କେନ୍ଦ୍ରୀୟ ଟିମ୍ର ଖୁଚୁରା ବିକ୍ରୟ କେନ୍ଦ୍ର ପରିଦର୍ଶନ
ନବରଙ୍ଗପୁର: କେନ୍ଦ୍ରୀୟ ଯୋଗାଣ ବିଭାଗର ଏକ ପ୍ରତିନିଧି ଦଳ ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି । କେନ୍ଦ୍ରୀୟ ଦଳ ନବରଙ୍ଗପୁର ଏଫସିଆଇ ଗୋଦାମ, ନନ୍ଦାହାଣ୍ଡି ବ୍ଲକର ସରୁଗୁଡ଼ା ପିପିସି ପଏଣ୍ଟ ଓ ତେନ୍ତୁଳିଖୁଣ୍ଟି ବ୍ଲକ୍ ଦିଗି ପଞ୍ଚାୟତର ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ର ପରିଦର୍ଶନ କରିଥିଲେ । ଏହି ଅବସରରେ କେନ୍ଦ୍ରୀୟ ଦଳର ରାମକେଶ ମୀନା ଓ ୟଶ ଦୀପଙ୍କ ସହ ସ୍ଥାନୀୟ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଦେବାଶିଷ ମହାନ୍ତି, ବିଷ୍ଣୁ ପ୍ରସାଦ ପ୍ରଧାନ, ଧର୍ମରାଜ ପାଶୱାନ, ପ୍ରୀତିଶ ମହାନ୍ତି, ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ ପାଣିଗ୍ରାହୀ, ବିପ୍ପଣ ଅଧିକାରୀ ରୋହିତ ମାଝୀ, ପ୍ରବୀଣ ପ୍ରଧାନ, ଲକ୍ଷ୍ମୀପ୍ରସାଦ ବିଷୋୟୀ, ସୁରେଶ ଚନ୍ଦ୍ର ବିଷୋୟୀ, ସ୍ଥାନୀୟ ସରପଞ୍ଚ କିଶୋର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ବିଭିନ୍ନ ପୋଷଣଯୁକ୍ତ ଖାଦ୍ୟକୁ କିଭଳି ଗ୍ରହଣ କରୁଛନ୍ତି ଏବଂ ସୁଲଭ ମୂଲ୍ୟରେ ପାଇବାରୁ କେହି ବଞ୍ଚôତ ହେଉଛନ୍ତି କି ନାହିଁ ତାହା ଖାଉଟିମାନଙ୍କୁ ପଚାରି ବୁଝିଥିଲେ । ସେହିପରି ଗୋଦାମରେ ଷ୍ଟକ୍ ପରିଚାଳନା, ଅନଲାଇନ ବିଲ୍, ପଞ୍ଜୀକରଣ, ଇ-କେୱାଇସି, ପିଡିଏସ୍ ବାୟୋମେଟ୍ରିକ୍ ଯାଞ୍ଚ କରିବା ସହ ହିତାଧିକାରୀଙ୍କୁ ଠିକ୍ ସମୟରେ ଚାଉଳ ଯୋଗାଣ ହେଉଛି କି ନାହିଁ ପଚାରି ବୁଝିଥିଲେ । ଅନ୍ତ୍ୟୋଦୟ ଓ ପିଏଚଏଚ କାର୍ଡ ମାଧ୍ୟମରେ କେତେ କିଲୋ ଚାଉଳ, ମାଣ୍ଡିଆ ଦିଆଯାଉଛି, ଏଥିପାଇଁ ଟଙ୍କା ଗ୍ରହଣ କରାଯାଉଛି କି ନାହିଁ ତାହାର ଯାଞ୍ଚ ମଧ୍ୟ କରିଥିଲେ । କେନ୍ଦ୍ରୀୟ ଦଳ ଫୋର୍ଟିଫାଏଡ୍ ଚାଉଳ ବ୍ୟବହାରକୁ ଗୁରୁତ୍ୱ ଦେଇଛନ୍ତି । ଏଥିସହିତ ସେମାନେ ଜିଲ୍ଲାର ବିଭିନ୍ନ ବ୍ଲକ ବୁଲି ହିତାଧିକାରୀଙ୍କ ଠାରୁ ମତ ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା ।