ବ୍ୟାସସରୋବର ସୌନ୍ଦର୍ଯ୍ୟକରଣ : ଯାହା କୁହାଯାଇଥିଲା ବାସ୍ତବରେ ତାହା ନୁହେଁ

ାା ପ୍ରଭାନୁ୍ୟଜ ।ା ବ୍ୟାସନଗର : କୌଣସି ବି ସମୟରେ ଲୋକର୍ପଣ ହେବ ବ୍ୟାସସରୋବ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପଣ କରାଇବାକୁ କୋରେଇ ବିଧାୟକ ମନସ୍ତ କରିଥିବା ବେଳେ ଏନେଇ କିନ୍ତୁ ଦିନଧାର୍ଯ୍ୟ ହୋଇନି । କିନ୍ତୁ ବ୍ୟାସ ସରୋବରର ନବକଳେବର ପ୍ରକଳ୍ପ ଲୋକାର୍ପଣକୁ ପୌରବାସୀ ଅନାଇ ରହିଛନ୍ତି । କୋଟି କୋଟି ଟଙ୍କାର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ପାଇଁ ଯେଉଁ ନିଳନକ୍ସା ୩ବର୍ଷ ତଳେ କରାଯାଇଥିଲା, ସେହି ମତେ କାର୍ଯ୍ୟ କିନ୍ତୁ ହୋଇନି । 
ଭୂମିପୂଜନ ବେଳେ ଯେଉଁ ନିଳନକ୍ସା ପ୍ରଦର୍ଶନ କରାଯାଇଥିଲା, ଯଦି ତାହାକୁ ନିରିଖେଇ ଦେଖାଯାଏ, ତେବେ ବହୁ ଅସମାନତା ପରିଲକ୍ଷିତ ହେବ । ପୁରାଣପ୍ରସିଦ୍ଧ ବ୍ୟାସସରୋବର ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିଲେ ହେଁ ନାଁ ଉନ୍ନତିକରଣ ହୋଇଥିଲା ନାଁ ସୌନ୍ଦର୍ଯ୍ୟକରଣ ନିମନ୍ତେ ଆଗ୍ରହ ଦେଖାଯାଉଥିଲା । ପ୍ରାକ୍ତନ ମନ୍ତ୍ରୀ ଶରତ ରାଉତଙ୍କ ସମୟରେ ବ୍ୟାସ ସରୋବର ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିଲେ ହେଁ ଅବହେଳିତ ଅବସ୍ଥାରେ ପଡ଼ିରହିଥିଲା । ରାଘୁଜୀ ଗୋସ୍ୱାମୀ ପୀଠ କି ଗୁପ୍ତ ଗଙ୍ଗାର ଉନ୍ନତିକରଣ ପାଇଁ ପଇସାଟିଏ ବିନିଯୋଗ ହୋଇନଥିଲା । ପୌରବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ପରେ ବିଜେଡ଼ି ସରକାର ସରୋବର ପୀଠର ଉନ୍ନତକରଣ ସହ ସୌନ୍ଦର୍ଯ୍ୟକରଣ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ତେବେ ବ୍ୟାସନଗରକୁ ରାଜ୍ୟ ସରକାର ୨୦୨୦ ଅଗଷ୍ଟ ମାସରେ ଜିଲା ଖଣିଜ ନ୍ୟାସ ବା ଡିଏମ୍ଏଫରେ ସାମିଲ କରିବା ପରେ ୬୪କୋଟି ଟଙ୍କା ବ୍ୟାସସରୋବର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ବରାଦ କଲେ । ଅର୍ଥ ବରାଦ ପରେ ୨୦୨୧ ମସିହା ଡିସେମ୍ବର ୧୫ ତାରିଖରେ ବ୍ୟାସ ସରୋବର ସୌନ୍ଦର୍ଯ୍ୟକରଣ ନିମନ୍ତେ ସେସମୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନସ ମାଧ୍ୟମରେ ଭିତିପ୍ରସ୍ତର କରିଥିବା ବେଳେ ତହିଁପରଦିନ ଅର୍ଥାତ ୧୬ତାରିଖ କୋରେଇ ବିଧାୟକ ଅଶୋକ ବଳ, ଯାଜପୁର ବିଧାୟକ ପ୍ରଣପ ପ୍ରକାଶ ଦାସ ଓ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ କାର୍ଯ୍ୟ ଆରମ୍ଭ ନିମିତ ଭୂମିପୂଜନ କରିଥିଲେ । ଭୂମିପୂଜନ ବେଳେ ବିଧାୟକଙ୍କ ସହ ଜିଲାପ୍ରଶାନ ଏବଂ ଠିକାସଂସ୍ଥା ପକ୍ଷରୁ ଯେଉଁ ନିଳନକ୍ସା ପ୍ରଦର୍ଶନ କରାଯାଇଥିଲା, ସେଥିରେ ପୌରାଣିକ ତତ୍ତ୍ୱ ବହନ କରୁଥିବା ବ୍ୟାସ ସରୋବର ପୀଠ ଚମକିବ ବୋଲି କୁହାଯାଇଥିଲା । ମହାଭାରତର ଭିତ୍ତିଭୂମି ଆଧାରରେ ସରୋବର ପୀଠକୁ ବିକଶିତ କରାଯିବ । ସରୋବରରେ ଦ୍ୱାପର ଯୁଗର ମହାଭାରତକୁ ଉଦ୍ଜୀବିତ କରାଯିବ । ପାଣ୍ଡବ-କୌରବ, ଭୀଷ୍ମଙ୍କ ଶରଶଯ୍ୟା ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ବିଶ୍ୱରୁପ ସ୍ଥିତି ବହନ କରିବ ବ୍ୟାସ ସରୋବର । ୨୯୪ଏକର ଜମିରେ ସରୋବରର କାୟାକୁ ଉନ୍ନତିକରଣରେ ବଦଳାଇ ଦିଆଯିବ । ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏନଜିଟି ଛାଟ ଯୋଗୁ ଯଦିବା କିଛିଟା ପ୍ରତିବନ୍ଧନ ସାଜିଥିଲା ସ’ତ କିନ୍ତୁ କାର୍ଯ୍ୟରେ କୌଣସି ସମସ୍ୟା ସୃଷ୍ଟି ହୋଇନଥିଲା । ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତେଇଥିବା ଏମବିସିସି ଠିକାସଂସ୍ଥା କରୁଥିବା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ହେଁ ଯାହା କୁହାଯାଇଥିଲା, ବାସ୍ତବତାରେ କିନ୍ତୁ ତାହା ଦେଖିବାକୁ ମିଳୁନି । ସୌନ୍ଦର୍ଯ୍ୟକରଣରେ ମହାଭାରତର ଗାଥାକୁ ପ୍ରଦର୍ଶନ କରାଯିବାକୁ ଆରମ୍ଭରୁ କୁହଯାଇଥିଲେ ହେଁ ଗୋଟିଏ ଦୁଇଟିକୁ ଛାଡ଼ିଦେଲେ ତାର କାଣିଚାଏ ବି ଉଦାହରଣ ଦେଖିବାକୁ ମିଳୁନି । ସୌନ୍ଦର୍ଯ୍ୟକରଣ ମାତ୍ର କେଇଏକର ଜମି ଭିତରେ କରାଯାଇଥିବା ବେଳେ ପାଦଚଲା ରାସ୍ତା ଅଧିକ କରାଯାଇଛି । ଆମୋଦ ପ୍ରମୋଦ ପାଇଁ ଯାହା କରାଯିବା କଥା ସେଭଳି କିଛି ଦେଖିବାକୁ ମିଳିନି । ଯାହାବି କରାଯାଇଛି, ସେଥିମଧ୍ୟରୁ କିଛିଟା ଲୋକାର୍ପିିତ ହେବା ପୂର୍ବରୁ ଭାଙ୍ଗିରୁଜି ଗଲାଣି । ସୌନ୍ଦର୍ଯ୍ୟକରଣ ପାଇଁ ଯେଉଁ ଗଛ ଲଗାଯାଇଥିଲା ତାହା ଖାଲୁଆ ଅଞ୍ଚଳ ହୋଇଥିବାରୁ ପାଣି ଜମି ପଜିବାକୁ ଲାଗିଲାଣି । ପାଦଚଲା ରାସ୍ତା ଘାସବଣରେ ପରିଣିତ ହୋଇପଡ଼ିଛି । ବୋଟିଂ ପାଇଁ ଯେଉଁ ବ୍ୟବସ୍ଥା କରାଯାଇଛି, ତାହା ମଧ୍ୟ ଅସପୂର୍ଣ୍ଣ ରହିଥିବା ବେଳେ ପାଣିରେ ଲତାମାଡ଼ି ଗଲାଣି । ଯାଜପୁର ଜିଲାର ଅନ୍ୟତମ ଏହି ପର୍ଯ୍ୟଟନ କ୍ଷେତ୍ର ସୌନ୍ଦର୍ଯ୍ୟକରଣ କ୍ଷେତ୍ରରେ ଯେଉଁ ଅସମାନତା ପରିଲକ୍ଷିତ ହୋଇଛି, ତାହାର ଅନୁଧ୍ୟାନ କରାଯାଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।