ଖଣି ଅଞ୍ଚଳରେ ଅଣଓଡିଆ ମାଫିଆଙ୍କ ଏକଚାଟିଆ କାରବାର 


କେନ୍ଦୁଝରରୁ ଜୟକୃଷ୍ଣ ପଣ୍ଡା:  ଯୋଡା ଖଣି ସର୍କଲରେ ଅଣ ଓଡିଆ ଖଣି ମାଫିଆଙ୍କ ଏକଚାଟିଆ ବ୍ୟବସାୟ ପୁଣି ଆରମ୍ଭ ହୋଇଛି । ଅଣ ଓଡିଆ ବ୍ୟବସାୟୀ ଯେଉଁମାନଙ୍କ ନାମରେ ପୂର୍ବରୁ ଅବୈଧ ଖଣିଜ କାରବାର ସମ୍ପର୍କିତ ମାମଲା କିମ୍ବା ଅନ୍ୟ ଯେକୌଣସି ବିଶୃଙ୍ଖଳିତ ମାମଲା ରହିଛି । ସେମାନଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । 
ଚଞ୍ଚକତା ନୀତି ଅବଲମ୍ବନ କରି ଆଇନ ଆଖିରେ ଧୁଳିଦେବା ଭଳି କାର୍ଯ୍ୟ କରି ନିଜ ନାମରେ କାମ ନ ନେଇ ନିଜ ସମ୍ପର୍କୀୟଙ୍କ ନାମରେ କାମ ହାତେଇଛନ୍ତି । ନିକଟରେ ରାଜେଶ ଜୟସ୍ୱାଲ ନିଜ ନାମରେ ମାମଲା ଥିବାରୁ ନିଜ ଭାଇ ନାମରେ ରେଲୱେ ସାଇଡିଂ ଲାଇସେନ୍ସ କରି ବ୍ୟବସାୟ ଆରମ୍ଭ କରିଥିା ଅଭିଯୋଗ ହୋଇଛି । ଆର.ଜେ.ଲଜିଷ୍ଟିକ ନାମକ ଏହି ପରିବହନ ଠିକା ସଂସ୍ଥାକୁ ଖଣି ବିଭାଗ ପକ୍ଷରୁ ରେଲୱେ ସାଇଡିଂରେ ପ୍ରମାଣପତ୍ର ମିଳିଥିବା ବେଳେ ସେ ରାଜ୍ୟ ସରକାରଙ୍କ ଅଧିନ ଓଏମ୍ସି (ଓଡିଶା ଖଣି ନିଗମ)ଙ୍କ ଯୋଡା,କୋଇଡା ଖଣି କ୍ଷେତ୍ରରେ ଥିବା ଖଣି ଗୁଡିକରୁ ଏକଚାଟିଆ ପରିବହନ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ସଂସ୍ଥାର ମାଲିକ ରାଜେଶ ଜୟସ୍ୱାଲ ୨୦୧୨ ମସିହାରେ ଜଜାଙ୍ଗସ୍ଥିତ ରୁଙ୍ଗଟା ଖଣିରେ (ଏବେ ଏହା ଜେଏସ୍ଡବ୍ଲୁ ଖଣି କମ୍ପାନୀ ଅଧିନରେ) ଏକଚାଟିଆ କାରବାରକୁ ଆଧାର କରି ଏକ ଗୁଳି କାଣ୍ଡରେ ଜଣେ ନିରୀହ ଲୋକକୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲେ । ସେତେବେଳେ ଏହା ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ରୁଙ୍ଗଟା ଏବଂ ଏହାର ଆଖପାଖ ଖଣି ଗୁଡିକରେ ସ୍ଥାନୀୟ ଲୋକଙ୍କୁ ଭୟଭିତ କରି ସେ ଏକଚାଟିଆ ଖଣି କାରବାର ଚଳାଇ କୋଟିକୋଟି ଟଙ୍କା ଉପାର୍ଜନ କରିଥିଲେ । ବାରମ୍ବାର ତାଙ୍କୁ ଅବୈଧ ଖଣି କାରବାର ନେଇ ଗିରଫ କରି ଜେଲକୁ ପଠାଇଦିଆଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେ ଜାମିନରେ ବାହାରି ତାଙ୍କର ପୂର୍ବ ବ୍ୟବସାୟ ଚଳାଇବାରେ ସଫଳ ହୋଇଥିଲେ । ପରେ ତାଙ୍କୁ ଜାତୀୟ ନିରାପତ୍ତା ଆଇନ ବଳରେ ମଧ୍ୟ ଅଟକ ରଖାଯାଇଥିଲା । ଏବେ ମଧ୍ୟ ଅନେକ ମାମଲା ତାଙ୍କ ନାମରେ ବିଚାରଧିନ ରହିଛି । ଏପରିକି ଭିଜିଲାନ୍ସ ମାମଲା ମଧ୍ୟ ତାଙ୍କ ନାମରେ ଥିବାବେଳେ ସେବେଠାରୁ ସେ ଭୁବନେଶ୍ୱରରେ ଆତ୍ମଗୋପନ କରି ରହିଆସୁଥିଲେ । ବିଜେପି ସରକାର ଆସିବା ପରେ ଏବେ ତାଙ୍କ ପରିବାରକୁ ହଠାତ୍ ଏହି ବ୍ୟବସାୟ ନିମନ୍ତେ ରେଲୱେ ସାଇଡିଂରେ ଲୋଡିଂ ଲାଇସେନ୍ସ ପ୍ରମାଣପତ୍ର ମିଳିବା ସମସ୍ତଙ୍କୁ ଚକିତ କରିଛି । 
ବିଗତ ୨ମାସ ମଧ୍ୟରେ ସେ ଧିରେ ଧିରେ ତାଙ୍କର କାୟା ବିସ୍ତାର କରି ଏବେ ସେ ନୟାଗଡ,ବାଂଶପାଣି ଏବଂ ଜୁରୁଡି ରେଳ କ୍ଷେତ୍ରରେ ଏକ ଚାଟିଆ ରେଳ ବୋଝେଇ ଓ ପରିବହନ କାର୍ଯ୍ୟ ହାତେଇ ଖଣି ବ୍ୟବସାୟରେ ନିଜର କାୟା ବିସ୍ତାର କରିବାରେ ଲାଗିଛନ୍ତି । ଖଣିଜ ପରିବହନ ନିମନ୍ତେ ତାଙ୍କର ନିଜସ୍ୱ ଟ୍ରକ ଥିବାବେଳେ ପରିବହନ କରି ଜୀବିକା ନିର୍ବାହ କରୁଥିବା ଟ୍ରକ ମାଲିକମାନେ ଏବେ କାମଧନ୍ଦା ହରାଇ ବସିଛନ୍ତି । ତେବେ ଏହି ଜୟସ୍ୱାଲଙ୍କ ପଛରେ କିଏ, ତାହା ଏବେ ଖଣି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସେହିପରି ଅନ୍ୟ ଖଣି ଗୁଡିକରେ ମଧ୍ୟ ଅଣ ଓଡିଆ ଠିକାଦାରଙ୍କ ପ୍ରଭାବ ବଢିବାରେ ଲାଗିଛି । ବିହାର, ଝାଡଖଣ୍ଡ, ଉତ୍ତର ପ୍ରଦେଶ ପ୍ରଭୂତି ବାହାର ରାଜ୍ୟର ଲୋକେ ପରିବହନ,ସୁରକ୍ଷା କର୍ମୀ ଯୋଗାଣ,ଶ୍ରମିକ ଯୋଗାଣ ଭାବେ କାର୍ଯ୍ୟ ପାଉଥିବା ବେଳେ ସ୍ଥାନୀୟ ଯୁବକ, ଯୁବତୀ କାମଧନ୍ଦାରୁ ବଞ୍ଚିତ ହୋଇ ଦୁର୍ଦ୍ଦିନରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି । କେବଳ ଏହି ରାଜେଶ ଜୟସ୍ୱାଲ ନୁହଁନ୍ତି ଯୋଡାରୁ ଅନ୍ତଃର୍ଦ୍ଧାନ ହୋଇଥିବା ଅନେକ ଅଣ ଓଡିଆ ଖଣି ମାଫିଆ ଏବେ ଯୋଡା,ବଡବିଲ ଅଞ୍ଚଳକୁ ପୁନଃର୍ବାର ପ୍ରତ୍ୟାବର୍ତ୍ତନ କରି ସେମାନଙ୍କର ବ୍ୟବସାୟୀକ କାୟା ବୃଦ୍ଧି କରିବାରେ ଲାଗିଛନ୍ତି ।ବିଭିନ୍ନ ଖଣି ଓ ରେଳ ସାଇଡିଂରେ ଅଣ ଓଡିଆ ବ୍ୟବସାୟୀଙ୍କ ପାଦୁର୍ଭାବ ଯୋଗୁଁ ଜନ ଅସନ୍ତୋଷ ବଢିବାରେ ଲାଗିଛି । ସରକାର ତୁରନ୍ତ ଅଣ ଓଡିଆ ଖଣି ବ୍ୟବସାୟୀଙ୍କୁ ମିଳିଥିବା କାର୍ଯ୍ୟାଦେଶ କୁ ଅନ୍ତର କରି ଓଡିଆ ବ୍ୟବସାୟୀଙ୍କୁ ସୁଯୋଗ ଦେବା ଦୃଢ ଦାବି ହେଉଛି ।