କେବେ ହେବ ଟ୍ରାଫିକ ପୋଷ୍ଟ?
ନୂଆପଡା: ଖଡ଼ିଆଳ ଏକ ପୁରୁଣା ଓ ଐତିହାସିକ ସହର । ଏହା ଏକ ଗଡ଼ଜାତ ଅଞ୍ଚଳ ଥିଲା ଓ ରାଜା ରାଜୁଡ଼ା ଶାସନ ଚାଲିଥିଲା । ବର୍ତ୍ତମାନ ଏହା ନୂଆପଡ଼ା ଜିଲ୍ଲାର ଅଂଶବିଶେଷ ଓ ଏହାକୁ ଜିଲ୍ଲାର ପ୍ରାଣ କେନ୍ଦ୍ର କୁହାଯାଏ । ଏହା ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ ହୋଇଥିବା ବେଳେ ଏଠାରେ ବ୍ଲକ କାର୍ଯ୍ୟାଳୟ ମଧ୍ୟ ରହିଅଛି । ଏଠାରେ ଦଶରୁ ଉର୍ଦ୍ଧ କଲେଜ୍, ପନ୍ଦରରୁ ଉର୍ଦ୍ଧ୍ୱ ବେସରକାରୀ ବିଦ୍ୟାଳୟ, ସବ ଡିଭିଜନ ହସ୍ପିଟାଲ, ମିଶନ ହସ୍ପିଟାଲ ସମେତ ଅନେକ ସରକାରୀ କାର୍ଯ୍ୟାଳୟ ରହିଛି । ଖଡ଼ିଆଳ ସହରର ଜନସଂଖ୍ୟା କୋଡ଼ିଏ ହଜାରରୁ ଉର୍ଦ୍ଧ୍ୱ । ନୂଆପଡ଼ା ଜିଲ୍ଲା ସମେତ ପଡୋଶୀ ବଲାଙ୍ଗୀର ଜିଲ୍ଲା, କଳାହାଣ୍ଡି ଜିଲ୍ଲାର ଅନେକ ଗ୍ରାମବାସୀ,ଏପରିକି ସୀମାବର୍ତ୍ତି ଛତିଶଗଡ ରାଜ୍ୟର ଲୋକେ ମଧ୍ୟ ସ୍ୱାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ ଆଦି କାମରେ ଖଡ଼ିଆଳ ଆସିଥାନ୍ତି ।ଖଡ଼ିଆଳ ଠାରୁ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଯାଇଥିବାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ଗୋପାଳପୁର ଓ ଛତିଶଗଡ, ମଧ୍ୟ ପ୍ରଦେଶ ଆଦି ରାଜ୍ୟକୁ ଗମନାଗମନ ବ୍ୟବସ୍ଥା ରହିଛି । ଜୈନିକ ହଜାର ହଜାର ଯାନବାହାନ ସହର ଦେଇ ଯାତାୟାତ କରିଥାଏ । ବିଶେଷ କରି ଭାରିଯାନ ସବୁ ପ୍ରତିଦିନ ଯାଇଥାନ୍ତି । କିନ୍ତୁ ଏଠାରେ ଟ୍ରାଫିକ ବ୍ୟବସ୍ଥା କରାଯାଇନି । ଦିର୍ଘ ଦିନରୁ ଟ୍ରାଫିକ ପୋଷ୍ଟ ପାଇଁ ସହରବାସୀ ଓ ଅଞ୍ଚଳବାସୀ ବର୍ଷ ବର୍ଷ ଧରି ଦାବି କରି ଆସୁଛନ୍ତି । ପ୍ରଶାସନ ଏହି ଦାବିକୁ ନଜର ଅନ୍ଦାଜ କରୁଛି । ଟ୍ରାଫିକ ବ୍ୟବସ୍ଥା ନଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି । ଦୁର୍ଘଟଣା ହେଲେ ରାସ୍ତା ଅବରୋଧ, ଆନ୍ଦୋଳନ ଆଦି କରି ଟ୍ରାଫିକ ନିୟନ୍ତ୍ରଣ ପାଇଁ ଲୋକେ ଦାବି କରୁଛନ୍ତି, ପ୍ରଶାସନ କିନ୍ତୁ ପ୍ରତିଶ୍ରୁତି ଦେଇ ଭୁଲିଯାଉଛି । ଖଡ଼ିଆଳ ଥାନାର କିଛି ହୋମ ଗାର୍ଡ କାଁ ଭାଁ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ଦେଖା ଦେଉଛି । ସେମାନେ ମଧ୍ୟ ବିଶେଷ ତାଲିମ ପ୍ରାପ୍ତ ନୁହନ୍ତି । ଖଡ଼ିଆଳ କଲେଜ୍ ଛକରେ ମଧ୍ୟ ସବୁବେଳେ ଭିଡ ରହୁଥିବା ବେଳେ ଛାତ୍ର ଛାତ୍ରୀ ରାସ୍ତା ଅତିକ୍ରମ କଲାବେଳେ ଭୟ କରୁଥିବା କହିଛନ୍ତି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏକ ବାଇପାସ୍ ରୋଡ ପାଇଁ ମଧ୍ୟ ଅଞ୍ଚଳବାସୀଙ୍କ ଅନେକ ଦିନର ଦାବିକୁ ସରକାର ଅଣଦେଖା କରୁଛନ୍ତି । ଏନେଇ ନୂଆପଡ଼ା ଏସ୍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ ପଚାରିବାରୁ ଖଡ଼ିଆଳ ସହରରେ ସିସି କ୍ୟାମେରା ସବୁ ଲାଗିଛି ଓ ଆଗକୁ ଟ୍ରାଫିକ ପୋଷ୍ଟ ସହ ଟ୍ରାଫିକ ପୁଲିସ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।