ଖୁଣ ଖୋଜନ୍ତୁନି

ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଜାଣିବା ଆମକୁ ଜୀବନରେ ଅନ୍ୟର ଖୁଣ ନଖୋଜି କେମିତି ଟିକେ ଭଲ ପାଇବାକୁ ହେବ ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ବୁଝିଲେ ଆଜ୍ଞା, ଏ ଦୁନିଆ ବଡ଼ ବିଚିତ୍ର । ଏଠି ସମସ୍ତେ ସବୁକିଛି ଖାଣ୍ଟି ଚାହାନ୍ତି । ଦ୍ରବ୍ୟ କ୍ଷେତ୍ରରେ ଏହା ଅନେକ ମାତ୍ରାରେ ସଠିକ୍ ହୋଇପାରେ, ମାତ୍ର ମଣିଷ କ୍ଷେତ୍ରରେ ତାହା ନଗଣ୍ୟ । କାରଣ ସଂସାରର ନିତ୍ୟ ନୈମିତ୍ତିକ ଜୀବନ ଚଳଣି ଭିତରେ କେଉଁଠି ନା କେଉଁଠି ମଣିଷର ତ୍ରୁଟି, ବିଚୁ୍ୟତି ପରିଲକ୍ଷିତ ହୋଇଥାଏ । ଏହା ଅଧିକାଂଶଙ୍କ ଜୀବନରେ ସ୍ୱାଭାବିକ ମଧ୍ୟ ପାଲଟିଯାଏ । ଦୋଷତ୍ରୁଟିକୁ ସୁଧାରିବାକୁ ଆମେ ଚେଷ୍ଟା କରୁଛେ କି ନାହୁଁ ତାହା ବିଚାରଯୋଗ୍ୟ । 
ଅଧିକାଂଶ ମଣିଷ ଅନ୍ୟର ଦୋଷତ୍ରୁଟି ଦେଖିବାରେ ବେଶ୍ ପାରଙ୍ଗମ । ହେଲେ ଏହି ଦୋଷତ୍ରୁଟି ଭିତର ଦେଇ ସେମାନେ ଭୁଲିଯାଆନ୍ତି ଯେ ସେମାନେ ବହୁ ମଣିଷଙ୍କୁ ସବୁଦିନ ପାଇଁ ହରାଇ ବସନ୍ତି । ଦୋଷତ୍ରୁଟି ଥାଇ ମଧ୍ୟ ମଣିଷକୁ ଆପଣାର କରିବାକୁ ପଡ଼େ । ସଂସାର ଭିତରେ ଚଳିବାକୁ ହେଲେ ଆମକୁ ସମସ୍ତଙ୍କୁ ନେଇକି ହିଁ ଚଳିବାକୁ ପଡ଼ିବ । କେହି କାହାରିକୁ ବାଦ୍ ଦେଇ ନୁହେଁ; ବରଂ ସମସ୍ତେ ସମସ୍ତଙ୍କୁ ନେଇକରି ହିଁ ଚଳିବାକୁ ପଡିବ । ଯଦି ଦୋଷ ଦେଖିବାର ଅଛି ତେବେ ମଣିଷକୁ ପ୍ରଥମେ ନିଜ ଭିତରେ ଦୋଷ ଦେଖିବାକୁ ପଡ଼ିବ ତାହା ପୁଣି ନିଜ ଦ୍ୱାରା । ଅନ୍ୟର ଦୋଷ ଦେଖିବା ପୂର୍ବରୁ ନିଜେ ନିଜକୁ ପରଖି ନେବା ଉଚିତ୍ । ଅନ୍ୟର ଦୋଷ ଦେଖିବା ଏବଂ ତାକୁ ସହୃଦ୍ୟ ଏକାନ୍ତରେ ହିଁ ବୁଝେଇ ସୁଧାରିବାର ପ୍ରକି୍ରୟା ରହିଛି । ଏହାକୁ କିଏ କେତେଦୂର ପାଳନ କରୁଛି ତାହା ପ୍ରତି ପ୍ରତ୍ୟେକ ନିଜକୁ ନିଜେ ପଚାରିବା ଉଚିତ୍ । ମଣିଷକୁ ଆପଣାର କରିବାକୁ ହେଲେ ପ୍ରଥମେ ମଣିଷକୁ ଭଲ ପାଇବାକୁ ହେବ ମୌଳିକ ଭାବରେ । ଯିଏ ଯେମିତି ତାକୁ ସେମିତି ସ୍ଥିତିରେ ହିଁ ଗ୍ରହଣ କରିବାକୁ ହେବ । ଜୀବନରେ ବହୁ ପ୍ରସଙ୍ଗରେ ଓ ବହୁ ପରିସ୍ଥିତିରେ ନିଜକୁ ଝାସ ଦେବାକୁ ହୁଏ । ଅନ୍ୟଥା ମନ ଅନ୍ୟତ୍ର ଧାବମାନ ହେବ । 
ଏ ଦୁନିଆରେ କେହି ମଧ୍ୟ ନିଖୁଣ କି ନିଖାଦ ନୁହଁନ୍ତି । ଦୋଷତ୍ରୁଟି ସମସ୍ତଙ୍କର ଅଛି । ଆଉ ଯଦି ଜୀବନରେ ଆପଣ ସମସ୍ତଙ୍କର ଦୋଷତ୍ରୁଟି ଧରି ବସିବେ, ତାହେଲେ ଦିନେ ଆପଣ ଏକୁଟିଆ ହୋଇଯିବେ । ତେଣୁ ଖୁଣ ଖୋଜିବା କମ୍ କରନ୍ତୁ, ଅଧିକ ଭଲପାଇବା ଶିଖନ୍ତୁ ।  ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।