ଜବରଦଖଲ ଉଚ୍ଛେଦ
ଉମରକୋଟ : ଆକ୍ସନ ମୁଡରେ ଉମରକୋଟ ପ୍ରଶାସନ । ନବରଙ୍ଗପୁର ଜିଲ୍ଲା ଉମରକୋଟ-ଝରିଗାଁ ମୁଖ୍ୟ ରାସ୍ତାରେ ଥିବା ମେନ୍ଦା ବେଡା ଠାରେ ଆଜି ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କାମ କରାଯାଇଥିଲା । ତହସିଲ ପକ୍ଷରୁ ରାସ୍ତାର ବାମ କଡ଼ରେ ଥିବା ଦୋକାନ ଓ ଘର ମାଲିକଙ୍କୁ ପୂର୍ବରୁ ଜାଗା ଖାଲି କରିବାକୁ ସୂଚନା ଦିଆଯାଇଥିଲା । କିନ୍ତୁ ଘର ମାଲିକ ଓ ଦୋକାନ ମାଲିକ ମାନେ କୌଣସି ପଦକ୍ଷେପ ନେଇନଥିଲେ । ଯାହା ଫଳରେ ପ୍ରଶାସନ ପକ୍ଷରୁ ଆଜି ବାଧ୍ୟ ହୋଇ ୧୯ ଘର ପାଇଁ ଭାଙ୍ଗିବା ପାଇଁ ନିଦେ୍ର୍ଦଶ ଥିବା ବେଳେ ଉଚ ନ୍ୟାୟାଳୟର ନିଦେ୍ର୍ଦଶ କ୍ରମେ ୨ ଟି ଘରକୁ ଛାଡି ଅନ୍ୟ ୧୭ ଟି ଘର ଓ ଦୋକାନ କୁ ଜେସିବି ସାହାଯ୍ୟରେ ଭାଙ୍ଗି ଦିଆଯାଇଥିଲା । କିଛି ଦୋକାନୀ ଓ ଘର ମାଲିକ ସମୟ ମାଗି ନିଜର ଆସବାବ ଜିନିଷ ପତ୍ର ଗୁଡ଼ିକୁ ବାହାରକୁ କାଢି ଦେଇଥିଲେ । ଆଜି ସକାଳୁ ଉଚ୍ଛେଦ ପ୍ରକିୟା ଆରମ୍ଭ କରାଯାଇଥିଲା । ଏମାନେ ସମସ୍ତେ ସରକାରୀ ଜାଗାରେ ଜବରଦଖଲ କରି ଘର ତିଆରି କରି ରହୁଥିଲେ । ସ୍ଥାନୀୟ ତହସିଲଦାର ମେଗବାନ ବାଗ, ଅତିରିକ୍ତ ତହସିଲଦାର ନୀଳାମ୍ବର ପୂଜାରୀ, ଥାନା ଅଧିକାରୀ ରମାକାନ୍ତ ସାଇ, ଏସ ଆଇ ଶିବଜି ପଣ୍ଡା, ଅକ୍ଷୟ ମିଶ୍ର ଏବଂ ପୋଲିସ ଫୋର୍ସ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟକୁ ତଦାରଖ କରିଥିଲେ । ଉମରକୋଟ ଏସଡିପିଓ ସୁବେନ୍ଦୁ କୁମାର ସବର ନିଜେ ଉପସ୍ଥିତ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା ।