ଦାନଗଦୀରେ ଅଟକିଛି ଛ’ଥାକିଆ ରାସ୍ତା ନିର୍ମାଣ; ସ୍ୱତନ୍ତ୍ର ଶିଳ୍ପ କରିଡର କେବେ?

ଦାନଗଦୀ: ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ଟ୍ରାଫିକ୍ ସମସ୍ୟା ଅଣାୟତ ହୋଇଛି । ବିଶେଷକରି ଦାନଗଦୀରୁ ଡୁବୁରୀ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ହେଉନଥିବାରୁ ଏହି ରାସ୍ତା ପ୍ରବଳ ଭିଡ଼ ରହୁଛି । ସକାଳ ଓ ସନ୍ଧ୍ୟା ସମୟରେ ଅଧିକ ଜାମ୍ ରହୁଛି । 
ହଜାର ହଜାର ଶ୍ରମିକ ଓ କର୍ମଚାରୀ ଏଠାରେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ନେବାଆଣିବ ନିମନ୍ତେ ଶତାଧିକ ବସ୍ ଚାଲୁଛି । ସେହିପରି ବହୁ କର୍ମଚାରୀ ଓ କାର୍ ଯୋଗେ ଯିବାଆସିବା କରୁଛନ୍ତି । ଫଳସ୍ୱରୂପ ଦୈନିକ ସକାଳ ସମୟରେ ଦାନଗଦୀ ଠାରୁ ଡୁବୁରୀ ପର୍ଯ୍ୟନ୍ତ ବସ, କାର୍ ଓ ବାଇକ୍ରେ ଏହି ରାସ୍ତା ସମ୍ପୂର୍ଣ୍ଣ ଭିଡ଼ ରହୁଛି । ଏହାଦ୍ୱାରା ସ୍ୱାଭାବିକ ଭାବେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି ।ଏହି ସମସ୍ୟାକୁ ଦ୍ୱିଗୁଣିତ କରଛି ମାନପୁର ସଂକୀର୍ଣ୍ଣ ରେଳ ଓଭରବ୍ରିଜ୍ । ତାହା ପୁଣି ଖାଲ ଢିପ ହୋଇ ରହିଛି । ଦ୍ୱିତୀୟ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଧୀରମନ୍ଥର ଗତିରେ ଚାଲିଛି । ଫଳରେ ଏକମାତ୍ର ଓଭରବ୍ରିଜ ଉପରେ ଘଣ୍ଟାକୁ ହଜାର ଉପରେ ଗାଡ଼ି ଚଳାଚଳ କରୁଛି । ଘଣ୍ଟାଘଣ୍ଟା ଧରି ବ୍ରିଜ୍ ଉପରେ ଗାଡ଼ିଗୁଡ଼ିକ ଧାଡ଼ି ଲାଗୁଛି । ଏଠାରେ ଯାତ୍ରୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହୁଛି । ଦାନଗଦୀଠାରୁ ଡୁବୁରୀ, ମିଲିଟାରି ଛକଠାରୁ ବାଘବାହାଳି ବଙ୍ଗଳା, ବିଆରପିଏଲ୍, ଛକଠାରୁ ଗୋପବନ୍ଧୁ ମାର୍ଗ ଓ ଡୁବୁରୀ ଠାରୁ ବ୍ରହ୍ମଣୀସେତୁ ପର୍ଯ୍ୟନ୍ତ ଟ୍ରାଫିକ୍ ସମସ୍ୟା ରହିଛି । ସେହିପରି ରାସ୍ତା ଉପରେ ଅଧିକାଂଶ ସମୟରେ ଭାରୀଯାନ ରହୁଥିବା ବେଳେ ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶିଳ୍ପନଗରୀରେ ପାର୍କିଂୟାର୍ଡÿ ନାହଁ । ସକାଳ ସମୟରେ ଦାନଗଦୀ ଠାରେ ଟ୍ରାଫିକ ସମସ୍ୟା ଏତେ ଅଧିକ ରହୁଛି ଯେ ଡାକ୍ତରଖାନାକୁ ରୋଗୀମାନେ ଯାଇପାରୁନାହାନ୍ତି । ଲୋକମାନେ ସାଇକେଲ କି ଚାଲିଚାଲି ଯିବାକୁ ମଧ୍ୟ ସୁରକ୍ଷିତ ମଣୁନାହାନ୍ତି । ଅନ୍ୟପଟେ ଡୁବୁରୀ-ଚଣ୍ଡିଖୋଲ ରାଜପଥ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି । ମରଣଯନ୍ତା ପାଲଟିଛି ମାନପୁର ଓଭରବ୍ରିଜ, ଦୈନିକ ଘଣ୍ଟାଘଣ୍ଟା ଲାଗୁଛି ସେଇ ବ୍ରିଜ ରାସ୍ତା ଅତିକ୍ରମ କରିବା ପାଇଁ, ପୁରୁଣା ବ୍ରିଜ ଉପରେ ଛୋଟ ବଡ଼ ଖାଲ, ଗାଡ଼ ହୋଇ ଯାତାୟାତରେ ବାଧା ସୃଷ୍ଟି ହେଉଛି । ସନ୍ଧ୍ୟା ସମୟରେ ରାସ୍ତା କଡ଼ରେ ଆଲୋକର ବ୍ୟବସ୍ଥା ନଥିବାରୁ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆରୋହୀ ଓ ସାଇକେଲରେ ଯାତାୟାତ କରୁଥିବା ଶ୍ରମିକ ମାନେ, ମାନପୁର ଓଭର ବ୍ରିଜ ଠାରୁ ଜିନ୍ଦଲ କାରଖାନା ଫାଟକ ସମ୍ମୁଖ ପର୍ଯ୍ୟନ୍ତ ତାଳେଚର କୋଇଲା ଗାଡିଙ୍କ କବଜାରେ ରହୁଛି ରାସ୍ତା, ତା ସହିତ ଧୂଳି ଗୁଣ୍ଡ ଉଡି ପ୍ରଦୁ୍ୟଷଣ ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀଙ୍କୁ ନାକେଦମ କରୁଛି । ଏହି ଅଞ୍ଚଳଟି ଦୁର୍ଘଟଣା ପ୍ରବଣ ଅଞ୍ଚଳ ହୋଉଛି । ଜିନ୍ଦଲ କାରଖାନାର ଛୁଟି ସମୟରେ ରାସ୍ତାର ଡାହାଣ ପାର୍ଶ୍ୱରୁ ଶହଶହ ବାଇକ ଆସିବା ସହ କୋଇଲା ଭାରୀ ଯାନ ରାଜରାସ୍ତାରେ ଯାତାୟାତ ଆରୋହୀଙ୍କ ପାଇଁ ବିପଦ ହେଉଛି, କଳିଙ୍ଗନଗରରେ ଥିବା ମାନପୁର ରେଲ ସାଇଡ୍ରୁ ଦୈନିକ ଶହଶହରେ ହାଇୱା ଖଣିଜ ପରିବହନ କରି ଯାଉଥିବାରୁ ଅଧିକାଂଶ ସମୟରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି । ଜିନ୍ଦଲ କାରଖାନା ସମ୍ମୁଖ ରାସ୍ତାଟି କୋଇଲା ଗାଡିଙ୍କ କବଜାରେ ଦିନରାତି ଭିଡ଼ ରହୁଛି । ଦାନଗଦୀ ବଜାରରେ ଥିବା ଅଧିକାଂଶ ଲୋକ କ୍ଷତିପୂରଣ ପାଇ ନଥିବାରୁ ଏଠାରେ ଏଯାଏ ଉଚ୍ଛେଦ ହୋଇପାରି ନାହିଁ । ଏଥିଯୋଗୁଁ ଛଅ ଥାକିଆ ରାସ୍ତା ନିର୍ମାଣ ଅଧାରେ ଅଟକିଛି । ଅଧିକାଂଶ ଉଠା ଦୋକାନୀ ରାସ୍ତା ଉପରେ ବସୁଥିବାରୁ ସମସ୍ୟା ଆହୁରି ଗୁରୁତର ହେଉଛି । ସିଙ୍ଗାଗାଡ଼ିଆ ଛକରେ ରାସ୍ତା ଉପରେ ଉଠା ଦୋକାନୀଙ୍କର ଭିଡ଼, ଶିଳ୍ପାଞ୍ଚଳ ପାଇଁ ସ୍ୱତନ୍ତ୍ର ଶିଳ୍ପ କରିଡର ନିର୍ମାଣ କରିବା ଜରୁରୀ ହୋଇପଡ଼ିଛି । ଭବିଷ୍ୟତକୁ ଆଖି ଆଗରେ ରଖି କେନ୍ଦୁଝର ଜିଲାର ଯୋଡ଼ାପରି ଏଠାରେ ମଧ୍ୟ ଭାରୀଯାନ ଚଳାଚଳ ପାଇଁ ଫ୍ଲାଏଓଭର ନିର୍ମାଣ କରିବାର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ଦେଇଛନ୍ତି । ଶିଳ୍ପନଗରୀରେ ଏହି ରାସ୍ତାର ସମସ୍ୟାକୁ ତୁରନ୍ତ ଦୃଷ୍ଟି ଦେଇ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ମାଷ୍ଟର ପ୍ଲାନ କରିବା ଜରୁରୀ ହୋଇ ପଡିଛି ।