ସମସ୍ୟା ଘେରରେ ବେତନଟୀ ବ୍ଲକର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର
ବୈଶିଙ୍ଗା: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସ୍ତରରେ ଶିକ୍ଷାକୁ ନେଇ ବହୁ ଯୋଜନା ପ୍ରଣୟନ କରୁଥିବା ବେଳେ ଅନେକ ସମୟରେ ପ୍ରକୃତରେ ଚିତ୍ର କିନ୍ତୁ ଅଲଗା । ମୟୂରଭଞ୍ଜ ଜିଲ୍ଲା ଅଧୀନ ବିଭିନ୍ନ ବ୍ଲକରେ ପ୍ରାରମ୍ଭିକ ବାଲ୍ୟ ଶିକ୍ଷା ନିମନ୍ତେ ଥିବା ଅନେକ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କରେ ବହୁ ସମସ୍ୟା ଥିବା ଦେଖିବାକୁ ମିଳିଛି । ଅନୁରୂପ ଭାବେ ବେତନଟୀ ବ୍ଲକରେ ସମୁଦାୟ ୨୮୨ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର ରହିଛି । ସେଥିମଧ୍ୟରୁ ମୁଖ୍ୟ ଅଙ୍ଗନୱାଡ଼ି ୨୧୩ଟି ଓ ମିନି ଅଙ୍ଗନୱାଡ଼ି ୬୯ଟି ଥିବା ଜଣାଯାଇଛି । ଆଶ୍ଚର୍ଯ୍ୟର କଥା ହେଉଛି କି ଅନେକ କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ଅନ୍ୟ କିଛି କେନ୍ଦ୍ରରେ ବିଭିନ୍ନ କାରଣ ପାଇଁ ଅଙ୍ଗନୱାଡ଼ି ଦିଦି ନଥିବା ଅଭିଯୋଗ ହୋଇଆସୁଅଛି । ଏଭଳି ସ୍ଥାନୀୟ ସମସ୍ୟା ଯୋଗୁଁ କିଛି ଅଙ୍ଗନୱାଡ଼ି କେନ୍ଦ୍ରର ଘରର କାମ ବର୍ଷ ବର୍ଷ ଧରି ଅଧପନ୍ତରିଆ ଭାବେ ପଡିରହିଥିବା ବେଳେ କେଉଁଠି ଭଡା ଘରରେ ମଧ୍ୟ ଶିକ୍ଷାଦାନ କାର୍ଯ୍ୟ ·ଲୁଥିବା ଦେଖାଯାଇଛି ।
ମିଳିଥିବା ସୂଚନା ଅନୁସାରେ ବେତନଟୀ ବ୍ଲକର ଏହିଭଳି ଅବ୍ୟବସ୍ଥା ଘେରରେ ୭୦ଟି ଅଙ୍ଗନୱାଡ଼ି ଗୃହ ଥିବା ଜଣାପଡ଼ିଛି । ସେଥିମଧ୍ୟରୁ ୩୦ଟି ଅଙ୍ଗନୱାଡ଼ି ଗୃହ ଓମବାଡସି ଅଧୀନରେ ନିର୍ମାଣ କାର୍ଯ୍ୟ ·ଲିଥିବାବେଳେ ୧୦ ଟି କେନ୍ଦ୍ର ପାଇଁ ଏପର୍ଯ୍ୟନ୍ତ ବ୍ୟୟ ବରାଦ ହୋଇପାରି ନାହିଁ । ଅନ୍ୟପଟେ ୧୦ଟି କେନ୍ଦ୍ରରେ ସରକାରୀ ଜମି ଉପଲବ୍ଧ ହେଉ ନଥିବାରୁ ଗୃହ ର୍ନିମାଣ ହୋଇପାରୁନି । ୨୦ଟି କେନ୍ଦ୍ରରେ ସ୍ଥାନୀୟ ସମସ୍ୟା ପାଇଁ ନିର୍ମାଣ କାର୍ଯ୍ୟ ଅଟକି ରହିଥିବା ଜଣାପଡ଼ିଛି । ଅଙ୍ଗନୱାଡି ଦିଦି ଓ ପାଚିକାମାନେ କେତେବେଳେ ବରଗଛ ମୂଳେ ତ କେବେ କାହା ଦାଣ୍ଡ ପିଣ୍ଡାରେ କିମ୍ବା ପରିତ୍ୟକ୍ତ ଘରେ ପ୍ରାଥମିକ ବିଦ୍ୟାଳୟମାନଙ୍କରେ କେନ୍ଦ୍ର ଚଳାଉଛନ୍ତି । ଏହି ପରି ଭାବେ ବିଭିନ୍ନ ସମସ୍ୟା ଥିବା ସତ୍ତ୍ୱେ କୁନି କୁନି ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷା ସମେତ ପୋଷକ ଯୁକ୍ତ ଖାଦ୍ୟ ପାଉ ନ ଥିବା ବେଳେ ତୁରନ୍ତ ଏହାର ସମାଧାନ ପାଇଁ ବେତନଟୀ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଦାବି କରାଯାଇଛି ।