କୋରାପୁଟ ଜିଲ୍ଲାର ଜନଜାତିଙ୍କୁ ଆଲୋକିତ କରୁଛି ଟିପିଏସ୍ଓଡିଏଲ୍ : ପଟାଙ୍ଗୀ ଓ ଲମତାପୁଟରେ ସବଷ୍ଟେସନର ଉନ୍ନତୀକରଣ 

ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ତରଫରୁ କୋରାପୁଟ ଜିଲ୍ଲାର ବିଦୁ୍ୟତ ଭିତ୍ତିଭୂମିର ବିକାଶ ପାଇଁ ନିଆଯାଇଛି ବିଭିନ୍ନ ପଦକ୍ଷେପ । କମ୍ପାନୀ ପକ୍ଷରୁ ବିଦୁ୍ୟତ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ନେଟୱର୍କ ବୃଦ୍ଧି ଓ ବିଦୁ୍ୟତ ସେବାକୁ ଆଧୁନିକୀକରଣ କରାଯାଉଛି । ଏହି ପଦକ୍ଷେପ ଯୋଗୁଁ ସମଗ୍ର ଜିଲ୍ଲାରେ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଜୁଳି ଯୋଗାଣର ଲକ୍ଷ୍ୟକୁ ସୁନିଶ୍ଚିତ କରାଯିବା ସହିତ ଘର, ଅନୁଷ୍ଠାନ ଓ ଶିଳ୍ପକେନ୍ଦ୍ରରେ ବିଦୁ୍ୟତ ସେବାକୁ ଅଧିକ ସୁଦୃଢ଼ କରାଯାଇପାରୁଛି । ବିଶେଷକରି, ପାୱାର ସବଷ୍ଟେସନଗୁଡ଼ିକର ଉନ୍ନତୀକରଣ କରିବା ଏବଂ ବିତରଣ ନେଟୱର୍କସବୁକୁ ଅଧିକ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱ ଦିଆଯାଉଛି । ପଟାଙ୍ଗୀ ଏବଂ ଲମତାପୁଟରେ ଥିବା ସବଷ୍ଟେସନଗୁଡ଼ିକୁ ଅତିରିକ୍ତ କ୍ଷମତା ସହିତ ଉନ୍ନତୀକରଣ କରାଯାଇଛି । ସେହିପରି କୋରାପୁଟର ପୁରୁଣା ସବଷ୍ଟେସନର ଟ୍ରାନ୍ସଫର୍ମରର କ୍ଷମତାକୁ ୩.୧୫ଏମଭିଏରୁ ୮ଏମଭିଏକୁ ବୃଦ୍ଧି କରାଯାଇଛି । ଏହି ଉଲ୍ଲେଖନୀୟ ପଦକ୍ଷେପ ଯୋଗୁଁ ସହରାଞ୍ଚଳ ସମେତ ଶିଳ୍ପ ଅନୁଷ୍ଠାନଗୁଡ଼ିକରେ ବିଜୁଳି ଯୋଗାଣକୁ ସୁନିଶ୍ଚିତ କରାଯାଇପାରିଛି । ଜିଲ୍ଲାରେ ନୂତନ ୩୩କେଭି ଲାଇନ୍ ତାର ସଂଯୋଗ ହୋଇଛି । ଯାହା ସୁନାବେଡ଼ା ପୁଲିସ୍ ଷ୍ଟେସନ କରିଡରରୁ ବେଲାଇଗୁଡ଼ା ପର୍ଯ୍ୟନ୍ତ ଏବଂ କୁନ୍ଦ୍ରା,କୁସୁମୀ, ନୂଆଗାଁ, ପଟାଙ୍ଗୀ, କୁନ୍ଦୁଲି, ନାରାୟଣପାଟଣା ଓ ସୁନାବେଡ଼ାର ସଂଯୋଗୀକରଣକୁ ଅଧିକ ସୁଦୃଢ଼ କରୁଛି । କମ୍ପାନୀ ତରଫରୁ ନିଆଯାଇଥିବା ଏହିସବୁ ପଦକ୍ଷେପ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି “କୋରାପୁଟ ସାଂସ୍କୃତିକ କ୍ଷେତ୍ରରେ ବହୁ ଉନ୍ନତ ଅଞ୍ଚଳ । ଏହା ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର । ଏହି ଅଞ୍ଚଳରେ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଜୁଳି ଯୋଗାଣକୁ ସୁନିଶ୍ଚିତ କରିବା ଆମ ପାଇଁ ଏକ ଗୌରବର ବିଷୟ । ବିଦୁ୍ୟତ ଭିତ୍ତିଭୂମିରେ ଉନ୍ନତୀକରଣ କେବଳ ବର୍ତ୍ତମାନ ସମୟର ଆବଶ୍ୟକତା ମଧ୍ୟରେ ସୀମିତ ନୁହେଁ ବରଂ ଜିଲ୍ଲାକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଆମେ ପ୍ରତିବଦ୍ଧ ।