ବିନା ଅନୁମତିରେ ଚାଲିଛି ପାଣି ଫାକ୍ଟ୍ରି
କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ବହୁ ସଂଖ୍ୟାରେ ପାଣି ଫାକ୍ଟ୍ରି ରହିଥିବାବେଳେ ଏହାର ଯାଞ୍ଚ ଜରୁରୀ ହୋଇପଡିଛି । ବିଶୁଦ୍ଧ ପାଣି କହି ଜାର ତଥା ଡବାରେ ସାଧାରଣ ପାଣି ଭରି ବିକ୍ରି କରାଯାଉଛି । ପାଣି ଫାକ୍ଟ୍ରି ଖୋଲିଥିବା ବ୍ୟବସାୟୀଙ୍କ ଆବଶ୍ୟକୀୟ ପାଣି ବିଶୋଧନ ମେସିନ ଏବଂ ବିଏସ୍ଆଇ, ଫୁଡ ସେଫଟି ଲାଇସେନ୍ସ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସିଟିଓ ପ୍ରମାଣପତ୍ର ରହିବା ଜରୁରୀ । ମାତ୍ର ଏହି ଅନୁମତି ନ ଥାଇ ବେଧଡକ ବହୁ ପାଣି ଫାକ୍ଟ୍ରି ଚାଲିଛି । ପ୍ୟାକ୍ ପିଇବା ପାଣି ଗ୍ରୀନ କ୍ୟାଟେଗୋରୀରେ ଆସୁଛି । ଏଥିପାଇଁ ପ୍ରଦୂଣେ ନିୟନ୍ତ୍ରଣ ବୋର୍ଡ ଠାରୁ କନସେଣ୍ଟ ଜରୁରୀ । ବିନା କନସେଣ୍ଟରେ ବହୁ ପାଣି ଫାକ୍ଟ୍ରି ଚାଲୁଛି । ସେହିପରି ଯୋଗାଣ ହେଉଥିବା ପାଣି ବିଶୁଦ୍ଧ କି ନାହିଁ ତାହା ମଧ୍ୟ କେବେ ଯାଂଚ ହେଉନାହିଁ । ପ୍ରତ୍ୟେକ ଦିନ ବିଭିନ୍ନ ପାଣି ଫାକ୍ଟ୍ରିର କର୍ମଚାରୀମାନେ ଅଟୋ,ମୋଟର ସାଇକେଲ ଏବଂ ଅନ୍ୟ ଗାଡିରେ ଘର, ଦୋକାନ, ଅଫିସ, କଲେଜକୁ ବୁଲି ବୁଲି ଜାର ପାଣି ଯୋଗାଉଛନ୍ତି । ୨୦ଲିଟର ପାଣି ଜାର ପ୍ରତି ୫୦ଟଙ୍କାରେ ବିକ୍ରି ହେଉଛି । ଏହା ବ୍ୟତିତ ବିବାହ,ବ୍ରତଘର,ଜନ୍ମଦିନ,ବିଭିନ୍ନ ସଭାସମିତି ଓ ଶୁଦ୍ଧିକ୍ରୀୟାରେ ମଧ୍ୟ ଏହି ଜାର୍ ପାଣି ଯୋଗାଣ କରାଯାଉଛି । ପାଣି ଜାର୍ ମଧ୍ୟ ନିୟମିତ ସଫେଇ ହେଉନାହିଁ । ସ୍ୱାସ୍ଥ୍ୟ ବିଭାଗ ଏହାର କୌଣସି ଯାଞ୍ଚ କରୁ ନଥିବାରୁ ପାଣିର ଶୁଦ୍ଧତା ଜଣାପଡୁନାହିଁ । ପାଣି ବ୍ୟବସାୟ କରୁଥିବା ଲୋକମାନେ ପାଣିକୁ ଜୀବାଣୁମୁକ୍ତ କରିବା ପାଇଁ ଅଲଟ୍ରା ଭାଓଲେଟ ଓ ରିଭର୍ସ ଅସମୋସିସ ପ୍ରକ୍ରୀୟା ଅବଲମ୍ବନ କରି ପାଣି ପ୍ୟାକିଂ କରିବା ଉଚିତ । ଏହି ପାଣି କୁ ମଧ୍ୟ ପରୀକ୍ଷାଗାରରେ ପରୀକ୍ଷା କରାଯାଇ ବଜାରକୁ ବିକ୍ରି ପାଇଁ ଛଡାଯିବା ଉଚିତ । କିନ୍ତୁ ଏଭଳି ପ୍ରକ୍ରୀୟା ଅନୁସରଣ ନ କରି ଲୋକଙ୍କ ଜୀବନ ସହ ଖେଳ ଖେଳି ପାଣି ବିକ୍ରୀ କରୁଛନ୍ତି । ଅନ୍ୟପଟରେ କେନ୍ଦୁଝର ସହରରେ ବହୁ କମ୍ପାନୀ ଆଇଏସ୍ଆଇ ଠାରୁ ପ୍ରମାଣପତ୍ର ନ ପାଇ ମଧ୍ୟ ବେଆଇନ ଭାବେ ଆଇଏସ୍ଆଇ ଲୋଗୋ ମାରି ଗ୍ରାହକମାନଙ୍କୁ ଠକୁଥିବା ଜଣାପଡିଛି । ଅନେକ ଦୋକାନୀ ପାଣିର ବ୍ୟବହାର ଅବଧି ଶେଷ ପରେ ବିକ୍ରି କରୁଛନ୍ତି, ଯାହାକି ସ୍ୱାସ୍ଥ୍ୟ ପାଇଁ ହାନୀକାରକ । ସ୍ୱାସ୍ଥ୍ୟ ବିଭାଗର ନିଷ୍କ୍ରିୟତାର ଫାଇଦା ଉଠାଇ ବହୁ ପାଣି ଫାକ୍ଟ୍ରି ବେଧଡକ ଚାଲିଛି । ଲୋକମାନେ ଯେଉଁ ପାଣି ପିଉଛନ୍ତି ତାହା ସ୍ୱଚ୍ଛ ଏବଂ ଜିବାଣୁ ମୁକ୍ତ କି ନାହିଁ ତାହା ଯାଂଚ କଲେ ଜଣାପଡିବ । କେନ୍ଦୁଝର ସହର ନିକଟବର୍ତୀ ଟିକରଗୁମୁରା ଗ୍ରାମରେ ଇକୋ ଫ୍ରେସ ନାମକ ଏକ ପାଣି ଫାକ୍ଟ୍ରି ବେଆଇନ ଭାବେ ଚାଲିଛି । ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗକୁ ନେଇ ଏକ ଟିମ୍ ଗଠନ କରାଯାଇ ବିନା ଅନୁମତିରେ ପାଣି ବିକ୍ରୀ ଏବଂ ପ୍ୟାକିଂ କରୁଥିବା ପାଣି ଫାକ୍ଟ୍ରି ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।