କାଳୀପୂଜା ଉପଲକ୍ଷେ ଆକର୍ଷଣୀୟ ହେଉଛି ମା ଭଦ୍ରକାଳୀ ପୀଠ

କାଳୀପୂଜା ଉପଲକ୍ଷେ ଆକର୍ଷଣୀୟ ହେଉଛି ମା ଭଦ୍ରକାଳୀ ପୀଠ

 
ଭଦ୍ରକ : - ପୁରାଣ ପ୍ରସିଦ୍ଧ ଶକ୍ତି ପୀଠ ମା’ ଭଦ୍ରକାଳୀ ପୀଠ କାଳୀପୂଜା ଉପଲକ୍ଷେ ଉତ୍ସବ ମୁଖର ହୋଇ ଉଠିଛି । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ କାଳୀପୂଜା ଅବସରରେ ସପ୍ତଦିବସ ବ୍ୟାପୀ ମହାଯଜ୍ଞ ଓ ମା’ଙ୍କର ସପ୍ତମାତୃକା ବେଶ ଅନୁଷ୍ଠିତ ହୋଇଥାଏ । ଚଳିତ ମାସ ୩୧ ତାରିଖ ଠାରୁ ମା’ଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞର ଶୁଭାରମ୍ଭ ହୋଇ ଆସନ୍ତା ନଭେମ୍ବର ମାସ ୬ ତାରିଖରେ ପୂର୍ଣ୍ଣାହୁତି ହେବ । ଏହି ସପ୍ତଦିବସ ବ୍ୟାପୀ ମହାଯଜ୍ଞରେ ମା’ ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ନୂଆ ବେଶରେ ପୂଜା ପାଇବାର ପରମ୍ପରା ରହିଛି । ମହାଯଜ୍ଞର ଶୁଭାରମ୍ଭ ତିଥିରେ ପବିତ୍ର ସାଳନ୍ଦୀ ନଦୀର ଆହାରପଦା ଘାଟରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଦ୍ୱାରା ବିଭିନ୍ନ ବାଦ୍ୟ, ସଂକୀର୍ତନ ସହ ଏକ ବିଶାଳ ମାନସିକ କଳସ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ମାନସିକଧାରୀ ଭକ୍ତମାନେ କଳସ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିଜ ନାମ ପଞ୍ଜିକରଣ ଆରମ୍ଭ ହୋଇଛି । ମା’ ଭଦ୍ରକାଳୀ ସପ୍ତଦିବସ ମଧ୍ୟରେ ବେଦମାତା, ମହାକାଳୀ, ରାଜରାଜେଶ୍ୱରୀ, ସିଂହବାହିନୀ, ଜଗଦ୍ଧାତ୍ରୀ, ମହାସରସ୍ୱତୀ ଏବଂ ମହାଲକ୍ଷ୍ମୀ ବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେବେ । ଭକ୍ତମାନଙ୍କ ଉଦେ୍ଦଶ୍ୟରେ ମନ୍ଦିର ପ୍ରଶାସନ ତଥା ସେବାୟତମାନଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମନ୍ଦିରର ସିଂହଦ୍ୱାର ଠାରୁ ଯଜ୍ଞ ମଣ୍ଡପ ଓ ମା’ଙ୍କର ପୂଜା ମଣ୍ଡପ ଆକର୍ଷଣୀୟ ହୋଇଛି । ମହାଯଜ୍ଞ ନିମନ୍ତେ ଆଲୋକ ସଜ୍ଜା, ତୋରଣ, ପାନୀୟ ଜଳ, ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନତା, ପୂଜା ରୀତିନୀତି ଓ ସମୟ ନିର୍ଘଂଟ ତଥା ପୂର୍ଣ୍ଣାହୁତି ଅବସରରେ ଭକ୍ତମାନଙ୍କ ନିମନ୍ତେ ପହୁଡ଼ ଭୋଗ ସମ୍ପନ୍ନ କରିବା ପାଇଁ ମନ୍ଦିର ତରଫରୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ସପ୍ତମାତୃକା ବେଶ ଓ ସପ୍ତଦିବସ ମହଯଜ୍ଞ ଅବସରରେ ମନ୍ଦିର ମଧ୍ୟରେ ଶତଚଣ୍ଡୀ ପାଠ, ହୋମଯଜ୍ଞ, ଭାଗବତ ପାଠ, ନାମ ସଂକୀର୍ତନ ଓ ଗୀତା ପାଠ ସପ୍ତଦିବସ ବ୍ୟାପୀ ଚାଲୁ ରହିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।