ଗଣେଶ ପୂଜା ପାଇଁ ଶାନ୍ତି କମିଟି ବୈଠକ
।ା ପ୍ରଭାନୁ୍ୟଜ ।ା ବାଲେଶ୍ୱର : ଆସନ୍ତା ଗଣେଶ ପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଶାନ୍ତି କମିଟି ବୈଠକ ସ୍ଥାନୀୟ ସଦ୍ଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସଦର ବିଧାୟକ ମାନସ ଦତ୍ତ, ଜିଲ୍ଲାପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ବାଲେଶ୍ୱର ପୌରପାଳିକା ଅଧ୍ୟକ୍ଷା ସବିତା ସାହୁ, ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିରଞ୍ଜନ ବେହେରା, ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେସିର୍କେ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଦୁଲାଳସେନ ଜଗତ ଦେଓଙ୍କ ସମେତ ବିଭିନ୍ନ ପୂଜା କମିଟିର ସଦସ୍ୟ, ପୁଲିସ, ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜିଲ୍ଲାରେ କିଭଳି ସୁରୁଖୁରୁରେ ଗଣେଶ ପୂଜା ଆୟୋଜିତ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାୟକ ପୂର୍ବ ବର୍ଷର ବିବରଣୀ ପାଠ କରିବା ସହିତ ବିଭିନ୍ନ ନିୟମାବଳୀ ସମ୍ପର୍କରେ ଗୃହକୁ ସୂଚନା ଦେଇଥିଲେ । ସେପ୍ଟେମ୍ବର ୭ ତାରିଖ ଦିନ ପାଳନ ହେବାକୁ ଥିବା ଗଣେଶ ପୂଜା ଲାଗି ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଇନଶୃଙ୍ଖଳା ଏବଂ ଟ୍ରାଫିକ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ଲୁପ୍ରିଣ୍ଟ ତିଆରି କରାଯିବା ସହିତ ସେପ୍ଟେମ୍ବର ୯, ୧୧ ଓ ୧୪ ତାରିଖ ଦିନ ଭଷାଣୀ ଯାତ୍ରା ପାଇଁ ଧାର୍ଯ୍ୟ କରାଯାଇଛି । ପୂଜା ମଣ୍ଡପ ଓ ଭସାଣି ବେଳେ ବଫର ଓ ଲେଜର ଲାଇଟ ଉପରେ କଟକଣା ଲଗାଯାଇଛି । ଏଥିସହିତ ଶବ୍ଦର ତୀବ୍ରତା ୬୫ଡେସିବଲ ମଧ୍ୟରେ ସୀମିତ ରହିବ ଏବଂ ଏହାର ଉଲ୍ଲଙ୍ଘନ ହେଲେ ଆଇନ ଅନୁଯାୟୀ ପଦେକ୍ଷପ ନିଆଯିବ । ଏହି ପରିପ୍ରେକ୍ଷୀରେ ପାରମ୍ପରିକ ବାଦ୍ୟ ଓ ସଙ୍ଗୀତକୁ ପ୍ରୋତ୍ସାହିତ କରିବା ପାଇଁ ମଞ୍ଚସ୍ଥ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷମାନେ ଅନୁରୋଧ କରିଥିଲେ । ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ସମସ୍ତ କଟକଣାକୁ ମଧ୍ୟ ପୂଜା କମିଟିମାନଙ୍କୁ ମାନିବାକୁ ପଡିବ । ସରକାରୀ ନିୟମାବଳୀର କିଭଳି ପାଳନ ହୋଇପାରିବ ତାହାର ସମ୍ପୂର୍ଣ୍ଣ ଦାୟିତ୍ୱ ପୂଜା କମିଟିମାନେ ନେବେ । ସମସ୍ତ ନୀତି ନିୟମ ମଧ୍ୟରେ ରହି ଗଣେଶ ପୂଜା ପାଳନ ନିମନ୍ତେ ଉପସ୍ଥିତ ପୂଜା କମିଟି ସଦସ୍ୟମାନଙ୍କୁ ଜିଲ୍ଲାପାଳ ଶ୍ରୀ ବିକାଶ ପରାମର୍ଶ ଦେବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।