ମହାନଦୀର ଉପନଦୀ ଶିବନାଥ ନଦୀ ପ୍ରଦୂଷିତ

 ରାୟପୁର : ଛତିଶଗଡ଼ରେ ମହାନଦୀର ଉପନଦୀ ଶିବନାଥ ନଦୀ ପ୍ରଦୂଷଣ ଓ ଶୋଷଣର ପ୍ରଭାବ ଆକଳନ କରିବା ପାଇଁ ମହାନଦୀ ବଞ୍ଚାଅ ଆନେ୍ଦାଳନର ପ୍ରତିନିଧି ମଣ୍ଡଳୀ ଜଳ ପୁରୁଷ ରାଜେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଆଜି ବେମେତରା ଜିଲ୍ଲାର ରକ୍ଷକା, ସାରଦା ଓ ପଥରା ଗାଁକୁ ପରିଦର୍ଶନରେ ଯାଇଥିଲେ  । ଗତ କାଲି ଗୋଲ ଟେବୁଲ ବୈଠକରେ ଯୋଗ ଦେଇଥିବା ନଦୀ କୂଳିଆ ଗାଁ ଲୋକ ଓ ସ୍ଥାନୀୟ ସରପଞ୍ଚ ଧନରାମ ନିଶଦ୍ ଙ୍କ ଅନୁରୋଧ କ୍ରମେ ଆଜି ଏହି ପରିଦର୍ଶନରେ ପ୍ରତିନିଧି ଦଳ ନଦୀ କୂଳିଆ ଗାଁ ଗୁଡ଼ିକୁ ପରିଦର୍ଶନ କରିଥିଲେ  । ଶିବନାଥ ନଦୀ ଇଥାନଲ ଶିଳ୍ପ ଯୋଗୁଁ  ଭୟଙ୍କର ଭାବରେ ପ୍ରଦୂଷିତ ହେବା ସହିତ ପାଣିକୁ ଅତିମାତ୍ରାରେ କିଭଳି ଶୋଷଣ କରୁଛି ତାହା ଦେଖି ପ୍ରତିନିଧି ଦଳ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି  । ସ୍ପଞ୍ଚ ଆଇରନ, ଇଥାନୋଲ ଶିଳ୍ପ ନଦୀ ଭିତରେ ଇଣ୍ଟେକ୍ ୱେଲ ନିର୍ମାଣ କରି ପ୍ରଚୁର ପାଣି ଶୋଷିବା ସହିତ ଦୂଷିତ ପାଣିକୁ ସିଧା ଶିବନାଥ ନଦୀକୁ ଛାଡ଼ିବା ଫଳରେ ଅଞ୍ଚଳ ବାସୀ ଗଭୀର ଭାବରେ ପ୍ରଭାବିତ ହେଉଛନ୍ତି  । ଚାଷ ଜମି ପ୍ରଭାବିତ ହେବା ସହିତ ପାନୀୟ ଜଳର ଅଭାବ ଯୋଗୁଁ ଲୋକେ ଅତିଷ୍ଠ ହେଉଛନ୍ତି  । ନଦୀର ଶଯ୍ୟାରେ ଏଭଳି ଶିଳ୍ପ ପ୍ରତିଷ୍ଠା ବେଆଇନ ଓ ନିଷିଦ୍ଧ ବୋଲି ଜଳ ପୁରୁଷ ଡ ସିଂହ ପ୍ରକାଶ କରିବା ସହିତ ତାହା ବିରୁଦ୍ଧରେ ଆଇନର ଆଶ୍ରୟ ନେବା ପାଇଁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଥିଲେ  । ଏହି ପ୍ରତିନିଧି ମଣ୍ଡଳୀ ରେ ମହାନଦୀ ବଞ୍ଚାଅ ଆନେ୍ଦାଳନ ପକ୍ଷରୁ ବିଜୟ ପ୍ରଧାନ, ସଚ୍ଚିକାନ୍ତ ପ୍ରଧାନ, ଅର୍ଜୁନ ସାମନ୍ତରାୟ ଓ ଅଶୋକ ପ୍ରଧାନଙ୍କ ସହିତ ଛତିଶଗଡ ନଦୀ ଘାଟି ମୋର୍ଚ୍ଚାର ଆବାହକ ଗୌତମ ବନ୍ଦୋପାଧ୍ୟୟ ସାମିଲ ହୋଇଥିଲେ  । ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଜଳ ସମ୍ପଦ ସଚିବ ବିଦେଶ ଗସ୍ତରେ ଥିବାରୁ ସେମାନଙ୍କ ସହିତ ସାକ୍ଷାତ ଆଲୋଚନା ହୋଇ ପାରିନଥିଲା  । କିନ୍ତୁ ସ୍ଥାନୀୟ ବିଧାୟକ ପୁରନ୍ଦର ମିଶ୍ରଙ୍କ ପରାମର୍ଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଦିଆଯାଇ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହା ଉପରେ ପଦକ୍ଷେପ ନେବାକୁ ଦାବି କରାଯିବ ବୋଲି ମହାନଦୀ ବଞ୍ଚାଅ ଆନେ୍ଦାଳନ ମୁଖପାତ୍ର ପ୍ରସନ୍ନ ବିଷୋୟୀ କହିଛନ୍ତି  ।