କୋର୍ଟ ଆଦେଶ ନ ମିଳିବା ପର୍ଯ୍ୟନ୍ତ ମାଛଧରା ବନ୍ଦ

 ନୀଳଗିରି  : ନୀଳଗିରି ଥାନା କହାଳିଆର ଶ୍ରୀ ଶ୍ରୀ ରାହାସବିହାରୀଜୀଉ ଠାକୁରଙ୍କ ନାମରେ ଥିବା ପୋଖରୀରୁ ମାଛ ମାରିବା ନେଇ ଦୁଇ ସାହି ମଧ୍ୟରେ ବହୁ ଗୋଷ୍ଠୀ ବିବାଦ ଲାଗି ରହୁଛି । ଆଜି ନୀଳଗିରି ପୁଲିସ ହସ୍ତକ୍ଷେପ କରି କୋର୍ଟଆଦେଶ ପର୍ଯ୍ୟନ୍ତ ପୋଖରୀରୁ କେହି ମାଛ ଧରିପାରିବେ ନାହିଁ ବୋଲି ନୀଳଗିରି ଥାନା ଆଇଆଇସି ଗୋବର୍ଦ୍ଧନ ନାୟକ ଉଭୟପକ୍ଷଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । 
ସୂଚନାରୁ ଜଣାଯାଇଛି, ୧୮୬୬ ନଅଙ୍କ ଦୁର୍ଭିକ୍ଷ ବେଳେ, ଉକ୍ତ ପୋଖରୀକୁ ନୀଳଗିରି ରାଜା ଖୋଳାଇ ଥିଲେ । ଏ ୦୧.୭୬ ଡିସିମିଲ ଜମିରେ ଜଳାଶୟ ଓ ୪୦କଡି ଓସାରର ଆଡି ଥିଲା । ଏହା ସର୍ବସାଧାରଣଙ୍କ ପାନୀୟ ଜଳପାଇଁ ଉଦ୍ଦିଷ୍ଟ ଥିଲା । ମାତ୍ର ଚକ୍ରଧରପୁର ସାହିର କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି, ଲୋଲୁପ ଦୃଷ୍ଟିପକାଇ ୨୦୧୫ରେ,ଉକ୍ତ ପୋଖରୀରେ ମାଛ ଚାଷକରି, ପାଣିକୁ ନଷ୍ଟ କରିବା ସହିତ ଆଡି୪୦ କଡିକୁ ହାଣି ପୋଖରୀରେ ମିଶାଇ ଦେଇଥିଲେ । ଫଳରେ ଏହି ଆଡ଼ିକୁ ରାସ୍ତାରୂପେ ବ୍ୟବହାର କରୁଥିବା ପ୍ରାୟ ୩ଶହ ଲୋକ ପାଣି ଘେରରେ ରହିଥିଲେ । ଏଥିପାଇଁ ଉକ୍ତ ପୋଖରୀକଡ଼ରେ ବସବାସ କରୁଥିବା ପୋଖରୀସାହି ଲୋକମାନେ ନୀଳଗିରି ସବଜଜ୍ କୋର୍ଟରେ କେସ୍ ନମ୍ବର ୧୭/୨୦୨୫ ଓ ୧୦୬/୨୦୨୫ ଦେୱାନି ମକଦ୍ଦମା କରିଥିବା ବେଳେ କୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାପାଇଁ ନିଦେ୍ର୍ଦଶ ଦେଇଥିଲେ । କଟକ ଦେବୋତ୍ତର ଆୟୁକ୍ତ କଟକ ଏହାର ତଦନ୍ତ କରିବାପାଇଁ  ଦେବତ୍ତୋର ନିରୀକ୍ଷକ ଓ ସ୍ଥାନୀୟ ତହସିଲଦାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ଏହାକୁ ଭ୍ରୁକ୍ଷେପ ନକରି, ଚକ୍ରଧରପୁର ସାହିର କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ବେଆଇନ କାର୍ଯ୍ୟକରି ଚାଲି ଥିଲେ ।
ଶୁକ୍ରବାର ଭୋର ପ୍ରାୟ୩ଘଟିକା ସମୟରେ ମାଛ ଧରିବା ପାଇଁ  ଜାଲୁଆଙ୍କୁ ଧରି ପୋଖରୀ ପାଖରେ ପହଞ୍ଚିବାରୁ ସ୍ଥାନୀୟଲୋକ ଓ ମହିଳା ବାରଣ କରିଥିଲେ । ମାତ୍ର ଓଲଟା ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏନେଇ ମହିଳାମାନେ ଉଦୟ ଷଡ଼ଙ୍ଗୀ, କୃପାସିନ୍ଧୁ ରଥ, ପ୍ରଭାକର ପଣ୍ଡା, ବିଜୟ ଦାଶ, ନିନ ଦାଶ, ଦେବବ୍ରତ ଷଡ଼ଙ୍ଗୀ, ଚିତ୍ତରଂଜନ ମହାପାତ୍ର ପ୍ରମୁଖ ୧୦ଜଣଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ନୀଳଗିରି ପୁଲିସ ଅଭିଯୁକ୍ତଙ୍କୁ ଡକାଇ ତାଗିଦ କରିବା ସହିତ ପୋଖରୀରୁ କୋର୍ଟଆଦେଶ ନ ମିଳିବା ପର୍ଯ୍ୟନ୍ତ ମାଛ ଧରିପାରିବେ ନାହିଁ ବୋଲି ଆଦେଶ ଦେଇଥିଲେ । ସୂର୍ଯ୍ୟମଣି ମହାରଣା, ପ୍ରିୟଙ୍କା ଦାସ, ରଞ୍ଜିତା ଦାସ, ଭଗବତୀ ମହାରଣା, ରେବତୀମହାରଣା, ପ୍ରମିଳା ବେହେରା, ବାସନ୍ତୀ ଦାସଙ୍କ ସମେତ ଅନ୍ୟମାନେ ପ୍ରମୁଖ ଅଭିଯୋଗକାରୀ ଅନ୍ତର୍ଭୁକ୍ତ ।