କାଠ ମାଫିଆ ସାଜିଛନ୍ତି ଠିକାଦାର
ନିମାପଡାରୁ ରାଜକିଶୋର ଦାଶ : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷା ଓ ଶିକ୍ଷାୟତନ ଭିତିଭୂମିର ସୁଦୃଢ଼ ନିମନ୍ତେ ଅନେକ ଯୋଜନା କରି ପର୍ଯ୍ୟାପ୍ତ ପରିମାଣର ଅର୍ଥ ଯୋଗାଇ ଦେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ମନମାନି ଯୋଗୁଁ ତାହାର ସଠିକ୍ ବିନିଯୋଗରେ କିପରି ଅନ୍ତରାୟ ସୃଷ୍ଟି ହେଉଛି । ତାହାର ନିଛକ ଉଦାହରଣ ନିମାପଡ଼ା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି । ଏଠି କାଠ ମାଫିଆ ସାଜିଛନ୍ତି ଠିକାଦାର । ବେଆଇନ ସ’ମିଲ ଚଲାଉଥିବା ଜଣେ କାଠ ମାଫିଆ ଏବେ ନୂଆ ନୂଆ ଠିକାଦାର ସାଜି ୫ଟି ବିଦ୍ୟାଳୟ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା କରୁଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି । ସ୍ଥାନୀୟ ବ୍ଲକ୍ ଅନ୍ତର୍ଗତ ଧନୁଆଁ ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀ ନିକଟରେ ସରକାରୀ ଅନୁଦାନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ୫ଟି ବିଦ୍ୟାଳୟ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ୫ଟି ବିଦ୍ୟାଳୟ କାର୍ଯ୍ୟ ସେହି ଅଞ୍ଚଳର ଜଣେ ବିଖ୍ୟାତ ଚୋରା କାଠ ମାଫିଆ କରୁଥିବା କଥା ଏବେ ସାମ୍ନାକୁ ଆସିଛି । ତେବେ ଏହି ମାଫିଆ ଜଣଙ୍କୁ କିପରି ଏହି ସ୍କୁଲ କାର୍ଯ୍ୟାଦେଶ ଦିଆ ଯାଇଛି ତାହା ସାଧାରଣରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ସରକାରୀ ଅର୍ଥରେ ନିର୍ମାଣ ହେଉଥିବା ଏହି ସ୍କୁଲ ଗୃହରେ ଅନେକ ଛାତ୍ର ଛାତ୍ରୀ ପାଠ ପଢୁଥିବା ଥିବା ବେଳେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ଜୀବନ ପ୍ରତି ସମ୍ପୂର୍ଣ୍ଣ ବିପଦ ଥିବା କଥା ଅଞ୍ଚଳ ବାସୀ କହିଛନ୍ତି । ଏହି କାର୍ଯ୍ୟର ଉଚ୍ଚ ସ୍ତରୀୟ ତଦନ୍ତ ଦାବି ହେଉଛି । ଏପଟେ ଠିକାଦାର ଜଣଙ୍କ କାଠ ମାଫିଆ ଥାଇ ଅଞ୍ଚଳରେ ଅନେକ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା କଥା ମଧ୍ୟ ଜଣାପଡିଛି ।ତୁରନ୍ତ ବିଭାଗୀୟ ଅଧିକାରୀ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟର ସଠିକ୍ ତଦାରଖ କରିବା ସହିତ ଏହିଭଳି ଜଣେ ଆସାଧୁ ଓ ଚୋରା କାଠ ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବି ଯୋର ଧରିଛି ।