ବୈଠକରେ ସଭାନେତ୍ରୀଙ୍କୁ ନେଇ ଚର୍ଚ୍ଚା


ସମୀକ୍ଷା ବୈଠକରେ ବିଜେପି ଜିଲ୍ଲା ସଭାନେତ୍ରୀ ଦେବଯାନୀ ପ୍ରଧାନଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶନିବାର ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରୁଥିବା ବେଳେ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପ୍ରଧାନ ଉପସ୍ଥିତ ରହିଥିଲେ । ମନ୍ତ୍ରୀ ସମେତ ଧର୍ମଶାଳା, ବଡ଼ଚଣା ବିଧାୟକ, ସାଂସଦ ଏବଂ ଜିଲ୍ଲାପାଳଙ୍କ ସହ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଯାହାର ଫଟୋ ପଦାକୁ ଆସିବା ପରେ ଦଳୀୟ ସଭାନେତ୍ରୀଙ୍କ ଉପସ୍ଥିତ କାରଣରୁ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଥିଲା । କେବଳ ତାହା ନୁହେଁ ଫଟୋ ସାମାଜିକ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଯାଇଥିଲା । ବିଜେଡିର କିଛି ନେତାନେତ୍ରୀ ଏହାକୁ ନେଇ ପ୍ରଶ୍ନ ଉଠାଇବାକୁ ପଛାଇ ନଥିଲେ । ବୈଠକରେ ମନ୍ତ୍ରୀ, ବିଧାୟକ ଓ ବିଭାଗୀୟ ଅଧିକାରୀ ସାମିଲ ହୋଇ ପ୍ରକଳ୍ପ ଓ ଯୋଜନା ଗୁଡିକ ଉପରେ ତର୍ଜମା କରିଥାନ୍ତି । କିନ୍ତୁ ସରକାରୀ ଦଳର ସଭାନେତ୍ରୀଙ୍କୁ କିପରି ଏଥିରେ ସାମିଲ କରାଗଲା ତାହା ସମସ୍ତଙ୍କୁ ବିସ୍ମିତ କରିଥିବା ବେଳେ ବଡ଼ଚଣା ବିଧାୟକ ଅମର ନାୟକଙ୍କ ସୈାଜନ୍ୟରୁ ସେ ବୈଠକରେ ସାମିଲ ହୋଇଥିଲେ । ବଡ଼ଚଣା ବିଧାୟକ ଶ୍ରୀ ନାୟକ ଅନୁପସ୍ଥିତ ରହୁଥିବା କାରଣରୁ ଗଲା କାଲି ସେ ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରିବା ପୂର୍ବକ ଜଣାଶୁଣା ସାମାଜିକ କର୍ମୀ ଶ୍ରୀମତୀ ପ୍ରଧାନଙ୍କୁ ତାଙ୍କ ପ୍ରତିନିଧି ଭାବେ  ଗ୍ରହଣ କରିବାକୁ ଅବଗତ କରିଥିଲେ ।