ବ୍ରହ୍ମବରଦା ଷ୍ଟେଟ ବ୍ୟାଙ୍କ ବିବାଦ ପିଛା ଛାଡୁନି... ଏଟିଏମକୁ ୩ଘଣ୍ଟା ଜଗିକି ରହିଲେ ଗ୍ରାହକ


ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା :  ସବୁବେଳେ ବିବାଦ ଓ ସମସ୍ୟା ଘେରରେ ରହିଆସିଥିବା ବ୍ରହ୍ମବରଦା ଷ୍ଟେଟ ବ୍ୟାଙ୍କ ପୁଣି ଏକ ଘଟଣା ପାଇଁ ନିନ୍ଦିତ ହୋଇଛି । ବ୍ରହ୍ମବରଦା ହାଟସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଏଟିଏମ କାଉଣ୍ଟରରୁ ଟଙ୍କା ଉଠାଣ ସମୟରେ ଦୀର୍ଘ ୩ ଘଣ୍ଟା ଧରି ଜଣେ ଗ୍ରାହକ ହନ୍ତସନ୍ତ ହୋଇଥିବା ନେଇ ଅଭିଯୋଗ ହୋଇଛି । ଖବର ମତେ ବାଲିଚନ୍ଦ୍ରପୁର ଥାନା ଅଧିନ କଦମପାଳ ଗ୍ରାମର ବ୍ରଜକିଶୋର ଜେନା ନାମକ ଜଣେ ବ୍ୟକ୍ତି ଗତ ଶନିବାର ସକାଳ ୯ଟାରେ ବ୍ରହ୍ମବରଦା ଦୁର୍ଗାମଣ୍ଡପ ନିକଟରେ ଥିବା ଷ୍ଟେଟ ବ୍ୟାଙ୍କର ଏକ ଏଟିଏମ୍ରୁ ୧୫୦୦ ଟଙ୍କା ଉଠାଇବା ସମୟରେ ହଠାତ କରେଣ୍ଟ ପଳାଇଥିଲା । ଉକ୍ତ ଏଟିଏମରେ କୌଣସି ଇନଭରଟର ସଂଯୋଗ ହୋଇ ନ ଥିବାରୁ ମେସିନଟି ଚାଲୁଚାଲୁ ଅଧାରୁ ବନ୍ଦ ହୋଇଯାଇଥିଲା ଆଉ ଟଙ୍କା ବାହାରିନଥିଲା । ହେଲେ ନିଜ ସଞ୍ଚୟ ଖାତାରୁ୧୫୦୦ଟଙ୍କା ଉଠାଣ ବାବଦରେ କଟିଯାଇଥିବା ନେଇ ତାଙ୍କ ମୋବାଇଲକୁ ଏକ ମ୍ୟାସେଜ ଆସିଥିଲା । ଯାହା ଫଳରେ ଗ୍ରାହକଜଣକ ବିଚଳିତ ହୋଇ କରେଣ୍ଟ ଆସିଲା ପର୍ଯ୍ୟନ୍ତ ଉକ୍ତ ଏଟିଏମ୍ ମେସିନଟିକୁ ଜଗିକି ରହିଥିଲେ । ଦୀର୍ଘ ୩ ଘଣ୍ଟା ପରେ ଯାଇ କରେଣ୍ଟ ଆସିଥିଲା । କିନ୍ତୁ ଟଙ୍କା ବାହାରି ନଥିଲା । ଫଳରେ ଗ୍ରାହକ ନିରାଶ ହୋଇ ଘରକୁ ଫେରିଥିଲେ । ଏନେଇ ବ୍ରହ୍ମବରଦା ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ କୈଳାସ ନାୟକଙ୍କୁ ପଚାରିବାରୁ ସେ କହିଥିଲେ କି ଜଦି ଟଙ୍କା ଉଠାଣ ବେଳେ ଏମିତି କିଛି ଘଟଣା ଘଟିଥିବ ତା ହେଲେ ୨୪ଘଣ୍ଟା ଭିତରେ ତାଙ୍କ ଜମା ଖାତାକୁ ଟଙ୍କା ଫେରିଆସିବ । ଆଉ ଟଙ୍କା ଜଦି ନଫେରେ ତାହେଲେ ସମ୍ପୃକ୍ତ ଗ୍ରାହକ ଟୋଲ ଫ୍ରି ନମ୍ବରରେ ଅଭିଯୋଗ କରିବେ । କିନ୍ତୁ ଏଠାରେ କଥା ଉଠୁଛି ଗାଁ ଗହଳିର ସାଧାରଣ ଲୋକେ ଏସବୁ କରିପାରିବେ ତ? ଟଙ୍କା ଜଦି ତାଙ୍କ ଖାତାକୁ ନ ଫେରିଲା ଆଉ ଜଦି ସେ ଟୋଲ ଫ୍ରି ନମ୍ବର ଜରିଆରେ ଅଭିଯୋଗ ନକରି ପାରିଲେ ତାଙ୍କ ଟଙ୍କା ସେ ଫେରସ୍ତ ପାଇବେ କିପରି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସୂଚନା ଥାଉକି ବ୍ରହ୍ମବରଦା ହାଟସ୍ଥିତ ଉକ୍ତ ଷ୍ଟେଟ ବ୍ୟାଙ୍କ ଏଟିଏମଟି ବହୁ ସମସ୍ୟା ଦେଇ ଗତି କରୁଥିବା ନେଇ ଗତ ମଙ୍ଗଳବାର "ଏଟିଏମ୍ ଚାଲିଛି ମୋବାଇଲ ଲାଇଟ ଭରଷାରେ’ ଶୀର୍ଷକ ଖବର ‘ସୂର୍ଯ୍ୟପ୍ରଭା’ରେ ପ୍ରକାଶିତ ହୋଇଥିଲା । ଏହି ଏଟିଏମ୍ଟିରେ ଲାଗିଥିବା ଦୁଇଟି ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ବିଲକୁଲ କାମ କରୁ ନଥିବା ବେଳେ କାଉଣ୍ଟଟର ଭିତର ଓ ବାହାର ଲାଇଟ ମଧ୍ୟ ଜଳୁ ନଥିଲା । ଫଳରେ ଗ୍ରାହକରାତିରେ ମୋବାଇଲ ଲାଇଟ ଜରିଆରେ ଟଙ୍କା ଉଠାଣ କରୁଥିଲେ । ଖବର ପ୍ରକାଶର ଠିକ ପରଦିନ ବିଭାଗ ପକ୍ଷରୁ ଉକ୍ତ ଏଟିଏମ କାଉଣ୍ଟରରେ କେବଳ ଗୋଟିଏ ଲାଇଟ ଲଗେଇଦେଇ ବିଭାଗ ଚୁପ ହୋଇ ବସି ଯାଇଥିଲା । ସେଠାରେ ଲାଗିଥିବା ଶୀତତାପ ନିୟନ୍ତ୍ରିତଯନ୍ତ୍ର କିମ୍ୱା ଇନଭରଟର ଲଗାଇବା ପ୍ରତି ଗୁରୁତ୍ୱ ଦେଇ ନଥିଲା । ଯାହାଦ୍ୱାରାଶନିବାର ଗ୍ରାହକ ଲୋକ ଟଙ୍କା ଉଠାଣ ସମୟରେ ନାନା ହଇରାଣ ହରକତ ହୋଇ ଘରକୁ ଫେରିଥିଲେ । କିନ୍ତୁ କଥା ଉଠୁଛି ଉକ୍ତ ଏଟିଏମ ନିକଟରେ ଥିବା ଅନ୍ୟ ଦୁଇ ଏଟିଏମ୍ରେ ସବୁ ସୁବିଧା ଥିବା ବେଳେ ଭାରତର ସବୁଠୁ ବଡ଼ ବ୍ୟାଙ୍କ ବୋଲାଉଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମର ଏପରି ଅବ୍ୟବସ୍ଥା ନିହାତି ହାସ୍ୟାସ୍ପଦ କଥା । ତେଣୁ ଏହି ଏଟିଏମ୍ କାଉଣ୍ଟରଟିକୁ ମରାମତି କରିବା ପାଇଁ ଗ୍ରାହକ ଦାବି କରିଛନ୍ତି ।