ଗାଡ଼ି ଟିକସ ଚୋରି


ଗତ ସପ୍ତାହରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଦ୍ୱୈତନଗରୀରେ ଏକ ସର୍ବସାଧାରଣ ପରିବହନ ବସ୍କୁ ଟିକସ ଫାଙ୍କି ପାଇଁ ଧରାଗଲା । ଦୀର୍ଘ ବର୍ଷ ହେଲା ଏହି ବସ୍ଟି ବାବଦରେ କୌଣସି ପ୍ରକାରର ଟିକସ ଦିଆଯାଉନଥିଲା । ଗାଡ଼ିଟି ଧରା ପଡ଼ିବା ପରେ ପରିବହନ ବିଭାଗ ପକ୍ଷରୁ ସବୁ ପ୍ରକାରର ଟିକସକୁ ମିଶାଇ ମୋଟ୍ ୧୦ ଳକ୍ଷ ୧୯ ହଜାର ଟଙ୍କାର ଜୋରିମାନା ଲଗାଗଲା । ଏବେ ପ୍ରଶ୍ନ ଉଠୁଛି ଘରୋଇ ବସ୍ମାଲିକ ମାନେ "କାନ୍ଦୁଥା, ଯାହା ପାଉଛୁ ବାନ୍ଧୁଥା' ନ୍ୟାୟରେ ବସ୍ ସେବା କ୍ଷତିରେ ଚାଲୁଛି ବୋଲି କହି ସରକାରଙ୍କୁ ବିଭିନ୍ନ ଧମକ ଦେଇ ଯାତ୍ରୀ ଭଡ଼ା ବଢ଼େଇବା ପାଇଁ ଚାପ ପ୍ରୟୋଗ କରୁଛନ୍ତି । ଅନ୍ୟପକ୍ଷରେ ଅନେକ ଯାତ୍ରୀବାହି ଗାଡ଼ି ସରକାରଙ୍କୁ ଟିକସ ଦେଉନାହାନ୍ତି । ଆଶ୍ଚର୍ଯ୍ୟର କଥା ଦେଖାଯାଉଛି ଯେ ଘରୋଇ ବସ୍ର ମାଲିକମାନେ ବର୍ଷକୁ ବର୍ଷ ନୂଆ ନୂଆ ଗାଡ଼ି କିଣୁଛନ୍ତି । ଏ ବର୍ଷ ଯାହାର ଗୋଟିଏ ବସ୍ ଅଛି ଆଉ ଗୋଟିଏ ବର୍ଷ ପରେ ସେ ତିନିଟା ବସ୍ କିଣିବା ଦେଖାଗଲାଣି । ଯଦି ଯାତ୍ରୀ ପରିବହନ କ୍ଷତିରେ ଚାଲୁଛି, ତାହା ହେଲେ ଏଭଳି ହେଉଛି କେମିତି ତାହା ହିଁ ପ୍ରଶ୍ନ । ଏଠାରେ ସମସ୍ୟାଟା ସରକାର ଓ ବସ୍ ମାଲିକଙ୍କ ଭିତରେ ନୁହେଁ । ଏଠାରେ ସମସ୍ୟାଟି  ହେଉଛି ବସ୍ ଯାତ୍ରୀମାନଙ୍କର  । କାରଣ ବସ୍ ଭଡ଼ା କରୋନା ପର ଠାରୁ ଏତେ ବଢ଼ିଗଲାଣି ଯେ ଟ୍ରେନ୍ ସୁବିଧା ଥିବା ଯାତ୍ରୀମାନେ ଆଉ ବସ୍ରେ ଯିବାକୁ ସାହସ କରିପାରୁନାହାନ୍ତି । ପରିବହନ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କ ସ୍ୱାର୍ଥକୁ ଜଗିବା ଭଳି ବିଶେଷ କିଛି ପଦକ୍ଷେପ ନିଆଯାଉନାହିଁ; ବରଂ ବସ୍ ମାଲିକ ସଂଘଗୁଡ଼ିକର ଦାବି ଆଗରେ ସରକାର ନଇଁ ଯାଉଥିବା ଦେଖାଯାଉଛି । ହଜାର ହଜାର ଘରୋଇ ବସ୍ ରାସ୍ତାରେ ଚଳାଚଳ କରୁଥିବା ବେଳେ ଅଳ୍ପ କିଛି ବସ୍ର ପରମିଟ୍ବିହୀନ ତଥା ଆଇନ୍ ଉଲଙ୍ଘନ କାମ ପାଇଁ ଯାତ୍ରୀମାନେ ମୋଟାମୋଟି ଭାବରେ ଘରୋଇ ବସ୍ ବ୍ୟବସ୍ଥା ପ୍ରତି ବିମୁଖ । ବର୍ତ୍ତମାନ ଶହେ କିଲୋମିଟର୍ର ବସ୍ ଯାତ୍ରା କରିବାକୁ ସାଧାରଣ ଗରିବ ଲୋକଟିଏ କିମ୍ବା ମୂଲ ମଜୁରିଆ ସହଜରେ ସାହସ କରିପାରୁନାହିଁ । ବର୍ତ୍ତମାନ ସମୟରେ ଦିନ ମଜୁରିଆ ତଥା ମୂଲ ମଜୁରୀ ଲାଗି ପରିବାର ପୋଷୁଥିବା ଲୋକେ କେତେ କଷ୍ଟରେ ପରିବାର ଚଳାଉଛନ୍ତି ତାହା ସେମାନଙ୍କୁ ଜଣା । ବିଭିନ୍ନ ସ୍ଥାନରେ ସକାଳରେ ଶ୍ରମିକ ହାଟଗୁଡ଼ିକରେ ବିଭିନ୍ନ ସ୍ଥାନରେ ଭିଡ଼ ଦେଖିବାକୁ ମିଳୁଛି । ସେହି ଭିଡ଼ ଦିନ ୧୨ଟା ବେଳେ ବି ଦେଖିବାକୁ ମିଳୁଛି । ଏହା ସ୍ପଷ୍ଟ ଭାବରେ ସୂଚିତ କରୁଛି ଯେ ଶ୍ରମିକମାନଙ୍କୁ ମଧ୍ୟ ସବୁ ଦିନ କାମ ମିଳୁନାହିଁ । ଏଭଳି ପରିସ୍ଥିତିରେ ଗମନାଗମନର ବ୍ୟବସ୍ଥାକୁ ସରକାର ନିୟନ୍ତ୍ରଣ ଭିତରେ ନରଖିଲେ ଗରିବ ଲୋକଙ୍କର ଯାତାୟତ ଭବିଷ୍ୟତରେ ଅତ୍ୟନ୍ତ କଷ୍ଟଦାୟକ ହୋଇପଡ଼ିବ । କେବଳ ସେତିକି ନୁହେଁ, ସରକାର ମଧ୍ୟ ହାଇ ସ୍ୱୀକୁ୍ୟରିଟି ନମ୍ବର ପ୍ଲେଟ୍ ଲଗାଇଲା ବେଳେ ନମ୍ବର ପ୍ଲେଟ୍ ମାଧ୍ୟମରେ ଗାଡ଼ିର ବିସ୍ତୃତ ବିବରଣା ଜାଣି ପାରିବା ନେଇ ପ୍ରକାଶ କରିଥିଲେ । ଏବେ ଠିକ୍ ସେହି ପଦ୍ଧତିରେ ପ୍ରତ୍ୟେକ ମୋର ଯାନର ଟ୍ୟାକ୍ସ, ବୀମା ଏବଂ ଫିଟ୍ନେସ୍ଜନିତ ସ୍ଥିତିକୁ ଏଆଇ ବା କୃତି୍ରମ ବୁଦ୍ଧିମତ୍ତା ବଳରେ ଯାଞ୍ଚ୍ କରି ମୋଟର୍ ଯାନ ମାଲିକଙ୍କୁ ନୋଟିସ୍ ଏବଂ ଜୋରିମାନା ପଠାଇବା ଆବଶ୍ୟକ । ଏ ପ୍ରକାରର ଏକ ପଦକ୍ଷେପ ନିଆଗଲେ ସରକାରଙ୍କ ରାଜକୋଷକୁ ମଧ୍ୟ ବିପୁଳ ପରିମାଣର ଅର୍ଥ ଆସିବ । ରାସ୍ତାଘାଟରେ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକୁ ଅଟକାଇ ଆବଶ୍ୟକୀୟ କାଗଜପତ୍ରକୁ ଯାଞ୍ଚ୍ କରିବା ଯାତ୍ରୀମାନଙ୍କ ପାଇଁ ଏକ ଦଣ୍ଡ । ତେଣୁ ସେ ପ୍ରକାରର ଏକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଉଠେଇ ଦେଇ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ କରାଯିବା ଉପରେ ଗୁରୁତ୍ୱ ଦିଆଗଲେ ସରକାରଙ୍କର ଏଥିପାଇଁ ଅଧିକ କୌଣସି ମାନବସମ୍ବଳର ଆବଶ୍ୟକତା ପଡ଼ିବ ନାହିଁ  କିମ୍ବା ପରିବହନ ବିଭାଗର କର୍ମଚାରୀମାନଙ୍କ ଉପରେ ଅଧିକ ଚାପ ପଡ଼ିବ ନାହିଁ । ଏସବୁ ପ୍ରସଙ୍ଗଗୁଡ଼ିକୁ ବିଚାର କରି ତୁରନ୍ତ ପଦକ୍ଷେପ ନିଆଯିବା ଜରୁରୀ ।