କେନାଲର ଲାଇନିଂ କାର୍ଯ୍ୟ ଆରମ୍ଭ; ଚାଷୀଙ୍କ ମନରେ ଆନନ୍ଦ
ନିଶ୍ଚିନ୍ତକୋଇଲି : ଲୁଣା-ଚିତ୍ରୋତ୍ପଳା ଦୀପାଞ୍ଚଳର ଚାଷୀମାନଙ୍କର ବହୁ ଦିନର ଦାବି ପରେ ମଣ୍ଡନଠାରୁ ପୁନ୍ଦାଳ ଯାଇଥିବା କେନାଲର ଲାଇନିଂ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଚାଷୀମାନଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଏହି କେନାଲ ଉପରେ ଦ୍ୱୀପାଞ୍ଚଳର ହଜାର ହଜାର ଚାଷୀ ନିର୍ଭର କରି ନିଜର ଚାଷ କାର୍ଯ୍ୟ କରିଥାଆନ୍ତି । ବର୍ଷାଦିନେ କେନାଲରେ ପାଣି ଆସିଲେ ଏଣେ ତେଣେ ଘାଇ ହୋଇ ପାଣି ନଷ୍ଟ ହେଉଥିବାରୁ ଚାଷୀମାନେ ଠିକ୍ ଭାବେ ପାଣି ପାଉନଥିଲେ । ଫଳରେ ଚାଷ ପ୍ରଭାବିତ ହେଉଥିଲା । ନେମାଳଠାରୁ ଆରମ୍ଭ କରି ନଗସପୁର, ଝାଡେଶ୍ୱରପୁର, ଦାଉଦପୁର, ନରେନ୍ଦ୍ରପୁର ଆଦି ପଞ୍ଚାୟତର ଚାଷୀମାନେ ପୂର୍ବ ସରକାରଙ୍କ ପାଖରେ ଦାବି ପରେ ଏହି କେନାଲକୁ ଉଭୟପଟ ଲାଇନିଂ କରିବା ପାଇଁ ଅର୍ଥ ମଞ୍ଜୁର କରାଯିବା ସହ ଓସିସିକୁ କାର୍ଯ୍ୟ ଦାୟିତ୍ୱ ଦିଆଯାଇଛି । ଏହି କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଛନ୍ତି