ଲଘୁଚାପ ବର୍ଷାରେ ଧାନ ଅମଳ ପ୍ରଭାବିତ : ବିଲରେ ଭିଜୁଛି ପାଚିଲା ଧାନ
ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ଧାନଚାଷ ବିଳମ୍ବରେ ଆରମ୍ଭ ହୋଇଥିଲା । ବିଳମ୍ବିତ ମୌସୁମୀ ତଥା ଅନିୟମିତତା ବର୍ଷା ଯୋଗୁଁ ଭାଦ୍ରବ ମାସ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଳକରେ ଧାନରୁଆ କାମ ଚାଲିଥିବା ଦେଖିବାକୁ ମିଳିଥିଲା । ହିଞ୍ଜିଳିକାଟୁ ବ୍ଳକ ମଧ୍ୟ ଏଥିରୁ ବାଦ ପଡିନଥିଲା । ତେବେ ବିଳମ୍ବରେ ବର୍ଷା ହେବା ସତ୍ତ୍ୱେ୍ୱ ସ୍ଥାନୀୟ ବ୍ଳକ ମଧ୍ୟ ଦେଇ ପ୍ରବାହିତ ଘୋଡାହାଡ ଓ ଋଷିକୂଲ୍ୟା ନଦୀ ପ୍ରବାହିତ ହୋଇଥିବାରୁ ଧାନଚାଷ ଅମଳ ଭଲ ହୋଇଛି । ଏବେ ଧାନ ଅମଳ ସମୟରେ ଅଦିନିଆ ଲଘୁଚାପ ବର୍ଷ ଦାଉ ସାଧିଛି । ଗୁରୁବାର ଅପରାହ୍ନ ଠାରୁ ସ୍ଥାନୀୟ ଅଞ୍ଚଳରେ ପାଗ ମେଘୁଆ ରହିବା ସହ ୨ ଦିନ ତମାମ ଝିପିଝିପି ବର୍ଷା ଲାଗି ରହିଛି । ଫଲରେ ଲଘୁଚାପ ଜନିତ ଲଗାଣ ବର୍ଷା ସବୁକିଛି ଉଜାଡି ଦେଇଛି । କେଉଁଠି ଧାନକଟା ହୋଇ ବିଲରେ ପଡିଛି ତ ଆଉ କେଉଁଠି ଖଳାରେ । କେତେକ ସ୍ଥାନରେ କଟାହେବା ଅପେକ୍ଷାରେ ଛିଡା ହୋଇରହିଛି ଧାନକେଣ୍ଡା । ୨ ଦିନ ହେଲା ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ଲାଗିରହିଥିବା ଲଗାଣ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ବର୍ଷା ପାଗ ଯୋଗୁଁ ଧାନକଟାରେ ବିଳମ୍ବ ହେଉଛି । ଚଳିତ ବର୍ଷ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଧାନ ଅମଳ ବେଶ ଭଲ ହୋଇଥିବା ଜଣାପଡିଛି । ଯଦି ଏଭଳି ବର୍ଷା ଲାଗିରହେ ତେବେ ଧାନ ଫସଲ ସମ୍ପୁର୍ଣ୍ଣ ନଷ୍ଟ ହୋଇଯିବା ନେଇ ସ୍ଥାନୀୟ ଅଞ୍ଚଳର ଚାଷୀ ମହଲରେ ଆଶଙ୍କା ପ୍ରକାଶ ପାଇଛି । ବର୍ଷାରେ ଅଧିକ ସମୟ ଧରି ଧାନ ଭିଜି ରହିଲେ ଚାଉଳ ଭାଙ୍ଗି ଯିବ । ଏଥି ସହ ଧାନ ଗଜା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ଚାଷୀ ସରକାରଙ୍କ ଧାର୍ଯ୍ୟ ଏଫ୍ଏକୁ୍ୟମାନକୁ ନେଇ କିଭଳି ପୁରଣ କରିବ ତାକୁ ନେଇ ଚିନ୍ତା ପ୍ରକଟ କରିଛି । ହେଲେ ଆଗାମୀ ଦିନରେ ଯଦି ଲଘୁଚାପ ବର୍ଷା ଲାଗି ରହେ ତେବେ ପାଚିଲା ଧାନ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହେବ ବୋଲି ଚାଷୀକୂଳ ଆଶଙ୍କା କରିଛି । ଏଭଳି ସ୍ଥିତିରେ ବର୍ଷକର ରୋଜଗାରକୁ କିଭଳି ଅମଳ କରିବ ସେ ନେଇ ଚାଷୀ ଚିନ୍ତାରେ ପଡିଛି । ତେବେ ଚାଷୀଙ୍କ ଏହି କ୍ଷୟକ୍ଷତି ଭରଣା ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ଚାଷୀଙ୍କୁ ଉପଯୁକ୍ତ ସାହାର୍ଯ୍ୟ ପାଇଁ ଦାବି କରିଛନ୍ତି ।