରା କୋଷାଗୁମୁଡା ବ୍ଲକ କୋଟାଗାଁ ବୀର ଚାଉଁରିଆ ବିଦ୍ୟାଳୟକୁ ଅପଗ୍ରେଡ କରାଯାଇ +୨ ଖୋଲାଯାଇ ବନ୍ଦ କରାଯିବା ପ୍ରତିବାଦରେ କୋଟାଗାଁ ଅଞ୍ଚଳବାସୀ ବୀର ଚାଉଁରିଆ ବିଦ୍ୟାଳୟ ନିକଟରେ ଶୁକ୍ରବାର ପ୍ରତୀକ ଧର୍ମଘଟ ସହ ଗଣଧାରଣା ଦେଇଛନ୍ତି । ପୂର୍ବାହ୍ନରେ ବିଦ୍ୟାଳୟ ମୁଖ୍ୟ ଫାଟକକୁ ତାଲା ପକେଇ ଅଞ୍ଚଳବାସୀ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ବିଦ୍ୟାଳୟକୁ ଯିବାକୁ ଦେଇନଥିଲେ  । ଆଗାମୀ ଦିନରେ ସରକାର ଯଦି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କୌଣସି କାର୍ଯ୍ୟନୁଷ୍ଠାନ କରାନଗଲେ ଧର୍ମଘଟକୁ ତୀବ୍ର କରାଯିବ ବୋଲି କୋଟାଗାଁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ପ୍ରକାଶ ଯେ, ଓଡିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୨୪୮୨୨ ତା୧୯-୧୦-୨୦୨୩ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟରେ ବ୍ଲକ ଗ୍ରାଣ୍ଟ କୋଟାଗାଁ ବୀର ଚାଉଁରିଆ ଉଚ୍ଚ ବିଦ୍ୟାଳୟକୁ +୨ ପାଇଁ ଅପଗ୍ରେଡ କରାଯିବା ପ୍ରୋପଜାଲ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାପରେ ଚଳିତ ୨୦୨୪-୨୫ଶିକ୍ଷାବର୍ଷରୁ +୨ ଉଭୟ କଳା ଓ ବିଜ୍ଞାନ ପାଇଁ ନୂତନ ଭାବେ କୋଟାଗାଁ ବୀର ଚାଉଁରିଆ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କରାଯାଇଛି ।  +୨ କଳାରେ ୧୨୮, ବିଜ୍ଞାନରେ ୧୨୮ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ଅନଲାଇନରେ ନାମ ପଞ୍ଜୀକରଣ କରିବାକୁ ବିଦ୍ୟାଳୟ ପକ୍ଷରୁ ପ୍ରଚାର କରାଯାଇଥିଲା । କଳାରେ ୧୩୦ଜଣ, ବିଜ୍ଞାନରେ ୯୬ଜଣ ପଞ୍ଜୀକରଣ କରିଛନ୍ତି । ଏଥିପାଇଁ ଶିକ୍ଷକ ମଧ୍ୟ ନିଯୁକ୍ତି ହୋଇସାରିଛନ୍ତି । ଚଳିତ ମାସ ଏକ ତାରିଖରେ +୨ ପ୍ରବେଶିକା ଦିନ ଥିବାରୁ ପିଲାମାନେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପହଞ୍ଚିଥିଲେ । ତେବେ ବ୍ଲକ ଗ୍ରାଣ୍ଟ ଥିବା ବୀର ଚାଉଁରିଆ ଉଚ୍ଚ ବିଦ୍ୟାଳୟ ଅପଗ୍ରେଡ ହୋଇନଥିବା ସହ ସାଇଟ୍ ଖୋଲୁ ନଥିବାରୁ ଛାତ୍ରଛାତ୍ରୀ ନାମ ନ ଲେଖାଇ ଘରକୁ ଫେରି ଯାଇଥିଲେ । ସମସ୍ୟା ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ବିଦ୍ୟାଳୟ କର୍ତ୍ତୃପକ୍ଷ, ବିଭାଗୀୟ ଅଧିକାରୀ, ଡାବୁଗାଁ ବିଧାୟକ ମନହୋର ରନ୍ଧାରିଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୨୨୬ ଜଣ ଅନଲାଇନ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ରହିଅଛି । ଅନ୍ୟ ଶିକ୍ଷାନୁଷ୍ଠାନ ମାନଙ୍କରେ +୨ ପାଠ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ କୋଟାଗାଁ ବୀର ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ଜିଲ୍ଲା ପ୍ରଶାସନ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ତତ୍ପର ହୋଇ ଶୀଘ୍ର ସମାଧାନ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।