କୃଷିଭିତ୍ତିକ ଶିଳ୍ପକୁ ଗୁରୁତ୍ୱ
ଯୁଧିଷ୍ଠିର ମହାରଣା : ଓଡ଼ିଶାରେ ଏବେ ଡବଲ ଇଞ୍ଜିନ ସରକାର । ପୁରୁଣା ସରକାର ଯିବା ପରେ ନୂଆ ସରକାରଙ୍କ ଆଗମନ । ଅନେକ ଯୋଜନା, କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି, ହେବା ମଧ୍ୟ ସ୍ୱାଭାବିକ । କାରଣ ଉଭୟ କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ସରକାର ରହିଲେ ସ୍ୱାଭାବିକ ଭାବେ ଗୋଟିଏ ରାଜ୍ୟ ବିକାଶ ଲାଭ କରିଥାଏ ସେ ଦୃଷ୍ଟିରୁ ଦେଖିବାକୁ ଗଲେ ଓଡ଼ିଶାରେ ବିକାଶର କାର୍ଯ୍ୟକ୍ରମ ଚାଲିଛି । ତେବେ ଏସବୁ ଭିତରେ ଗୋଟିଏ ଛୋଟିଆ ପ୍ରସଙ୍ଗ ଉପରେ ମୁଁ ଆଲୋଚନାଟି ରଖୁଛି । ବର୍ତ୍ତମାନର ବଜାର ଦରକୁ ଦେଖିଲେ ଚିନି ଓ ତେଲ ପରି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ପ୍ରାୟତଃ ଚଢ଼ା ରହୁଛି । ଓଡ଼ିଶାରେ ଆଖୁ ଓ ବିଭିନ୍ନ ଶସ୍ୟରାଶି ପ୍ରଚୁର ଅମଳ ହେଉଛି କିନ୍ତୁ ଆମ ରାଜ୍ୟରେ ଦିନେ ସକଳ ଥିବା ଚିନିକଳ, ତେଲକଳ ଏବଂ ସୂତା କଳ ଗୁଡ଼ିକ ଏବେ ଅଚଳ । ଆଉ କେତୋଟିର ତ ଅସ୍ତିତ୍ୱ ନାହିଁ । ଚିନିକଳ ଆଖୁ ଚାଷୀଙ୍କୁ ରୋଜଗାର ଦିଏ, ତେଲ କଳ ଚିନାବାଦାମ, ସୂର୍ଯ୍ୟମୁଖୀ ଏବଂ ସୋରିଷ ଚାଷୀଙ୍କୁ ଲାଭବାନ କରାଏ, ସୂତାକଳ କପାଚାଷୀଙ୍କୁ ରୋଜଗାରକ୍ଷମ କରେ । ଏସବୁ କଳ ଚାଲିଥିବା ସମୟରେ ଏଥିରେ ଅନେକ ଲୋକ କର୍ମ ସଂସ୍ଥାନ ପାଇଥିଳେ । ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଏସବୁ କୃଷିଭିତ୍ତିକ ଶିଳ୍ପ ଅନେକ ରୋଜଗାର ସୃଷ୍ଟି କରିପାରିଥିଲା ।
ଧାନଚାଷ ସହିତ ବିକଳ୍ପ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଏସବୁ ଶିଳ୍ପର ପୁନରୁଦ୍ଧାର ପାଇଁ ସରକାର ଆନ୍ତରିକତା ସହ ଉଦ୍ୟମ କରିବା ଜରୁରି । ଆଖୁର ଅଭାବୀ ବିକ୍ରି ପାଇଁ ଅନେକ ଚାଷୀ ଏବେ ଆଖୁଚାଷ ଆଡ଼ୁ ମୁହଁ ଫେରାଇ ନେଲେଣି । ଏମାନେ ଦାଦନ ମୁହାଁ ହେଉଛନ୍ତି । ନିକଟରେ ସରକାରୀ ଭାବେ ଏକ ଘୋଷଣା ଅନୁଯାୟୀ ରାଜ୍ୟରେ ଚିନିକଳର ପୁନରୁଦ୍ଧାର ପାଇଁ ନୂଆ ସରକାର ଅଣ୍ଟା ଭିଡ଼ିଛନ୍ତି । ଚିନିକଳର ଆଧୁନିକରଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିପାଇଁ ଏକ ଟାସ୍କଫୋର୍ସ ଗଠନ କରାଯିବ ବୋଲି ଜଣା ଯାଇଛି । ଏଇ ଟାସ୍କଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ତଥା ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ସଦସ୍ୟ ରହିବେ ।
ଆମ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଭିତରେ ଦେଖିବାକୁ ଗଲେ ନୟାଗଡ଼ ଏବଂ ବାଙ୍କି ଅଞ୍ଚଳରେ ଆଖୁ ଚାଷ ପାଇଁ ଅନୁକୂଳ ମାଟି, ପାଣି ପବନ ରହିଛି । ଆଖୁ ଭଲ ଅମଳ ଦିଏ ଏଠି । ଦିନେ ନୟାଗଡ଼ ଚିନିକଳ ଏ ଅଞ୍ଚଳ ଚାଷୀଙ୍କ ଆଖୁକୁ କିଣି ନେଉଥିଲେ । ଏବେ ସେ ସବୁ ଅଞ୍ଚଳର ଚାଷୀ ଅଭାବୀ ବିକ୍ରିର ସାମ୍ନା କରୁଛନ୍ତି ଚିନିକଳ ବନ୍ଦ ହୋଇଯିବା କାରଣରୁ । ପଡେ଼ାଶୀ ରାଜ୍ୟର ଦଲାଲମାନେ ଶସ୍ତାରେ ଆଖୁ କିଣି ନେଉଛନ୍ତି ଚାଷୀଙ୍କ ଠାରୁ । ଧାନଚାଷ ପାଇଁ ଯେଉଁ ସବୁ କ୍ଷେତ ଉପଯୁକ୍ତ ନ ହୁଏ ସେ ସବୁ କ୍ଷେତ୍ରରେ ଆଖୁଚାଷ କରାଯାଇପାରେ । ତେଣୁ ଏ ଅଞ୍ଚଳରେ ମଧ୍ୟ ଏକାଧିକ ଚିନିକଳର ଆବଶ୍ୟକତା ରହିଛି ।
ରାଜ୍ୟରେ ଅନେକ ସୂତାକଳ ବନ୍ଦ ପଡ଼ିଛି । ଆମ ରାଜ୍ୟ ପ୍ରକାର ଗୁଣାତ୍ମକ ମାନ ଉନ୍ନତ ହୋଇଥିବାରୁ ବିଦେଶରେ ମଧ୍ୟ ଓଡ଼ିଶା କପାର ଚାହିଦା ରହିଛି । ତେଣୁ ଆମେ ଆମ ରାଜ୍ୟର କପାକୁ ସୂତାରେ ରୂପାନ୍ତରିତ କରି ବାହାର ରାଜ୍ୟ ଏବଂ ଦେଶକୁ ମଧ୍ୟ ବିକି ପାରନ୍ତେ । ଏଥିରେ ରାଜ୍ୟର ଚାଷୀ ଉପକୃତ ହେବା ସହିତ ଆମ ରାଜ୍ୟର ହସ୍ତତନ୍ତ ଶିଳ୍ପୀକୁ ମଧ୍ୟ ଏହା ପ୍ରୋତ୍ସାହିତ କରନ୍ତା । ଏବେ ଦେଶ ବିଦେଶରେ କଟନ ପୋଷାକର ଚାହିଦା ବଢ଼ୁଛି । ତେଣୁ ଆମ ରାଜ୍ୟରେ ଉନ୍ନତମାନର ସୂତା କପଡ଼ା ମଧ୍ୟ ତିଆରି ହୋଇପାରନ୍ତା ଆମ ରାଜ୍ୟର ଉନ୍ନତ କପାରେ । ଆମ ରାଜ୍ୟର ହସ୍ତତନ୍ତ ଶାଢ଼ିର ସୁନାମ ରହିଛି ଦେଶ ବିଦେଶରେ । କିନ୍ତୁ ଦୁର୍ଭାଗ୍ୟର କଥା ଆମ ରାଜ୍ୟର ବୁଣାକାରମାନେ ଅନ୍ୟ ରାଜ୍ୟରୁ ସୂତା କିଣୁଛନ୍ତି । ତେଣୁ ଏବେ ସମୟ ଆସିଛି କୃଷିଭିତ୍ତିକ ଶିଳ୍ପଗୁଡ଼ିକୁ ପୁଣିଥରେ କିଭଳି ସଚଳ କରେଇହେବ ଏବଂ ଅଧିକ ସଂଖ୍ୟକ ଏଭଳି ଶିଳ୍ପ କିଭଳି କରାଯାଇପାରିବ ସେ ଦିଗରେ ଗୁରୁତ୍ୱର ସହ ଚିନ୍ତା କରିବାର ବେଳ ଆସିଛି । ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ଏବଂ କୃଷି ରାଜ୍ୟ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ନେଉଥିବାରୁ ଓଡ଼ିଶାରେ ବିଶେଷକରି ଆଖୁଚାଷ ଓ କପାଚାଷକୁ ଗୁରୁତ୍ୱ ଦେଲେ ଏହା ଧାନ ଓ ଅନ୍ୟ ଶସ୍ୟପରି ଲାଭଜନକ ହୋଇପାରନ୍ତା ।
ଆମ ଅର୍ଥନୀତିର ବଡ଼ ଘୋଷଣା କହୁଛି ଚାଉଳ ଏବଂ ଗହମ ଉତ୍ପାଦନରେ ଦେଶ ବଳକା ହୋଇ ସାରିଛି ଦେଶ । ୨୦୨୦ ମସିହାରୁ ପୂର୍ବ ଭାରତରେ ସବୁଜ ବିପ୍ଳବ କାର୍ଯ୍ୟକ୍ଷମ କରାଯାଉ ନାହିଁ । ଜଳବାୟୁ ପରିବର୍ତ୍ତନ, ଅପପୁଷ୍ଟି ମୁକାବିଲା ମୁଖ୍ୟ ଚ୍ୟାଲେଞ୍ଜ ଭାବେ ଉଭା ହେଲାଣି । ଏପରିସ୍ଥଳେ ରାଜ୍ୟ ସରକାର ଧାନ ଚାଷକୁ ହ୍ରାସ କରି ଫସଲ ବିବିଧୀକରଣକୁ ଗୁରୁତ୍ୱ ଦେଉଛନ୍ତି । ହେଲେ ଉଦବେଗର ବିଷୟ ହେଉଛି, ଏସବୁର ପ୍ରଭାବ ଚାଷ ଜମିରେ ପରିଲକ୍ଷିତ ହେଉନାହିଁ । ୨୦୨୦ ମସିହାରେ ସମୁଦାୟ ୭୯ ଲକ୍ଷ ୬୬ ହଜାର ହେକ୍ଟର ଚାଷ ଜମିରୁ ୪୯.୩୨% ଜମିରେ ଅଣଧାନ ଚାଷ ହେଉଥିଲା । ୨୦୨୧ ମସିହାରେ ୭୯ଲକ୍ଷ ୫୧ ହଜାର ହେକ୍ଟରରୁ ୫୦.୪୪% ଅଣଧାନ ଚାଷ ଥିଲା । ୨୦୨୩ ମସିହାରେ ଫସଲ ବିବିଧୀକରଣ କାର୍ଯ୍ୟକ୍ରମ ଅନ୍ତର୍ଗତରେ ୧୩୦.୯୫ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ୧ଲକ୍ଷ ୮୯ ହଜାର ୭୮୩ ଚାଷୀଙ୍କୁ ଦିଆଯିବା ପରେ ସ୍ଥିତିରେ ବିଶେଷ ଉନ୍ନତି ଘଟିନାହିଁ । ବରଂ ରାଜ୍ୟରେ ବର୍ତ୍ତମାନ ସମୁଦାୟ ୮୧ ଲକ୍ଷ ୮୪ ହଜାର ହେକ୍ଟର ସମୁଦାୟ ଚାଷ ଜମିରୁ ୫୦.୩୪% ଜମିରେ ଅଣଧାନ ଚାଷ ହେଉଛି । ପୂର୍ବାପେକ୍ଷା ଏହା କମିବା ଆରମ୍ଭ କଲାଣି ।
ପୂର୍ବତନ ଦିବଂଗତ ପ୍ରଧାନମନ୍ତ୍ରୀ ଲୋକପ୍ରିୟ କଥାଟି କହିଥିଲେ "ଜୟ ଜବାନ, ଜୟ କିଶାନ' । ହେଲେ ଆଜି କିଶାନ ଅର୍ଥାତ୍ ଚାଷୀପୁଅଟି କ୍ଷେତରେ କାନ୍ଦୁଛି । ପ୍ରୋତ୍ସାହନ ନାହିଁ । ଏପଟେ ଚାଷ କ୍ଷେତକୁ ଠିକ ଭାବେ ପାଣି ପହଞ୍ଚୁନି । ବନ୍ୟା, ମରୁଡ଼ି ତ ଚାଷୀର ସବୁ ଦିନିଆ ବନ୍ଧୁ । କେଉଁଠି ଅଭାବୀ ଚାଷୀଟି ଆତ୍ମହତ୍ୟା କଲାଣି ଆଉ ରାଜ୍ୟରେ ଶୀତଳ ଭଣ୍ଡାର ନଥିବାରୁ ଉତ୍ପାଦନ ସମୟରେ ଫସଲ ଟଙ୍କାକରେ ବିକ୍ରି ହେଉଥିବାବେଳେ ଝାଳବୁହା ପରିଶ୍ରମର ମୂଲ୍ୟ ଉଠୁନି । ଏସବୁ ଦେଖିଲେ ଚାଷବାସ ପ୍ରତି ଯୁବପିଢ଼ି କିପରି ଆଉ ଆଗ୍ରହ ରଖିବେ ତାହା ବଡ଼କଥା । ଟଙ୍କିକିଆ ଚାଉଳ, ପ୍ରଚାର ସର୍ବସ୍ୱ ଭୋଟକିଣା ରାଜନୀତି, ଚଷାପୁଅର ଅର୍ଥନୀତିକୁ ବଳ ଦେଇନଥାଏ ବରଂ ଅଳସୁଆ ଓ ନିକମା କରିଥାଏ । ଚଷାପୁଅ ପାଇଁ ବଡ଼ କଥା ହେଉଛି ସ୍ଥିର ବଜାର ଦର, ପର୍ଯ୍ୟାପ୍ତ ଶୀତଳ ଭଣ୍ଡାର, ବ୍ୟାଙ୍କର ସହଯୋଗ, ଉନ୍ନତ ଜଳସେଚନ ଓ ସୂଚନା ପ୍ରଯୁକ୍ତିର ଚାଷବାସ ପାଇଁ ସହଯୋଗ ଓ କଳା ବଜାରୀ ତଥା ଅଭାବୀ ବିକ୍ରି ପାଇଁ ସରକାରୀ ଦୃଢ଼ ନୀତି । ବଜାରରେ ତୈଳଜନିତ ମୂଲ୍ୟର ଦାମ ବଢ଼ିଲେ ପରୋକ୍ଷ ଭାବେ ଚାଷୀଟି କ୍ଷତିଗ୍ରସ୍ତ ହୋଇଥାଏ । ସରକାର ଯେଉଁପରି ବିଭିନ୍ନ ପ୍ରୋତ୍ସାହନ ଓ ସହଯୋଗ ସବୁ ଘୋଷଣା କରୁଛନ୍ତି ତାହା ବାସ୍ତବରେ କିନ୍ତୁ ସତ ହୋଇପାରି ନଥାଏ । ବଡ଼ ବ୍ୟବସାୟୀ ଓ ମୁନାଫାଖୋର ମାନଙ୍କ ବିଷଚକ୍ର ଭିତରେ ନିରୀହ ଚାଷୀଟି ବଳି ପଡ଼ିଯାଏ । ଉପଭୋକ୍ତାଙ୍କ ସ୍ୱାର୍ଥ ପାଇଁ ଖାଉଟି କଲ୍ୟାଣ ନୀତି ନାହିଁ । ବିପୁଳ ଧନ ଖଟାଇ ନିର୍ବାଚନ ବୈତରଣୀ ପାର ହେବାପରେ କାଶିଆ କିଏ ନା କପିଳା କିଏ ନ୍ୟାୟରେ ଖାଉଟିଙ୍କ ସ୍ୱାର୍ଥକୁ ଫୁ କରିଦେବା ଆମ ସାଧାରଣ ଜୀବନ ଦର୍ଶନରେ ପରିଣତ ହୋଇସାରିଲାଣି । ଏସବୁ ଭିତରେ ଜାତୀୟ ତଥା କ୍ଷେତ୍ରୀୟ ସରକାରମାନେ ଜନସ୍ୱାର୍ଥକୁ ଗୁରୁତ୍ୱ ଦେଇ ମହଙ୍ଗା ସ୍ଥିତିକୁ କିପରି ବଜାରକୁ ଦେଖି ମୁକାବିଲା କରିହେବ ସେ ପଦକ୍ଷେପ ନେବା ଜରୁରି । ଏକ ଗଣତାନ୍ତ୍ରିକ ଜନମଙ୍ଗଳ ରାଷ୍ଟ୍ରରେ ଜନସ୍ୱାର୍ଥକୁ ପ୍ରାଥମିକତା ଦେବା ସରକାରଙ୍କ ସର୍ବାଦୌ ଓ ପ୍ରାଥମିକ ମୂଳ କର୍ତ୍ତବ୍ୟ । ଏହି ମୂଳମନ୍ତ୍ରକୁ ବିଚାରକରି ଖାଉଟିଙ୍କ କଲ୍ୟାଣ ପାଇଁ ଠୋସ ଓ ବାସ୍ତବିକ ପଦକ୍ଷେପ ନେଲେ ତାହା ସର୍ବଜନ ହିତାୟ ହେବନାହିଁ ବରଂ ଖାଉଟିଟି ସର୍ବନିମ୍ନ ଭାବେ ଗଣ୍ଡାଏ ଖାଇବା ପାଇଁ ସମର୍ଥ ହୋଇପାରିବ ।
ମୋ :୯୪୩୭୧୬୩୫୨୮